ଛାତ୍ର ସଂସଦ ନିର୍ବାଚନରେ ରାଜନୈତିକ ଚାପ ଓ ପ୍ରଶାସନିକ ହସ୍ତକ୍ଷେପ ଗଣତନ୍ତ୍ରକୁ ହତ୍ୟା କରୁଛି
ଭୁବନେଶ୍ୱର : ଓଡ଼ିଶାରେ ୨୦୨୬ ଛାତ୍ର ସଂସଦ ନିର୍ବାଚନରେ ରାଜନୈତିକ ହସ୍ତକ୍ଷେପ, ପ୍ରଶାସନିକ ଚାପ ଏବଂ ନିର୍ବାଚନ ଫଳାଫଳ ଘୋଷଣାରେ ବିଳମ୍ୱକୁ ନେଇ ବିଜୁ ଜନତା ଦଳ ଗଭୀର ଉଦ୍ବେଗ ପ୍ରକାଶ କରିଛି । ଏହି ପ୍ରସଙ୍ଗରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଏବଂ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ରାମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିଜେଡି ସମର୍ଥିତ ପ୍ରାର୍ଥୀ ଉଲ୍ଲେଖନୀୟ ବ୍ୟବଧାନରେ ଆଗୁଆ ଥିବା ଖବର ପ୍ରକାଶ ପାଇବା ପରେ ଫଳାଫଳ ଘୋଷଣାରେ ହେଉଥିବା ବିଳମ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହ କ୍ୟାପିଟାଲ୍ ଲ’ କଲେଜ, ଏମ୍ଏସ୍ ଲ’ କଲେଜ ଏବଂ ଉକ୍ରଳ ଲ’ କଲେଜରେ ମଧ୍ୟ ଫଳାଫଳ ଘୋଷଣାରେ ବିଳମ୍ୱକୁ ନେଇ ଦଳ ଉଦ୍ବେଗ ପ୍ରକାଶ କରିଛନ୍ତି । ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ ଯେ, ରାଜନୈତିକ ପ୍ରଭାବ ଛାତ୍ର ସଂସଦ ନିର୍ବାଚନର ନିରପେକ୍ଷତା ଓ ସ୍ୱଚ୍ଛତାକୁ କ୍ଷୁଣ୍ଣ କରୁଛି । ରାମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବୋମାମାଡ଼ ଘଟଣା ସମେତ କ୍ୟାମ୍ପସ୍ରେ ଘଟିଥିବା ହିଂସାକାଣ୍ଡ ସମ୍ପର୍କରେ ଏକ ନିରପେକ୍ଷ ତଦନ୍ତ କରାଯାଉ । ଏହି ପରିସ୍ଥିତିରେ ପୁଲିସ ପ୍ରଶାସନର ଭୂମିକା ଓ ପଦକ୍ଷେପକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରାଯାଉ ।
ଶ୍ରୀମତୀ ସୁଲତା ଦେଓ କହିଥିଲେ ଯେ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ତୁରନ୍ତ ସ୍ୱଚ୍ଛ ଭୋଟ ଗଣତି ସୁନିଶ୍ଚିତ କରିବା ସହ ଶୀଘ୍ର ଫଳାଫଳ ଘୋଷଣା କରନ୍ତୁ । ଛାତ୍ରଛାତ୍ରୀଙ୍କୁ ଭୟଭୀତ କରିବା ଓ ରାଜନୈତିକ ହସ୍ତକ୍ଷେପରୁ ସୁରକ୍ଷା ଦିଅନ୍ତୁ । ଛାତ୍ରଛାତ୍ରୀଙ୍କ ଆଧିକାରିକ ଭାବେ ଯାଞ୍ଚ ହୋଇଥିବା ଜନାଦେଶକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯିବା ଉଚିତ ନୁହେଁ ।










