୫ଟି ଅଧ୍ୟକ୍ଷ ଗଜପତିରୁ ଫେରିବା ପରେ ଘଟିଛି ଦୁର୍ଘଟଣା
ସଡକ ପଥରେ ଆଦୌ ଯାଇନଥିଲେ ୫ଟି ଅଧ୍ୟକ୍ଷ
ବିଜୟଙ୍କ ମିଛୁଆ ଚରିତ୍ରକୁ ବୁଝିଗଲେଣି ଗଜପତିବାସୀ
ଭୁବନେଶ୍ୱର, : ଗଜପତି ଜିଲ୍ଲାରେ ସଡକ ଦୁର୍ଘଟଣା ନେଇ ବିଜୟ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ଯେଉଁ ତଥ୍ୟ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଡାହା ମିଛ । ତାଙ୍କର ଏଭଳି ମିଛୁଆ ଚରିତ୍ର ସଂକ୍ରାନ୍ତରେ ଗଜପତିବାସୀ ଧିରେ ଧିରେ ଜାଣିଗଲେଣି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।
ଶ୍ରୀମତୀ ସାହୁ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଗଜପତି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ମର୍ମାହତ । ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।
ଏଭଳି ସମୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନୂଆ ନୂଆ ନେତା ହୋଇଥିବା ବିଜୟ ପଟ୍ଟନାୟକଙ୍କର ମନ୍ତବ୍ୟ ମତେ ଆଶ୍ଚର୍ଯ୍ୟ କରିଛି । ଭୁବନେଶ୍ୱରରେ ବସି ସତ କଥା ନଜାଣି ମିଡିଆ ସାମ୍ନାରେ ଡାହାମିଛ କହିବାରେ ବୋଧେ ସେ ପିଏଚଡି କରିସାରିଲେଣି । ହଜାର ହଜାର ସଂଖ୍ୟାରେ ଗଜପତିବାସୀ ଦେଖିଛନ୍ତି ୫-ଟି ଅଧ୍ୟକ୍ଷ ଗଜପତିକୁ ହେଲିକପ୍ଟରରେ ଆସିଥିଲେ, ଆଉ ୨ଟା ୧୫ରେ ହେଲିକପ୍ଟରରେ ଭୁବନେଶ୍ୱର ଫେରିଥିଲେ । ଦୁର୍ଘଟଣା ପ୍ରାୟ ୨ଟା ୪୫ରେ ଘଟିଛି ।
ବିଜୟ ପଟ୍ଟନାୟକ ଯେଉଁ ଦୁର୍ଘଟଣାର ଅବତାରଣା କରିଛନ୍ତି ତାହା ଏକ ସୁରକ୍ଷାକର୍ମୀଙ୍କ ଗାଡି ଦ୍ୱାରା ହୋଇଛି । ଯାହା ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା । ହେଲେ ଏହାକୁ ନେଇ ଆପଣଙ୍କ ଭଳି ଲୋକ ଯେଉଁ ବୟାନ ଦେଇଛନ୍ତି, ଲଜ୍ଜା ଲାଗିବା କଥା । ଗଜପତିବାସୀ ଧୀରେ ଧୀରେ ଆପଣଙ୍କ ଅସଲ ଚରିତ୍ର ଓ ଦୋଗଲା ଆଭିମୁଖ୍ୟକୁ ଜାଣିଗଲେଣି ।