ବର୍ମିଂହାମ୍: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନରେ ଶୁକ୍ରବାର ଭାରତ ପାଇଁ ପ୍ରଥମ ପଦକ ଅର୍ଜନ କରିଛନ୍ତି ମହିଳା ରେସଲର୍ ଅଂଶୁ ମଲିକ । ୫୭ କିଗ୍ରା ଫ୍ରିଷ୍ଟାଇଲ୍ ବର୍ଗ ଫାଇନାଲ୍ରେ ଅଂଶୁ ନାଇଜେରିଆର ଫୋଲାସେଡ୍ ଆଡେକୁରୋୟେଙ୍କଠାରୁ ୩-୭ରେ ପରାସ୍ତ ହେବା ଫଳରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦାର୍ପଣରେ ଅଂଶୁ ତାଙ୍କର ପ୍ରଥମ ପଦକ ହାସଲ କରିଛନ୍ତି । ସେ ମଧ୍ୟ ରେସଲିଂରେ ଚଳିତ ସଂସ୍କରଣରେ ଦେଶକୁ ପ୍ରଥମ ପଦକ ଦେବା ସହ ପଦକ ସଂଖ୍ୟାକୁ ୨୧ରେ ପହଞ୍ଚାଇଛନ୍ତି । ଅନ୍ୟପକ୍ଷରେ ଫୋଲାସେଡ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର କ୍ରମାଗତ ତୃତୀୟ ସ୍ୱର୍ଣ୍ଣ ଜିତିଛନ୍ତି ।
ସେହିପରି ଭାରତର ମହିଳା ପାରା ଟିଟି ଖେଳାଳି ଭାବିନା ପଟେଲ୍ ମହିଳା ସିଙ୍ଗଲ୍ସ କ୍ଲାସ୍ ୩-୫ ପାରା ଟେବଲ୍ ଟେନିସ୍ ଇଭେଣ୍ଟ୍ ଫାଇନାଲ୍ରେ ପହଞ୍ଚି ପଦକ ପକ୍କା କରିଛନ୍ତି । ଶୁକ୍ରବାର ଏହି ଟୋକିଓ ପାରାଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଜଣକ ତାଙ୍କ ସେମିଫାଇନାଲ୍ ମୁକାବିଲାରେ ଇଂଲଣ୍ଡର ସୁଏ ବେଲିଙ୍କୁ ୧୧-୬,୧୧-୬,୧୧-୬ରେ ପରାସ୍ତ କରି ପଦକ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି । ଫାଇନାଲ୍ରେ ୩୫ ବର୍ଷୀୟା ଭାବିନା ନାଇଜେରିଆର କ୍ରିଷ୍ଟିଆନା ଇକପିଓୟିଙ୍କୁ ଭେଟିବେ । ତେବେ ଅନ୍ୟତମ ଭାରତୀୟ ପ୍ରତିଯୋଗୀ ସୋନଲବେନ୍ ପଟେଲ୍ ସେମିଫାଇନାଲ୍ରେ ୧୧-୮,୬-୧୧,୪-୧୧,୭-୧୧ରେ ପରାସ୍ତ ହୋଇଛନ୍ତି । ତେଣୁ ଏବେ ସେ ବ୍ରୋଞ୍ଜ୍ ପଦକ ପାଇଁ ଉଦ୍ଦିଷ୍ଟ ମ୍ୟାଚ୍ ଖେଳିବେ ।
ଆହୁରି ରାଜ ଅରବିନ୍ଦନ୍ ଆଲାଗାର ପୁରୁଷ ୩-୫ କ୍ଲାସ୍ ସେମିଫାଇନାଲ୍ରେ ନାଇଜେରିଆର ନାସିରୁ ସୁଲେଙ୍କଠାରୁ ୧୧-୭,୮-୧୧,୪-୧୧,୭-୧୧ରେ ପରାସ୍ତ ହୋଇଛନ୍ତି । ରବିବାର ସେ ବ୍ରୋଞ୍ଜ୍ ପଦକ ପାଇଁ ଉଦ୍ଦିଷ୍ଟ ମ୍ୟାଚ୍ରେ ଅନ୍ୟତମ ନାଇଜେରୀୟ ପ୍ରତଦ୍ୱନ୍ଦ୍ୱୀ ଇସାଉ ଓଗୁଙ୍କୁନଲେଙ୍କୁ ଭେଟିବେ । ସେହିପରି ଟେବଲ୍ ଟେନିସ୍ରେ ଦେଶର ତାରକା ମହିଳା ଖେଳାଳି ମନିକା ବାତ୍ରା ଅଷ୍ଟ୍ରେଲିଆର ମିନହ୍ୟୁଙ୍ଗ୍ ଜି’ଙ୍କୁ ୪-୦ରେ ପରାସ୍ତ କରି କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ସେହିପରି ଶ୍ରୀଜା ଅକୁଲା ମହିଳା ସିଙ୍ଗଲ୍ସରେ ୱେଲ୍ସର ଚାର୍ଲଟ୍ କ୍ୟାରେଙ୍କୁ ୪-୩ରେ ପରାସ୍ତ କରି ଅନ୍ତିମ ୮ ଖେଳାଳିଙ୍କ ମଧ୍ୟରେ ସାମିଲ୍ ହୋଇଛନ୍ତି । ତା’ଛଡ଼ା ପୁରୁଷ ଡବଲ୍ସ ଇଭେଣ୍ଟ୍ର ପ୍ରିକ୍ୱାର୍ଟର୍ ମୁକାବିଲାରେ ଅଚନ୍ତା ଶରତ କମାଲ୍-ସାଥିୟାନ୍ ଜି. ଯୋଡ଼ି ବାଂଲାଦେଶର ରମହିମ୍ଲିଆନ୍ ବାମ୍-ମୋହୁତାସିନ୍ ଅହମ୍ମଦ ରିଦୟ ଯୋନିକୁ ୩-୦ରେ ପରାସ୍ତ କରିଛି । ଆହୁରି ହରମିତ୍ ଦେସାଇ-ସାନିଲ୍ ଶେଟ୍ଟୀ ଯୋଡ଼ି ଅଷ୍ଟ୍ରେଲିଆର ଡିଲନ୍ ଚାମ୍ବର୍ସ-ଜିନ୍ ୟାନ୍ ଯୋଡ଼ିକୁ ୩-୧ରେ ପରାସ୍ତ କରି ପୁରୁଷ ଡବଲ୍ସ କ୍ୱାର୍ଟର୍ରେ ପ୍ରବେଶ କରିଛି।