22.1 C
Bhubaneswar
Friday, January 10, 2025
Homeଓଡିଶାହାଇୟର ସେକେଣ୍ଡାରୀ ସ୍କୁଲରେ ପିଲାଙ୍କ ଲାଗି ବାୟୋମେଟ୍ରିକ ହେବ ବାଧ୍ୟତାମୂଳକ

ହାଇୟର ସେକେଣ୍ଡାରୀ ସ୍କୁଲରେ ପିଲାଙ୍କ ଲାଗି ବାୟୋମେଟ୍ରିକ ହେବ ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟର ସବୁ ହାଇୟର ସେକେଣ୍ଡାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଲାଗି ବାୟୋମେଟ୍ରିକ ବାଧ୍ୟତାମୂଳକ କରିବାକୁ ଗଣଶିକ୍ଷା ବିଭାଗ ଯୋଜନା କରୁଥିବା ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୫୦ଟି କଲେଜରେ ଏହା ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି । ଏଣିକି ଜୁନିୟର କଲେଜ ଗୁଡିକରେ ଶ୍ରେଣୀରେ ଅଧ୍ୟାପକମାନେ ଉପସ୍ଥାନ ନେବା ପୂର୍ବରୁ ଛାତ୍ରଛାତ୍ରୀମାନେ କଲେଜରେ ପହଞ୍ôଚବା ପରେ ବାୟୋମେଟ୍ରିକରେ ନିଜର ଉପସ୍ଥାନ ଦେବେ ଏବଂ କଲେଜ ଛୁଟି ହେବା ପରେ କିମ୍ବା ଯେତେବେଳେ ଘରକୁ ବାହାରିବେ ସେ ସମୟରେ ପୁଣି ବାୟୋମେଟ୍ରିକରେ ଉପସ୍ଥାନ ଦେଇ କଲେଜ ଛାଡ଼ିବେ ।

ଫଳରେ ଛାତ୍ରଛାତ୍ରୀମାନେ ଦୈନିକ କଲେଜରେ କେତେ ସମୟ ଉପସ୍ଥିତ ରହୁଛନ୍ତି ଏବଂ କେତୋଟି କ୍ଲାସ୍ କରୁଛନ୍ତି ସେସବୁର ରିପୋର୍ଟ ରହିବା ସହ ପ୍ରତିବର୍ଷ ପରୀକ୍ଷା ପୂର୍ବରୁ ପିଲାଙ୍କ ଉପସ୍ଥାନ ବାୟୋମେଟ୍ରିକ ମାଧ୍ୟମରେ ସ୍ପଷ୍ଟ କରାଯିବ । ସର୍ବନିମ୍ନ ୭୫ପ୍ରତିଶତରୁ କମ୍ ଉପସ୍ଥାନ ରହିଲେ ପିଲାଙ୍କୁ ପରୀକ୍ଷା ଲାଗି ଅନୁମତି ଦିଆଯିବ ନାହିଁ । ଏହାବ୍ୟତୀତ ପ୍ରତିମାସରେ କଲେଜରେ ପିଲାଙ୍କର ଉପସ୍ଥାନ କେତେ ରହିଥିଲା, ତାହା କଲେଜ ନୋଟିସ୍ ବୋର୍ଡରେ ଦର୍ଶାଯିବ । ପ୍ରତି ୬ମାସର ଉପସ୍ଥାନକୁ ନେଇ ସମୀକ୍ଷା କରାଯିବ ଏବଂ ପିଲାଙ୍କର ଉପସ୍ଥାନ ଯଦି ୭୫ପ୍ରତିଶତରୁ କମ୍ ରହେ ତେବେ ଅଭିଭାବକଙ୍କୁ ଅବଗତ କରାଯିବ ।

ପ୍ରକାଶଥାଉ କି, ଗତ କିଛି ବର୍ଷ ହେବ ରାଜ୍ୟରେ ଜୁନିୟର କଲେଜରେ ପିଲାଙ୍କ ଉପସ୍ଥାନକୁ ନେଇ ସମସ୍ୟା ସୃଷ୍ଟି ହୋଇଛି । ବିଶେଷକରି କଳା ବିଭାଗର ପିଲାମାନଙ୍କର ଉପସ୍ଥାନ ବର୍ଷକୁ ୪୦ପ୍ରତିଶତ ରହୁଥିବା ବେଳେ ବିଜ୍ଞାନ ବିଭାଗର ପିଲାଙ୍କ ଦ୍ୱିତୀୟବର୍ଷରେ ଉପସ୍ଥାନ ଅତ୍ୟନ୍ତ କମ ରହୁଛି । ବିଶେଷକରି ବିଜ୍ଞାନ ବିଭାଗର ପିଲାମାନେ କୋଚିଂ ପ୍ରତି ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୫୭ ପ୍ରତିଶତ ପିଲା ଯୁକ୍ତ ଦୁଇ ୨ୟ ବର୍ଷରେ କଲେଜ ଆସୁନାହାନ୍ତି । କେବଳ ପ୍ରାକ୍ଟିକାଲ କ୍ଲାସକୁ ବାଦ୍ ଦେଲେ ଥିଓରୀ କ୍ଲାସରେ ପିଲାଙ୍କ ଉପସ୍ଥାନ ସଂଖ୍ୟା ଆଶାତୀତ କମ୍ ରହୁଥିବା ଜଣାପଡ଼ିଛି । ଫଳରେ ଫର୍ମ ପୂରଣ ସମୟରେ ବିଭିନ୍ନ ସମସ୍ୟା ହେଉଥିବା ବେଳେ ଆଉକିଛି କଲେଜରେ ପିଲ।।ମାନେ ଅସତ୍ ଉପାୟରେ ସେମାନଙ୍କର ଉପସ୍ଥାନ ବଢ଼ାଇଦେଉଛନ୍ତି । ଏପରି ସମସ୍ୟାରେ ରୋକ୍ ଲଗାଇବା ଲାଗି ବାୟୋମେଟ୍ରିକ ବ୍ୟବସ୍ଥା ଆରମ୍ଭ ହେଉଥିବା ଜଣାପଡ଼ିଛି ।

ରାଜ୍ୟର ୩୦ଟି ଜିଲ୍ଲାରେ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ କଲେଜ ସଂଖ୍ୟା ପ୍ରାୟ ୨୦୬୫ ରହିଛି । ଏଥିରୁ ଖୋର୍ଦ୍ଧାରେ ସର୍ବାଧିକ ୧୫୫ଟି କଲେଜ ଥିବାବେଳେ ବାଲେଶ୍ୱରରେ ୧୪୮, କଟକରେ ୧୨୭, ଗଞ୍ଜାମରେ ୧୩୦, ଯାଜପୁରେ ୧୦୯, ମୟୂରଭଞ୍ଜରେ ୧୨୮ଟି କଲେଜ ରହିଛି । ତେବେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, କଟକ, ଗଞ୍ଜାମ, ବରଗଡ, ଭଦ୍ରଖ, ବୌଦ୍ଧ, ଦେବଗଡ଼, ପୁରୀ, କନ୍ଧମାଳ, କେନ୍ଦ୍ରାପଡ଼ା ଜିଲ୍ଲାରେ ପିଲାଙ୍କ ଲାଗି ବାୟୋମେଟ୍ରିକ ବ୍ୟବସ୍ଥା କଲେଜରେ ରହିବ । ୨୦୨୩ରୁ ଏହି ବ୍ୟବସ୍ଥା ରାଜ୍ୟର ସବୁ କଲେଜରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଗତ ୫ବର୍ଷ ହେବ ସବୁ ଜୁନିୟର କଲେଜରେ ଅଧ୍ୟାପକ, କର୍ମଚାରୀଙ୍କ ଲାଗି ବାୟୋମେଟ୍ରିକ ବ୍ୟବସ୍ଥା କରାଯାଇଛି । କୋଭିଡ ଲାଗି ଗତ ୨ବର୍ଷ ହେବ ଏହି ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା । ପୁଣି ଏବେ କଲେଜରେ ଆରମ୍ଭ କରାଯାଇଛି । ସେହିପରି ପିଲାଙ୍କ ଲାଗି ଏହି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଯୁକ୍ତଦୁଇ ସ୍ତରରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକଶିକ୍ଷାରେ ପିଲାଙ୍କ ଲାଗି ଭିନ୍ନ ଭିନ୍ନ ବାୟୋମେଟ୍ରିକ ବ୍ୟବସ୍ଥା କରାଯିବ । ଫଳରେ ପ୍ରଥମ ପର୍ଯ୍ୟାୟରେ ଯେଉଁ କଲେଜଗୁଡିକୁ ଚିହ୍ନଟ କରାଯିବ ସମ୍ପୃକ୍ତ କଲେଜରେ ପିଲାଙ୍କ ଲାଗି ସର୍ବନିମ୍ନ ୫ଟି ଲେଖାଏଁ ବାୟୋମେଟ୍ରିକ ବ୍ୟବସ୍ଥା ରହିବ । ତେବେ ପ୍ରଥମ ପର୍ଯ୍ୟାୟରେ ଯେଉଁ ୬୫୦ କଲେଜରେ ବାୟୋମେଟ୍ରିକ ବ୍ୟବସ୍ଥା ହେବ ତା’ର ତାଲିକା ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତି ବାୟୋମେଟ୍ରିକ ମେସିନ୍‌ର ଦାମ୍ ପ୍ରାୟ ୧୩ହଜାର ଥିବାବେଳେ ଯେଉଁ ସବୁ କଲେଜରେ ୫ଟି ଲେଖାଏଁ ବାୟୋମେଟ୍ରିକ ବ୍ୟବସ୍ଥା କରାଯିବ ସେହି ଅର୍ଥ କିଏ ବହନ କରିବ ତାକୁ ନେଇ ଚର୍ଚ୍ଚା ହେଉଛି । ଏହି ବ୍ୟବସ୍ଥା ସମ୍ପର୍କରେ ଏକ ଜୁନିୟର କଲେଜର ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପୂର୍ବରୁ ଏପରି ବ୍ୟବସ୍ଥା ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୋଜନା ହୋଇଥିଲା । ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ତେବେ ଯୁକ୍ତଦୁଇ ପିଲାଙ୍କ ଲାଗି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ରହିଛି । ଏହା କାର୍ଯ୍ୟକାରୀ ହେଲେ ପିଲାଙ୍କ ମଧ୍ୟରେ ଭୟ ରହିବ ଏବଂ କ୍ଲାସରେ ପିଲାଙ୍କ ଉପସ୍ଥାନ ସଂଖ୍ୟା ମଧ୍ୟ ବଢ଼ିବ । ବାୟୋମେଟ୍ରିକ ବ୍ୟବସ୍ଥା ଦ୍ୱାରା ଶ୍ରେଣୀ ଶିକ୍ଷାଦାନ ସଠିକ ରହିବା ସହ କଲେଜରେ ପ୍ରତିଦିନ ପିଲାମାନେ କେତେ ସମୟ ରହୁଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇପାରିବ । ବିଶେଷରି ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ଏହି ବ୍ୟବସ୍ଥା ବେସ୍ ସହାୟକ ହୋଇପାରିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking