ମା’ ମାନେ ଆଗେଇ ଆସନ୍ତୁ , ଦାୟିତ୍ୱ ନିଅନ୍ତୁ
ଆପଣ ମାନଙ୍କ ଆଶୀର୍ବାଦ ରହିଲେ
ବିଜୁ ଜନତା ଦଳ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡିଶାର ସେବା କରିଚାଲିବ : ନବୀନ ପଟ୍ଟନାୟକ
ଓଡିଶା ବାସୀଙ୍କ ବିଶ୍ୱାସ ଆମର ଶକ୍ତି.
ମା ମାନଙ୍କ ଉନ୍ନତି ହିଁ ଓଡିଶାକୁ ଆଗକୁ ନେଇଯିବ
ପୁରୀ : ପବିତ୍ର ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରରେ ମହାଆଡମ୍ବରରେ ବିଜେଡି ପାଳିଛି ୨୫ତମ ପ୍ରତିଷ୍ଠା ଦିବସ । ୨୬ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଆଜି ବିଜେଡିକୁ ୨୫ ବର୍ଷ ପୂରିଛି । ରୌପ୍ୟ ଜୟନ୍ତୀ ପାଳନ କରିଛି ଦଳ । ଏଥିପାଇଁ ପୁରୀ ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହ ବିଜେଡିର ସବୁ ହେଭେିୱଟ ନେତା, ସାଂସଦ, ବିଧାୟକ ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟପଟେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ ହଜାରରୁ ଉର୍ଧ କର୍ମକର୍ତ୍ତା ସାମିଲ ହୋଇଥିଲେ ଏହି ସମାବେଶରେ । ବିଜେଡି ପାଇଁ ଥିଲା ଆଜି ଏକ ଐତିହାସିକ ମୁହୁର୍ତ୍ତ ।
ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରରେ ବିଜେଡି ମହାସମାରୋହରେ ପାଳନ କରିଛି ରୋପ୍ୟ ଜୟନ୍ତୀ ଉତ୍ସବ । ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମକର୍ତ୍ତା ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଲୋକଙ୍କ ପାଇଁ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ । ପୁରୀ ଠାରେ ଆୟୋଜିତ ଏହି ଉତ୍ସବରେ ନୂଆବର୍ଷର ଶୁଭକାମନା ଜଣାଇବା ସହିତ ସମସ୍ତ ଦଳୀୟ କର୍ମକର୍ତା ମାନଙ୍କୁ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ କହିଥିଲେ ଯେ, ଆପଣମାନେ ଆଦିବାସୀ, ଦଳିତ, ଚାଷୀ ଓ ମହିଳାମାନଙ୍କ ପାଇଁ ଭଲ କାମ କରନ୍ତୁ । ଓଡ଼ିଶାରେ ମା ମାନଙ୍କୁ ମିଶନଶକ୍ତି ସ୍ୱତନ୍ତ୍ର ପରିଚୟ ଦେଇଛି ।
ଓଡ଼ିଶାର ମା ମାନେ ଚାହିଁଲେ ବିଜେଡି ୨୫ କି ୫୦ ବର୍ଷ ନୁହେଁ ୧୦୦ ବର୍ଷ ଯାଏ ରହିବ । ଏଥିସହ ଆମ ସ୍ୱପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯୋଗ କରନ୍ତୁ । ଓଡ଼ିଶା ଅତୀତରେ କେଉଁଠି ଥିଲା ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି, ତାହା ସାରା ବିଶ୍ୱ ଜାଣିଛି । ବିଜେଡି ଏବେ ଆଉ ଦଳ ନୁହଁ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଓଡ଼ିଶାର ଉନ୍ନତି ସହ ସ୍ୱଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା । ମହିଳା ସଶକ୍ତିକରଣକୁ ଆମ ଦଳ ଓ ସରକାର ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛି । ଓଡ଼ିଶାବାସୀ ଦୀର୍ଘ ୨୫ ବର୍ଷ ହେବ ଆମକୁ ସେବା କରିବାକୁ ସୁଯୋଗ ଦେଇଛନ୍ତି । ଏ ସୁଯୋଗ ଦେଇଥିବାରୁ ଆମେ ରାଜ୍ୟବାସୀଙ୍କ ନିକଟରେ ଋଣୀ । ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ଆମ ପାଇଁ ବଡ଼ ପୁଞ୍ଜି । ଯେଉଁମାନେ ଓଡ଼ିଶାର ବିକାଶ ଚାହାଁନ୍ତି, ସେମାନେ ବିଜେଡିରେ ମିଶନ୍ତୁ ତେଣିକି ସେମାନେ ଯେକୌଣସି ବୃତ୍ତିରେ ଥାଆନ୍ତୁ । ଏଥିସହ ରାଜ୍ୟର ସ୍ୱାର୍ଥ, ସ୍ୱାଭିମାନ, ସଂସ୍କୃତି ସହ ବିଜୁ ବାବୁଙ୍କ ଆଦର୍ଶ ଓ ସ୍ୱପ୍ନ କୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଆଜି ଦିବା ୧୨ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ତାଳବଣିଆ ହେଲିପ୍ୟାଡ଼ ରେ ଅବତାରଣା କରିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ସଭାସ୍ଥଳ କୁ ପାଛୋଟି ନିଆଯାଇଥିଲା । ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ଦେବୀପ୍ରସାଦ ମିଶ୍ରଙ୍କ ସହ ଦଳର ଛାମୁଆଁ ସଂଗଠନର ପ୍ରମୁଖ ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡି?, ପ୍ରଣବ ପ୍ରକାଶ ଦାସ, ମହେଶ୍ୱର ମହାନ୍ତି ଓ ମୁନା ଖାଁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଆସିବା ପୂର୍ବରୁ ବିଜେଡିର ବରିଷ୍ଠ ନେତୃବୃନ୍ଦ ମାନେ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବା ସହ ରାଜ୍ୟର ବୃହତର ସ୍ୱାର୍ଥ ପାଇଁ ଦଳର କର୍ମକର୍ତ୍ତା ଓ ନେତାମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ପୁରୀ ତାଳବଣିଆ ଠାରେ ଆୟୋଜିତ ଏହି ମହାସମାବେଶରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ନେତୃ ବୃନ୍ଦ, ଛାମୁଆ ସଂଗଠନର ମୁଖ୍ୟ, ମନ୍ତ୍ରୀ ଓ ସାଂସଦ ତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ତାର ସମସ୍ତ ନିର୍ବାଚିତ କର୍ମକର୍ତ୍ତା, ଜିଲ୍ଲା ଓ ବ୍ଲକର କର୍ମକର୍ତ୍ତା ଓ କର୍ମୀ ମାନେ ପ୍ରମୁଖ ଯୋଗ ଦେଇଥିଲେ ।
ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟର ପ୍ରମୁଖ ନେତୃବୃନ୍ଦ, ଛାମୁଆ ସଂଗଠନ, ମନ୍ତ୍ରୀ, ନେତା ଓ ୫୦ହଜାର ରୁ ଅଧିକ ଦଳୀୟ କର୍ମୀ ମାନେ ଏହି ମହାସମାରୋହରେ ଏକତ୍ରିତ ହୋଇଥିଲେ । ଆଗାମୀ ୨୦୨୪ ରେ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ନେତା ଓ କର୍ମୀମାନେ ଏହି ଦିବସକୁ ଉତ୍ସାହର ସହ ମହାସମାରୋହରେ ଏହାକୁ ପାଳନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ କର୍ମୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ରୁ ଉର୍ଦ୍ଧ୍ୱ ଅଧିକାରୀ ମୁତୟନ ହୋଇଥିଲେ ।