15.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶବିହାରରେ ଜାତିଭିତ୍ତିକ ଜନଗଣନା ସର୍ଭେ ରିପୋର୍ଟ ଜାରି; ୨୭% ପଛୁଆ ଏବଂ ୩୬% ନିତାନ୍ତ ପଛୁଆ

ବିହାରରେ ଜାତିଭିତ୍ତିକ ଜନଗଣନା ସର୍ଭେ ରିପୋର୍ଟ ଜାରି; ୨୭% ପଛୁଆ ଏବଂ ୩୬% ନିତାନ୍ତ ପଛୁଆ

ପାଟନା: ଦେଶର ପ୍ରଥମ ରାଜ୍ୟଭାବେ ବିହାରରେ ସୋମବାର ଜାତିଭିତ୍ତିକ ଜନଗଣନା ରିପୋର୍ଟକୁ ସାର୍ବଜନୀନ କରାଯାଇଛି । ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ରିପୋର୍ଟକୁ ସୋମବାର ଉନ୍ମୋଚନ କରିଛନ୍ତି । ଉକ୍ତ ରିପୋର୍ଟ ଅନୁଯାୟୀ ବିହାରରେ ୨୭ ପ୍ରତିଶତ ଲୋକ ପଛୁଆ ବର୍ଗର (ଓବିସି) ହୋଇଥିବାବେଳେ ୩୬ ପ୍ରତିଶତ ଅତ୍ୟନ୍ତ ପଛୁଆ ବୋଲି ଜଣାପଡିଛି । ଏମାନଙ୍କ ବ୍ୟତୀତ ୧୯.୭ ପ୍ରତିଶତ ତଫସିଲଭୁକ୍ତ ଜାତିର ହୋଇଥିବାବେଳେ ୧.୭ ପ୍ରତିଶତ ହେଉଛନ୍ତି ଆଦିବାସୀ । ସାଧାରଣ ବର୍ଗ ଲୋକଙ୍କ ସଂଖ୍ୟା ୧୫.୫ ପ୍ରତିଶତ । ବିହାରର ମୋଟ ଜନସଂଖ୍ୟା ୧୩.୧ କୋଟିରୁ ଅଧିକ । ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଯାଦବ ସଂପ୍ରଦାୟ ହେଉଛନ୍ତି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ପଛୁଆ ବର୍ଗ । ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏହି ସଂପ୍ରଦାୟରେ ସାମିଲ ଅଛନ୍ତି । ରାଜ୍ୟରେ ଓବିସି (ପଛୁଆ ବର୍ଗ) ଜନସଂଖ୍ୟାର ୧୪.୨୭ ପ୍ରତିଶତ ହେଉଛନ୍ତି ଯାଦବ । ବର୍ତ୍ତମାନ ଓବିସିଙ୍କ ପାଇଁ ସର୍ବାଧିକ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି । ସର୍ଭେରେ ପଛୁଆ ଓ ଅତ୍ୟନ୍ତ ପଛୁଆ ବର୍ଗ ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତରୁ ସାମାନ୍ୟ ଅଧିକ ହୋଇଥିବାବେଳେ ସଂରକ୍ଷଣ ବ୍ୟବସ୍ଥାକୁ ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଛି । ବିହାର ରାଜନୀତିରେ ଓବିସିଙ୍କ ପ୍ରଭାବ ସମ୍ପର୍କରେ ମଧ୍ୟ ରିପୋର୍ଟରେ ଆଲୋକପାତ କରାଯାଇଛି ।

ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ ପାଇବାପରେ ଖୁବଶୀଘ୍ର ୯ ଦଳୀୟ ମହାମେଣ୍ଟ ସରକାର ବୈଠକରେ ଏହା ଆଲୋଚନା କରାଯିବ ବୋଲି ନୀତୀଶ ସୂଚନା ଦେଇଛନ୍ତି । ଏ ପ୍ରସଙ୍ଗରେ ମତବ୍ୟକ୍ତ କରି ନୀତୀଶ କହିଛନ୍ତି ଯେ ବିହାର ସରକାର ଦେଶରେ ଏକ ଇତିହାସ ସୃଷ୍ଟି କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଏହି ରିପୋର୍ଟକୁ ଦୀର୍ଘଦିନର ଆଶା ଓ ଆକାଂକ୍ଷା ବୋଲି କହିଛନ୍ତି । ଏହି ତଥ୍ୟକୁ ଆଧାର କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ନୀତି ଓ ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ କହିଛନ୍ତି । ବିଜେପି ଭଳି ଏକାଧିକ ବିରୋଧୀ ଦଳଙ୍କ ଚକ୍ରାନ୍ତ ସତ୍ତ୍ୱେ ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରାଯାଇପାରିଛି ବୋଲି ଲାଲୁ କହିଛନ୍ତି । ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ତଥା ବିହାରର ବିଜେପି ସାଂସଦ ଗିରିରାଜ ସିଂହ ଏହି ରିପୋର୍ଟକୁ ଧୂଆଁବାଣ ବୋଲି ଆକ୍ଷେପ କରିଛନ୍ତି । ରାଜ୍ୟ ବିଜେପି ସଭାପତି ସମ୍ରାଟ ଚୌଧୁରୀ କହିଛନ୍ତି ଯେ ଅତୀତରେ ଜେଡିୟୁ ଓ ବିଜେପି ମେଣ୍ଟ ସରକାରଙ୍କ ଅମଳରେ ଜାତିଭିତ୍ତିକ ଜନଗଣନା କାର୍ଯ୍ୟକ୍ରମର ମୂଳଦୁଆ ପଡିଥିଲା । ଆଜି ଜେଡିୟୁ ବିଜେପି ମେଣ୍ଟରୁ ଓହରିଯାଇଥିବାବେଳେ ଏଥିପାଇଁ ଡିଣ୍ଡିମ ପିଟୁଥିବା ସେ କହିଛନ୍ତି ।

ପଛୁଆ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥା ବୃଦ୍ଧି ପ୍ରସଙ୍ଗରେ ଚୌଧୁରୀ କହିଛନ୍ତି ଯେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ପ୍ରଥମେ ପଛୁଆ ବର୍ଗଙ୍କ ପାଇଁ ଏହା ପ୍ରଚଳନ କରିଥିଲେ । ପରବର୍ତ୍ତୀ ସମୟରେ ମଣ୍ଡଳ କମିଶନ, ରୋହିଣୀ କମିଶନ ଏହାକୁ ନୂତନ ରୂପରେଖ ଦେଇଥିଲେ । ଏହି ସର୍ଭେ ଯୋଗୁଁ ବିଭିନ୍ନ ବର୍ଗର ଲୋକେ ଉପକୃତ ହେବେ ବୋଲି ନୀତୀଶ ଆଶାବ୍ୟକ୍ତ କରିଛନ୍ତି । ଅତୀତରେ ସବୁ ବିରୋଧୀ ଦଳ ଜାତୀୟସ୍ତରରେ ଜାତିଭିତ୍ତିକ ଜନଗଣନା କରିବାକୁ ଦାବି କରିଥିଲେ । ବିରୋଧୀ ‘ଇଣ୍ଡିଆ’ ମେଣ୍ଟରେ ମଧ୍ୟ ଜାତିଭିତ୍ତିକ ଜନଗଣନାକୁ ନେଇ ମତଭେଦ ଦେଖିବାକୁ ମିଳିଛି । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଏହାକୁ ବିରୋଧ କରିଥିବାବେଳେ କଂଗ୍ରେସ କିନ୍ତୁ ଏହାକୁ ସମର୍ଥନ କରିଛନ୍ତି । ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି ଆସନ୍ତା ନଭେମ୍ବରରେ ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କ ଦଳ କ୍ଷମତାକୁ ଆସେ, ତେବେ ଏହି ପ୍ରକ୍ରିୟା ନିଶ୍ଚିତଭାବେ ଆରମ୍ଭ କରାଯିବ । ପାଟନା ହାଇକୋର୍ଟ ଜାତିଭିତ୍ତିକ ଜନଗଣନା ସପକ୍ଷରେ ରାୟ ଦେଇଥିବାବେଳେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking