ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନ ଏବଂ ଡ୍ରିମ୍ ଗର୍ଲ ହେମା ମାଲିନିଙ୍କ ଫିଲ୍ମ ‘ବାଗବାନ୍’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ଏହି ଫିଲ୍ମ ଏକ ପାରିବାରିକ କାହାଣୀ ଉପରେ ଆଧାରିତ। ପିଲାମାନେ ବଡ଼ ହେଲା ପରେ ବାପାମାଆଙ୍କ ଠାରୁ କିପରି ଦୂରେଇ ଯାଆନ୍ତି, ଏହି କାହାଣୀ ଉପରେ ଫିଲ୍ମଟି ତିଆରି ହୋଇଥିଲା । ହେଲେ ଏହି ଫିଲ୍ମ ପାଇଁ ଅମିତାଭ ବଚ୍ଚନ ପ୍ରଥମ ପସନ୍ଦ ନଥିଲେ ।ଏକ ରିପୋର୍ଟ ଅନୁସାରେ, ଫିଲ୍ମ ‘ବାଗବାନ୍’ ରିଲିଜ୍ ହେବାର ୩୦ ବର୍ଷ ପୂର୍ବରୁ ଏହି ପାରିବାରିକ କାହାଣୀକୁ ନେଇ ଏକ ଫିଲ୍ମ କରିବାକୁ ବିଆର ଚୋପ୍ରା ସ୍ଥିର କରିଥିଲେ । ତେବେ ଡେନମାର୍କରେ ସେ ଜଣେ ମହିଳାଙ୍କୁ ଭେଟିଥିଲେ । ମହିଳାଙ୍କ ପିଲାମାନେ ତାଙ୍କୁ ଏଠି ଛାଡ଼ି ଚାଲିଯାଇଛନ୍ତି । ଏମିତିକି ତାଙ୍କୁ ଭେଟିବାକୁ ମଧ୍ୟ ଆସୁ ନଥିବା ସେ ବିଆର ଚୋପ୍ରାଙ୍କୁ କହିଥିଲେ । ଏହାପରେ ବିଆର ଚୋପ୍ରା ଏହି କାହାଣୀ ଉପରେ ଫିଲ୍ମ କରିବାକୁ ଚିନ୍ତା କରିଥିଲେ । ଏହି ଫିଲ୍ମର ମୁଖ୍ୟ ଚରିତ୍ର ରାଜ ମାଲହେତ୍ରାଙ୍କ ଭୂମିକାରେ ବିଆର ଚୋପ୍ରାଙ୍କର ପ୍ରଥମ ପସନ୍ଦ ଦିବଙ୍ଗତ ଅଭିନେତା ତଥା ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାର ଥିଲେ । ହେଲେ ସେହି ସମୟରେ ଏହି ଫିଲ୍ମଟି ତିଆରି ହୋଇପାରି ନଥିଲା । ୩୦ ବର୍ଷ ପରେ ଫିଲ୍ମଟି ନିର୍ମିତ ହୋଇଥିଲା । ବିଆର ଚୋପ୍ରାଙ୍କ ଫିଲ୍ମରେ କାମ କରିପାରି ନଥିବାରୁ ଦିଲୀପ କୁମାର ଦୁଃଖ ପ୍ରକାଶ କରିଥିଲେ ।