ୱାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଙ୍ଗଳବାର ଜାତୀୟ ପରିବେଶ ନୀତି ଅଧିନିୟମ (ଏନ୍ଇପିଏ) ର କିଛି ଅଂଶ ପୁନଃ ସ୍ଥାପନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆଇନର କିଛି ଅଂଶ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଏବେ ଏସବୁକୁ ପୁଣି ଦୋହରାଇଛନ୍ତି ବାଇଡେନ୍ । ଟ୍ରମ୍ପ କହିଥିଲେ ଯେ, ଖଣି ପରି ବିକାଶମୂଳକ ଯୋଜନା ଯୋଗୁଁ ରାସ୍ତା ବିସ୍ତାର ପ୍ରଭାବିତ ହେଉଛି। ଏହି ଆଇନର ପୁନଃ ସ୍ଥାପନ ପରେ ରାଜପଥ, ପାଇପଲାଇନ ଏବଂ ଖଣି ଭଳି ଯୋଜନା ଅନୁମୋଦନ କରିବା ପୂର୍ବରୁ ଫେଡେରାଲ ଏଜେନ୍ସିଗୁଡ଼ିକୁ ସ୍ଥାନୀୟ ସମ୍ପ୍ରଦାୟକୁ ଅବଗତ କରାଇବାକୁ ପଡିବ।
ହ୍ୱାଇଟ୍ ହାଉସ୍ ସୂଚନାନୁଯାୟୀ, ବର୍ତ୍ତମାନ ଫେଡେରାଲ ଏଜେନ୍ସିଗୁଡ଼ିକୁ କୌଣସି ଯୋଜନା ଅନୁମୋଦନ କରିବା ପୂର୍ବରୁ କେତେ ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗତ ହେବ ସେ ସମ୍ବନ୍ଧରେ ସୂଚନା ସଂଗ୍ରହ କରିବାକୁ ପଡିବ। ଏହା ସହିତ ଜଳବାୟୁ ପରିବର୍ତ୍ତନ ହେତୁ ସେଠାରେ ଥିବା ରାଜପଥ, ବ୍ରିଜ୍ ଏବଂ ଭିତ୍ତିଭୂମି ଉପରେ ଏହାର ପ୍ରଭାବ କ’ଣ ରହିବ ସେ ଉପରେ ଆଲୋଚାନା କରାଯାଇଥିଲା । ଏହା ସହିତ ପରିବେଶ ଗୁଣବତ୍ତା ପରିଷଦ ମଧ୍ୟ ଦେଖିବ ଯେ ଯୋଜନାଗୁଡିକ ଅନୁମୋଦନ କରୁଥିବା ଏଜେନ୍ସିମାନେ ଏହା ଦ୍ୱାରା ପ୍ରଭାବିତ ସମ୍ପ୍ରଦାୟକୁ ଅନୁମୋଦନ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି ବୋଲି । ତେବେ ରିପବ୍ଲିକାନ୍ ପାର୍ଟିର କିଛି ନେତା ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ସେ କହିଛନ୍ତି ଯେ ଏହି ଅତିରିକ୍ତ ସମୀକ୍ଷା ବିକାଶ ଯୋଜନା କାର୍ୟ୍ୟକାରୀ କରିବାରେ ଅନାବଶ୍ୟକ ବିଳମ୍ବ ଘଟାଇବ। ଅନେକ ପରିବେଶ ବିପର୍ୟ୍ୟୟ ପରେ ୧୯୭୦ ରେ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ ସରକାରଙ୍କ ଦ୍ୱାରା ଜାତୀୟ ପରିବେଶ ନୀତି ଅଧିନିୟମ ଅନୁମୋଦନ କରାଯାଇଥିଲା। ଭିତ୍ତିଭୂମି ବିକାଶ କରୁଥିବାବେଳେ ପରିବେଶ ସହିତ ସମନ୍ୱୟ ରକ୍ଷା କରିବା ଏହି କାର୍ୟ୍ୟର ମୂଳ ଉଦ୍ଦେଶ୍ୟ ଥିଲା ।