27.4 C
Bhubaneswar
Monday, July 21, 2025
HomeUncategorizedସରକାରଙ୍କୁ ଭର୍ତ୍ତୃହରିଙ୍କ ସମାଲୋଚନା

ସରକାରଙ୍କୁ ଭର୍ତ୍ତୃହରିଙ୍କ ସମାଲୋଚନା

ଭୁବନେଶ୍ୱର,(ଓଏନଏ): କଟକ ଖାନନଗର ଅଂଚଳରେ ନୂତନ ବସ ଟର୍ମିନାଲ ନେଇ ବିଜେଡି ଭିତରେ ଦେଖାଦେଇଛି ବିଭେଦ । ସରକାରଙ୍କ ଏହି ପଦକ୍ଷେପ କଟକ ସାଂସଦ ଭର୍ତ୍ତୃହରି ମହତାବ ବିରୋଧ କରିଥିବା ବେଳେ ରାଜ୍ୟସଭା ସାଂସଦ ସୁବାଷ ସିଂ ସମର୍ଥନ କରିଛନ୍ତି । ପୂର୍ବରୁ ବିଜେପି ଏହି ବସ ଟର୍ମିନାଲ ନେଇ ପ୍ରତିବାଦ କରିଥିଲା । ଭର୍ତ୍ତୃହରିଙ୍କ ବିରୋଧ ପରେ ଏହି ଘଟଣା ଏବେ ରାଜନୈତିକ ମୋଡ ନେଇଛି । ଖାନନଗରରେ ବସ ଟର୍ମିନାଲକୁ ନେଇ ସ୍ଥାନୀୟ ଲୋକେ ବି ବିରୋଧ କରୁଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେବା ପରେ ଭର୍ତ୍ତୃହରିଙ୍କ ବିରୋଧ ପରିସ୍ଥିତିକୁ ଅଧିକ ଜଟିଳ କରିଛି । ବସଷ୍ଟାଣ୍ଡ ସଂପର୍କରେ ସବିଶେଷ ଆଲୋଚନା ଓ ଅନୁଜ୍ଞାନ କରାଯାଇନଥିବା ଭର୍ତ୍ତୃହରି ମହତାବ କହିଛନ୍ତି । ସେ ସୂଚାଇ ଦେଇଛନ୍ତି ଯେ, ସରକାର ଯେଉଁ କାମ କରୁଛନ୍ତି, ତାହା ମନଇଚ୍ଛା କରୁଛନ୍ତି । କାହାରି ମତାମତ ନେଉନାହାନ୍ତି କି କାହା ସହ ଆଲୋଚନା କରୁନାହାନ୍ତି । ଜନସାଧାରଣଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିଲେ ବି ଲୋକପ୍ରତିନିଧି ମାନଙ୍କ ମତାମତ ନିଆଯାଉନାହିଁ । ଭର୍ତ୍ତୃହରିଙ୍କ ଏଭଳି ଆକ୍ଷେପ ସରକାରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ସିଧାସଳଖ ଭାବେ ଏପରି ବିରୋଧ କରିବା ପଛରେ ନିଶ୍ଚୟ କାରଣ ରହିଛି ବୋଲି ଅନେକ ମତ ଦେଉଛନ୍ତି । କିନ୍ତୁ ଏ କ୍ଷେତ୍ରରେ ଦଳର ଅନ୍ୟତମ ସାସଂଦ ସୁବାଷ ସିଂ ସରକାରଙ୍କ ପଦକ୍ଷେପକୁ ପୂର୍ଣ୍ଣ ସମର୍ଥନ ଜଣାଇବାରୁ ଦଳୀୟ ବିଭେଦ ପଦାରେ ପଡିଛି ।
ନିକଟରେ ମୁଖ୍ୟମନ୍ତ୍ରୀ କଟକ ନୂତନ ବସ ଟର୍ମିନାଲ ସଂପର୍କରେ ଘୋଷଣା କରିବା ସହ ଶୁଭ ଦେଇଛନ୍ତି । ନେତାଜୀ ସୁଭାଷ ବୋଷଙ୍କ ନାଁରେ ଏହି ବସ ଷ୍ଟାଣ୍ଡକୁ ନାମିତ କରିଛନ୍ତି । ନେତାଜୀଙ୍କ ଜୟନ୍ତୀରେ କଟକ ଯାଇ ନବୀନ ଏହି କାର୍ଯ୍ୟକ୍ରମର ଶୁଭ ଦେଇଥିଲେ ।
ଏହି ଘଟଣାକୁ ନେଇ ଭର୍ତ୍ତୃହରି କହିଛନ୍ତି, ‘ବର୍ତମାନ ଖାନନଗରରେ ଯେଉଁ ବସଷ୍ଟାଣ୍ଡ ହେବାକୁ ଯାଉଛି, ଯାହାର ଶୁଭ ମୁଖ୍ୟମନ୍ତ୍ରୀ ଦେଇଛନ୍ତି, ଏ ସଂପର୍କରେ ଟିକିଏ ଅଧିକ ଚର୍ଚ୍ଚା କରିବାର ଆବଶ୍ୟକ ଥିଲା । ମୋ ପାଖରେ ଯାହା ଖବର ମୁଖ୍ୟ ଶାସନ ସଚିବଙ୍କ ପ୍ରକୋଷ୍ଠରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି । ଗୁଗୁଲ ମ୍ୟାପ ଜରିଆରେ କେତେ ସରକାରୀ ଜାଗା ସେଠି ଅଛି ସେ ସଂପର୍କରେ ତଥ୍ୟ ନିଆଯାଇ ଶୁଭ ଦିଆଯାଇଛି । ଯଦି ସ୍ଥାନୀୟ ଅଧିବାସୀ ଓ ଲୋକପ୍ରତିନିଧିଙ୍କ ସହ ଚର୍ଚ୍ଚା ହୋଇଥାନ୍ତା ତାହେଲେ ଆମେ ତାକୁ ଅଧିକ ଭଲଭାବରେ କରିପାରିଥାନ୍ତୁ । ୧୨ ଶହ ବସ୍ ଏବେ ଅଛି । ଆଗକୁ ଅଧିକ ବସ ମଧ୍ୟ ଆସିବ । କେଉଁବାଟେ ଆସିବ ? ଲିଙ୍କ ରୋଡ ବାଟେ ଆସିବ ନା ଖାନନଗର ବାଟେ ଆସିବ’ ? ଖାନନଗରର ଭୌଗୋଳିକ ସ୍ଥିତି ଯାହା ତାହା ଉପଯୁକ୍ତ ନୁହେଁ ବୋଲି ସେ ଜଣାଇବାକୁ ଚାହିଁଛନ୍ତି । ଭର୍ତ୍ତୃହରି ଏଥିରେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି, ବାସ୍ତବ ଚିତ୍ରକୁ ଅନୁଧ୍ୟାନ କରାଯାଉନାହିଁ । ସଚିବାଳୟର ୪ କାନ୍ଥ ଭିତରେ ବସି ନିଷ୍ପତ୍ତି ନିଆଯାଉଛି । ଏହାଦ୍ୱାରା ଅଯଥା ସରକାରୀ ଅର୍ଥ ବା ଜନସାଧାରଣଙ୍କ ଟିକସ ଅର୍ଥ ର ଅପବ୍ୟୟ କରାଯାଉଥିବା ନେଇ ସେ ଏକପ୍ରକାର ସୂଚନା ଦେଇଛନ୍ତି ।

ରାଜ୍ୟସଭା ସାଂସଦ ସୁବାଷ ସିଂ କହିଛନ୍ତି, ସବୁକଥାକୁ ଅନୁଧ୍ୟାନ କରି, ଏ ଜାଗାକୁ ଦେଖି, ତାହାର ଆକଳନ କରି, ସବୁ କଥାକୁ ଅନୁଧ୍ୟାନ କରିବା ପରେ ଯାଇ ଏହି ନିଷ୍ପତି ନିଆଯାଇଛି । ଦେଢବର୍ଷ ଭିତରେ ଏହି କାର୍ଯ୍ୟ ସରିବ । ଏଥିପାଇଁ ୬୫ କୋଟି ଟଙ୍କା ଆକଳନ କରାଯାଇଛି । ୧୨ ଏକର ଜାଗା ଥିବା ଚିହ୍ନଟ କରାଯାଇଛି । ସମସ୍ତ ପରାମର୍ଶକ୍ରମେ ସବୁ ଆଲୋଚନା ପରେ ନିତିଗତ ନିଷ୍ପତ୍ତି ନିଆଯାଇ ଶୁଭ ଦିଆଯାଇଛି । କଟକବାସୀଙ୍କ ପାଇଁ ଏହା ସବୁଠାରୁ ଗୌରବ । ଏହା ପୁଣି ନେତାଜୀଙ୍କ ନାଁରେ ହେବାକୁ ଯାଉଛି । ଏ ପ୍ରକଳ୍ପ ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟ ଓ ଗୌରବର ବିଷୟ । କଟକ ପାଇଁ ଏହା ଗୌରବର କଥା ବୋଲି ସୁବାଷ କହିଛନ୍ତି ।
ବିଜେପିର କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଏସଂପର୍କରେ କହିଛନ୍ତି ଯେ, ଆମେ ବସଷ୍ଟାଣ୍ଡକୁ ବିରୋଧ କରିନାହୁଁ । ଏହାର ଯଥାର୍ଥତା ସଂପର୍କରେ ପ୍ରଶ୍ନ କରିଛୁ । ସେହି କଥା ତାଙ୍କ ଦଳର ସାଂସଦ ମଧ୍ୟ କହିଛନ୍ତି । ଗୋପାଳପୁର ବାଲିକୁଦା ଅଂଚଳରେ ବସ ଟର୍ମିନାଲ ପାଇଁ ୪୦ ଏକର ଜାଗା ଚିହ୍ନଟ ହୋଇଥିଲା । ତାକୁ ଛାଡି ଖାନନଗର ଅଂଚଳରେ ୧୦ ଏକରରେ କିପରି କରାଯିବ । ଏଠାରେ ଟ୍ରାଫିକ ସମସ୍ୟା ଅଧିକ ରହିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking