31.1 C
Bhubaneswar
Friday, September 13, 2024
Homeଦେଶ ବିଦେଶଖାଦ୍ୟ ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଛି

ଖାଦ୍ୟ ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଛି

ସୁଦାନ୍‌: ଯୁଦ୍ଧଗ୍ରସ୍ତ ଆଫ୍ରିକୀୟ ଦେଶ ସୁଦାନରେ ମହିଳାମାନଙ୍କୁ କେଉଁ ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ସେସମ୍ପର୍କରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଆରଏସ୍‌ଏଫ୍ ସେନା ଦ୍ୱାରା ନିର୍ଯ୍ୟାତିତ ମହିଳାମାନେ ସେମାନଙ୍କ ସହ ଘଟିଥିବା ଅକଥନୀୟ ଯନ୍ତ୍ରଣା ସମ୍ପର୍କରେ ବଖାଣିଥିବା ଆପ୍ ବିତି ସମ୍ପର୍କରେ ଚିତ୍ରଣ କରାଯାଇଛି । ନିଜ ଭୋକିଲା ପିଲାମାନଙ୍କ ପେଟକୁ ଟିକେ ଖାଦ୍ୟ ଯୋଗାଇଦେବା ପାଇଁ ସେମାନଙ୍କୁ କିପରି ଯୁଦ୍ଧ ସୈନିକମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା, ସେମାନଙ୍କୁ କିପରି ସୈନିକଙ୍କ ସହ ଶାରୀରିକ ସମ୍ପର୍କ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡା ହୋଇ ରହିବାକୁ ପଡୁଥିଲା ସେସବୁ ସମ୍ପର୍କରେ ଏହି ରିପୋର୍ଟ ଦର୍ଶାଇଛି । ସୁଦାନ୍‌ରୁ ଖସିଆସିବାରେ ସଫଳ ହୋଇଥିବା ପ୍ରାୟ ୧୦/୧୨ଜଣ ମହିଳା ଏସମ୍ପର୍କରେ ସୂଚନା ଦେବାପରେ ବାସ୍ତବତା ସମସ୍ତଙ୍କ ସମ୍ମୁଖକୁ ଆସିଛି ।
ଗାର୍ଡ଼ିଆନ୍ ରିପୋର୍ଟ ଅନୁସାରେ ଗତ ବର୍ଷ ଏପ୍ରିଲ୍ ୧୫ରୁ ଦେଶତମାମ ଆରମ୍ଭ ହୋଇଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆରଏସ୍‌ଏଫ୍ ସୈନିକମାନେ ସ୍ଥାନୀୟ ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ କରୁଥିବାର ପ୍ରମାଣ ମିଳିଛି । ଏପରିକି ନିଜ ଭୋକିଲା ପିଲାଙ୍କୁ ପାଇଁ ଖାଦ୍ୟ ନେବାକୁ ହେଲେ ମହିଳାମାନଙ୍କୁ ସୈନିକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା ବୋଲି ମଧ୍ୟ ଜଣାପଡିଛି । ଯେଉଁ ମହିଳାମାନେ ସେଠାରୁ ଖସିଆସିବାରେ ସଫଳ ହୋଇଛନ୍ତି ସେମାନଙ୍କ କହିବାନୁସାରେ ଏବେ ବି ଏପ୍ରକାର ନାରକୀୟ ନିର୍ଯ୍ୟାତନା ଜାରି ରହିଛି । ମହିଳାମାନଙ୍କୁ ସୈନିକମାନେ ଶାରୀରିକ ଶୋଷଣ କରୁଛନ୍ତି । କେହି ମହିଳା ଯଦି ପ୍ରତିବାଦ କରନ୍ତି ତେବେ ତାଙ୍କ ଘର ପରିବାର ସଦସ୍ୟଙ୍କୁୂ ଏପରିକି ନିରୀହ ପିଲାମାନଙ୍କୁ ଉକ୍ତ ମହିଳାଙ୍କ ସମ୍ମୁଖରେ ହିଁ ହତ୍ୟା କରିଦିଆଯାଉଛି । ସ୍ଥିତି ଏପରି ହୋଇଛି ଯେ, ଏଠାରେ ନିଜ ପରିବାର, ନିଜ ପିଲାମାନଙ୍କୁ ବଞ୍ଚାଇ ରଖିବା ପାଇଁ ହେଲେ ଜଣେ ମହିଳା ପାଇଁ ସୈନିକଙ୍କ ସହ ଶାରୀରିକ ସମ୍ପର୍କ ହିଁ ଏକମାତ୍ର ବିକଳ୍ପ ରହିଛି । ସୈନିକମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ହିଁ ସେମାନଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଦିଆଯାଉଥିଲା, ଯାହାକୁ ସେମାନେ ବିକ୍ରି କରି ପରିବାର ଚଳାଉଥିଲେ ।
ସୂଚନାଯୋଗ୍ୟ, ଗତ ବର୍ଷ ଏପ୍ରିଲ ୧୫ରେ ସୁଦାନରେ ବିବାଦ ସୃଷ୍ଟି ହୋଇଥିଲା । କ୍ଷମତା ହାସଲ ପାଇଁ ସୁଦାନ ସେନା ଓ ଅର୍ଦ୍ଧସାମରିକ ବାହିନୀ (ରାପିଡ୍ ସପୋର୍ଟ ଷ୍ଟାଫ୍‌) ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା । ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ପ୍ରାୟ ୧,୫୦,୦୦୦ ଲୋକ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ସେହିପରି ଦେଶରେ ଏପ୍ରକାର ପରିସ୍ଥିତି ଯୋଗୁ ପ୍ରାୟ ୧୧ମିଲିଅନ୍ ଲୋକ ବିସ୍ଥାପିତ ହେବା ସହ ଖାଦ୍ୟ, ବାସଗୃହ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିଲେ । ତେବେ ଯୁଦ୍ଧ ଆରମ୍ଭର କିଛି ଦିନ ମଧ୍ୟରେ ମହିଳାମାନଙ୍କୁ ଏପରି ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରାଯାଇଥିବା ରିପୋର୍ଟ ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking