ମୁମ୍ବାଇ: ସୋମବାର ଏସିଆ କପ୍ ପାଇଁ ଘୋଷିତ ଭାରତୀୟ ଦଳରେ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ସ୍ଥାନ ପାଇପାରିନାହାନ୍ତି । ଏହାକୁ ନେଇ ଅଧିନାୟକ ରୋହିତ ଶର୍ମା କହିଥିଲେ ଯେ ଯଦି ବିଶ୍ୱକପ୍ ପ୍ରସ୍ତୁତି ପୂର୍ବରୁ ଜଣେ ଲେଗ୍ ସ୍ପିନର୍ଙ୍କ ଆବଶ୍ୟକତା ଅନୁଭବ ହୁଏ, ତେବେ ଚହଲଙ୍କୁ ନିଶ୍ଚିତ ଦଳରେ ସ୍ଥାନ ମିଳିବ ।
ଅନ୍ୟପଟେ ଚହଲଙ୍କୁ ସ୍ଥାନ ନ ମିଳିବା ପରେ ତାଙ୍କ ପତ୍ନୀ ଧନଶ୍ରୀ ବିସିସିଆଇକୁ କଡ଼ା ଟାର୍ଗେଟ କରିଛନ୍ତି । ଦଳରେ ସ୍ଥାନ ନ ପାଇବା ପରେ ଚହଲ ସୋସିଆଲ ମିଡିଆରେ ଏକ ଇମୋଜି ମାଧ୍ୟମରେ ନିଜର ନିରାଶା ପ୍ରକାଶ କରିଥିବାବେଳେ ତାଙ୍କ ଧନଶ୍ରୀ ଏକ ପୋଷ୍ଟ ଶେୟାର କରି ଏକ ତୀକ୍ଷ୍ଣ ପ୍ରଶ୍ନ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି, ମୁଁ ଗମ୍ଭୀରତାର ସହ ପ୍ରଶ୍ନ କରିବାକୁ ଚାଁହୁଛି- ଅତ୍ୟଧିକ ନମ୍ର ହେବା କ୍ୟାରିୟର୍ର ଅଭିବୃଦ୍ଧି ପାଇଁ କ୍ଷତିକାରକ କି? ଜୀବନରେ ଆଗକୁ ବଢ଼ିବା ପାଇଁ ଆମ ସମସ୍ତଙ୍କୁ ଅତ୍ୟଧିକ ସ୍ମାର୍ଟ ହେବାକୁ ପଡ଼ିବ କି? ଚହଲଙ୍କ ବାବଦରେ କହିବାକୁ ଗଲେ ଚଳିତବର୍ଷ ସେ ମାତ୍ର ଦୁଇଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ଓ ତିନିଟି ୱିକେଟ୍ ନେଇଛନ୍ତି ।