27.1 C
Bhubaneswar
Thursday, June 27, 2024
Homeଓଡିଶାସରକାରଙ୍କ ପାଇଁ ‘ବାଲେଶ୍ୱର’ ସତର୍କ ଘଣ୍ଟି

ସରକାରଙ୍କ ପାଇଁ ‘ବାଲେଶ୍ୱର’ ସତର୍କ ଘଣ୍ଟି

ଭୁବନେଶ୍ୱର: ବାଲେଶ୍ୱରରେ ଘଟିଥିବା ହିଂସା ନୂଆ ବିଜେପି ସରକାରଙ୍କ ପାଇଁ ଏକ ସତର୍କ ଘଣ୍ଟି ବୋଲି କୁହାଯାଉଛି । ଏହି ଘଟଣାକୁ ସରକାର ଅଣଦେଖା କଲେ ଏବଂ ଏହା ଉପରେ ଅନୁଧ୍ୟାନ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଭବିଷ୍ୟତରେ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ଆଣିବ ବୋଲି ଅନେକ ମତ ଦେଉଛନ୍ତି । ନୂଆ ସରକାରଙ୍କ ମୁଣ୍ଡରେ ଏ ଯେଉଁ ଦାଗ ଲାଗିଲା ସେଥିପାଇଁ ଦାୟୀ କିଏ ତାହା ମଧ୍ୟ ଖୋଜି ବାହାର କରିବା ଜରୁରୀ । କାରଣ ସରକାର ସିନା ନୂଆ କିନ୍ତୁ ପ୍ରଶାସନରେ ଥିବା ଅଧିକାରୀମାନେ ନୂଆ ନୁହଁନ୍ତି । ଯେପରି ଘଟଣା ଘଟିଲା ଏହା ପଛରେ କିଛି ଅଧିକାରୀଙ୍କ ଷଡ଼ଯନ୍ତ୍ର ନଥିବ ବୋଲି ଅସ୍ୱୀକାର କରାଯାଇ ପାରିବ ନାହିଁ । ସେମାନେ କିଭଳି ଭାବରେ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନ ନେଲେ ଏବଂ ଘଟଣା ପରେ ବି ଯେପରି କଠୋର ପଦକ୍ଷେପ ନିଆହେବା କଥା ସେଥିରେ ହେଳା କରାଯାଇଥିବା ନେଇ ଅନେକ ମତ ଦେଉଛନ୍ତି ।

ଗତକାଲି ବକ୍ରି ଇଦ୍ ଥିଲା । ଏଣୁ ରାଜ୍ୟର ଯେଉଁ ସବୁ ସ୍ପର୍ଷ କାତର ଅଞ୍ଚଳ ରହିଛି ସେ ସବୁଠାରେ ଅତି ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ ଥିଲା । ଏହା ପ୍ରଶାସନର ଏକ ସ୍ୱଭାବିକ ପ୍ରକ୍ରିୟା । ଏଥିରେ ହେଳା କରାଯାଇଛି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ ହେବା ଦରକାର । ଏହି ଘଟଣାକୁ ସହଜରେ ଛାଡ଼ିଦେବା ଉଚିତ ନୁହେଁ । ବାଲେଶ୍ୱରର ସୁନାହାଟ ବଜାର ପୋଲିସ ଥାନା ବେଶି ଦୂର ନୁହେଁ । ସେଠାରେ ଏକ ପୋଲିସ ଫାଣ୍ଡି ମଧ୍ୟ ରହିଛି । ଇଦ୍ ଥିବା ଦୃଷ୍ଟିରୁ ପୋଲିସକୁ ଏଥିନେଇ ଅଧିକ ସକ୍ରିୟତା ସହ କାର୍ଯ୍ୟ କରିବା ଦରକାର ଥିଲା । ତାହା କରାନଯିବା ପଛରେ କ’ଣ ରହସ୍ୟ ରହିଛି ତାହା ବି ଯାଞ୍ଚ ହେବା ଦରକାର । ସରକାର ୧୨ ତାରିଖରେ ଶପଥ ନେଲେ । ୧୭ ତାରିଖରେ ଏହି ଘଟଣା ଘଟିଲା । ପ୍ରଶାସନକୁ ବୁଝିବା ପାଇଁ ନିଶ୍ଚିତ ଭାବରେ ସମୟ ଲାଗିବ । ହେଲେ ଯେଉଁ ଅଧିକାରୀମାନେ ରହିଛନ୍ତି ସେମାନେ ନୂଆ ନୁହଁନ୍ତି । ସେ ପୋଲିସ ବିଭାଗର ଅଧିକାରୀମାନେ ହୁଅନ୍ତୁ କି ଘରୋଇ ବିଭାଗର ଅଧିକାରୀମାନେ ହୁଅନ୍ତୁ ସେମାନଙ୍କ ପାଇଁ ଏହା ଥିଲା ଗୁରୁଦାୟିତ୍ୱ । ଗୋଟିଏ ସରକାର ଯାଉଛି ଆଉ ଏକ ସରକାର ଆସୁଛି ଏଇ ଘଡ଼ିସନ୍ଧି ମୂହୂର୍ତ୍ତକୁ ଗଣ୍ଡଗୋଳକାରୀମାନେ ଅନାଇ ବସିଥାଆନ୍ତି । ସୁଯୋଗ ପାଇଲେ ସେମାନେ ଅଶାନ୍ତି ସୃଷ୍ଟି କରିଥାଆନ୍ତି । ଏକଥା ବି କୁହାଯାଉଛି ନୂଆ ସରକାରଙ୍କୁ ବଦ୍‌ନାମ କରି ଦାଗ ଲଗାଇବା ପଛରେ କିଛି ଷଡ଼ଯନ୍ତ୍ର ନାହିଁନ୍ତ । ଏବେ ବି ପୂରୁଣା ସରକାରଙ୍କ ମାନିଆ କିଛି ଅଧିକାରୀଙ୍କ ମୁଣ୍ଡରୁ ଯାଇ ନାହିଁ । ହୁଏତ ସେମାନେ ସୁଯୋଗରେ ଏପରି ପଦକ୍ଷେପ ନେଇ ପାରିଥାଆନ୍ତି । ବାଲେଶ୍ୱର ଏସ୍‌ପିଙ୍କ ଠାରୁ ଆରମ୍ଭ କରି ଡିଆଜି ଓ ଅନ୍ୟ ଅଧିକାରୀମାନେ କେହି ନୂଆ ନୁହଁନ୍ତି କିମ୍ବା ନୂଆ ଭାବରେ ନିଯୁକ୍ତ ପାଇ ନାହାଁନ୍ତି । ଗୁଇନ୍ଦା ତଥ୍ୟ ଥିଲା କି ନାହିଁ ତାହା ବି ଅନୁଧ୍ୟାନ ହେବା ଦରକାର ବୋଲି କୁହାଯାଉଛି ।

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ପରେ ପରେ ଯେଭଳି ପଦକ୍ଷେପ ନିଆଯିବା କଥା ସେପରି ହୋଇ ନଥିବା ନେଇ ସ୍ଥାନୀୟ କିଛି ବ୍ୟକ୍ତି ମତ ରଖୁଛନ୍ତି । ପ୍ରଶାସନିକ ଅଧିକାରୀମାନେ ଘଟଣାପରେ ୧୪୪ ଧାରା ଜାରି କରି ରହିଯିବା ଠିକ୍ ହେଲା ନାହିଁ । ଅଭିଜ୍ଞତା ସମ୍ପନ୍ନ ଅଧିକାରୀମାନେ ଯଦି ସଙ୍ଗେ ସଙ୍ଗେ ପରିସ୍ଥିତିକୁ ଅନୁଭବ କରି କର୍ଫ୍ୟୁ ଜାରି କରିଥା’ନ୍ତେ ତେବେ ପ୍ରଥମ ଘଟଣା ପରେ ରାତିରେ ଯେଉଁ ହିଂସା ଘଟିଲା ତାହା ହୋଇ ନ ଥାଆନ୍ତା ବୋଲି କିଛି ପୁରୁଣା ପୋଲିସ ଅଧିକାରୀ ମତ ଦେଉଛନ୍ତି । କାରଣ ଭଦ୍ରକ ଓ ଅନ୍ୟାନ୍ୟ ସ୍ଥାନରେ ଏଭଳି ଘଟଣାକୁ ବିଜେଡି ସରକାର ତତ୍‌କ୍ଷଣାତ ନିୟନ୍ତ୍ରଣ କରିଥିଲେ । ତତ୍‌କାଳୀନ ଘରୋଇ ସଚିବ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କଠୋର ପଦକ୍ଷେପ ନେଇଥିଲେ । କିନ୍ତୁ ଏ କ୍ଷେତ୍ରରେ ସେପରି କରାଯାଇଥିଲେ ହୁଏତ ପରବର୍ତ୍ତି ହିଂସା ଘଟି ନଥା’ନ୍ତା ବୋଲି କୁହାଯାଉଛି ।

ଏପରି ହିଂସା ଆଗରୁ ରାଜ୍ୟରେ ଅନେକ ଥର ଘଟିଛି । କିନ୍ତୁ ଏଠାରେ ଉଦ୍‌ବୋଧର ବିଷୟ ହେଉଛି ନୂଆ ସରକାର କ୍ଷମତାକୁ ଆସୁ ଆସୁ ଏଭଳି ଘଟଣା ଘଟିବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଘଟଣା ପରେ ପରେ ପୋଲିସ ପକ୍ଷରୁ ସୂଚନା ଦିଆଗଲା ପରିସ୍ଥିତି ନିୟନ୍ତ୍ରଣାଧିନ ଅଛି । କିନ୍ତୁ ଦେଖାଗଲା ରାତିରେ ପୁଣି ହିଂସା ଘଟିଲା । ଏଣୁ ନୂଆ ସରକାର ଏହାକୁ ଅତି ସତର୍କତା ସହ ଅନୁଧ୍ୟାନ କରି ପଦକ୍ଷେପ ନେଇ ଭବିଷ୍ୟତକୁ ସୁରକ୍ଷିତ ନ ରଖିଲେ ଏହି ପୋଲିସ ଅଧିକାରୀମାନ କେତେବେଳେ ବି ଫସାଇ ନଦେବେ ତାହା କହି ହେବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking