ନାରେନ ଓ ଖୋଲାନ ଗାଁ କନ୍ଟେନମେନ୍ଟ ଜୋନ ଘୋଷିତ
ବଲାଙ୍ଗୀର,- ବଲାଙ୍ଗୀର ଜିଲ୍ଲାରେ ଆଜି ୨ ଜଣ ନୂତନ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣେ ସଇଁନ୍ତଲା ବ୍ଲକର ହୋଇଥିବା ବେଳେ ଆଉ ଜଣେ ପାଟଣାଗଡ ବ୍ଲକର । ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଟା ଗାଁରୁ ଚିହ୍ନଟ ହୋଇଥିବା ୨୮ ବର୍ଷର ପୁରୁଷ ବାଙ୍ଗାଲୋର ଫେରନ୍ତା ହୋଇଥିବା ବେଳେ ସେ ଗତ ୧୧ ତାରିଖରୁ ହୋମ କ୍ୱାରେଣ୍ଟାଇନରେ ଥିଲେ । ସେହିପରି ପାଟଣାଗଡ ବ୍ଲକ ସୁନାମୁଦି ଗାଁରୁ ଚିହ୍ନଟ ହୋଇଥିବା ଜଣେ ୧୯ ବର୍ଷର ଯୁବକ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅଛନ୍ତି ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ତେବେ ସତର୍କତା ସ୍ୱରୁପ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାରେନ ଗାଁ ଓ ଖୋଲାନ ଗାଁ ର କିଛି ଅଂଚଳକୁ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଇତି ମଧ୍ୟରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଙ୍ଖ୍ୟା ୨୭୦ ଛୁଇଁ ଥିବା ବେଳେ ୫୫ କେସ ସକ୍ରିୟ ରହିଛି ଓ ୨୧୫ ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି ।
ମିଳିଲା ଷ୍ଟ୍ରିଟ୍ ଲାଇଟ୍ ଚୋରି ଭିଡିଓ, ଦୁଇ ଅଭିଯୁକ୍ତ ଗିରଫ
ବଲାଙ୍ଗୀର,- ବଲାଙ୍ଗୀର ସହର ଶାନ୍ତିପଡା ୱାଡ ନମ୍ବର ଦୁଇରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଚୋରୀ କରିଥିବା ଅଭିଯୋଗରେ ଟାଉନ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଆନନ୍ଦ ନଗର ଝୁପୁଡି ପଡାର ରାଧେଶ୍ୟାମ ନାଗ(୨୧) ଓ ଆଦର୍ଶପଡାର ଦୀପକ ନାଗ(୫୨) । ଏମାନଙ୍କ ନିକଟରୁ ପୁଲିସ ୪ ଟି ଷ୍ଟ୍ରିଟ ଲାଇଟ ଜବତ କରିବା ସହ ଏକ ମୋଟର ସାଇକଲ ମଧ୍ୟ ଜବତ କରିଛି । ପୁଲିସର ସୂଚନା ଅନୁଯାୟୀ , ଗତ ୧୩ ତାରିଖ ଚନ୍ଦ୍ରଶେଖର ନଗରରୁ ଅଜଣା ବ୍ୟକ୍ତି ଷ୍ଟ୍ରିଟ ଲାଇଓ ଚୋରୀ କରି ନେଇଥିବା ନେଇ ବଲାଙ୍ଗୀର ପୌର ପରିଷଦ ନିର୍ବାହୀ ଅଧିକାରୀ ବିପିନ ଦୀପ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରିଥିଲା । ତେବେ ଏହି ଦୁଇ ଅଭିଯୁକ୍ତ ଲାଇଟ ଚୋରୀ କରୁଥିବା ବେଳେ ସ୍ଥାନୀୟ ଅଂଚଳର କିଛି ବ୍ୟକ୍ତି ଭିଡିଓରେ ଏମାନଙ୍କ ଚିତ୍ର ଉତ୍ତୋଳନ କରି ନେଇଥିଲେ । ସେହି ଭିଡିଓରେ ଏମାନେ ବ୍ୟବହାର କରିଥିବା ମୋଟର ସାଇକଲର ଚିତ୍ର ଉତ୍ତୋଳିତ ହୋଇଥିଲା । ସେହି ଆଧାରରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନଙ୍କ ନାରେ ୩୭୯ ଓ ଆଇପିସିର ଧାରା ୩୪ ଅନୁଯାୟୀ ମାମାଲା ରୁଜୁ କରାଯାଇଛି ।