32.1 C
Bhubaneswar
Saturday, May 18, 2024
Homeଓଡିଶାରାଜ୍ୟ ଗୃହ, ନଗର ଉନ୍ନୟନ ବିଭାଗର ବିକଳ ଚିତ୍ର

ରାଜ୍ୟ ଗୃହ, ନଗର ଉନ୍ନୟନ ବିଭାଗର ବିକଳ ଚିତ୍ର

ବ୍ରହ୍ମପୁର: ରାଜ୍ୟ ସରକାର ସହରାଞ୍ଚଳର ବହୁବିଧ ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଳା ତଥା ବଡ଼ ସହରରେ ବିରାଟ ଭିତ୍ତିଭୂମିର ନିର୍ମାଣ ହୋଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଏବଂ ରାଜ୍ୟର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲା ଗଞ୍ଜାମରେ ପୌରାଞ୍ଚଳ ଉନ୍ନତି ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସହର ଯୋଜନା (ଟାଉନ୍ ପ୍ଳାନିଂ)କାର୍ଯ୍ୟାଳୟ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଥିବା ପରିଲକ୍ଷିତ ହୋଇଛି । ଗତ ୬ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଏହି କାର୍ଯ୍ୟାଳୟଟି ବାର ଦ୍ୱାର ଶୁଣ୍ଡିପିଣ୍ଡା ଭଳି ଏଠାକୁ ସେଠାକୁ ବୁଲି ଭଡାଘରେ ଅସ୍ତିତ୍ୱ ବଞ୍ଚାଇଛି ।

ଅନ୍ୟପକ୍ଷରେ ଏହି କାର୍ଯ୍ୟାଳୟରେ କର୍ମଚାରୀଙ୍କ ଘୋର ଅଭାବ ପରିଲକ୍ଷିତ ହୋଇଛି । ପ୍ରକାଶଯୋଗ୍ୟ ଯେ ସହରାଞ୍ଚଳ ଯୋଜନା ପାଇଁ ବହୁ ବୈଷୟିକ କର୍ମଚାରୀ, କିରାଣୀ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଆବଶ୍ୟକ ହୋଇଥିବା ବେଳେ ସଂପ୍ରତି ବ୍ରହ୍ମପୁର ଭାବାନଗର ତୃତୀୟ ଲାଇନରେ ଚାଲିଥିବା ଏହି କାର୍ଯ୍ୟାଳୟରେ ହାତ ଗଣତିରେ ୩ ଜଣ କର୍ମଚାରୀ ରହିଛନ୍ତି । ବିଡ଼ମ୍ବନାର ବିଷୟ ଏହି କି ଯେ ଏଠାରେ ଦାୟିତ୍ୱରେ ରହିଥିବା କନିଷ୍ଠ ଯନ୍ତ୍ରୀଙ୍କ ଉପରେ ଗଞ୍ଜାମ ଜିଲ୍ଳା ସମେତ ଆହୁରି ଭବାନୀ ପାଟଣା,ଜୟପୁର ସହରର ଦାୟିତ୍ୱ ମଧ୍ୟ  ପ୍ରଦାନ କରାଯାଇଛି । ସ୍ୱଳ୍ପ ସଂଖ୍ୟକ କର୍ମଚାରୀଙ୍କ ସହ ଗୁରୁତ୍ୱପୁର୍ଣ୍ଣ  କାର୍ଯ୍ୟ କେତେ ସଫଳତାର ସମାପନ ହେଉଛି ତାହା ସହଜେ ଅନୁମେୟ । କହିବା ବାହୁଲ୍ୟ ଯେ ଏହି କାର୍ଯ୍ୟାଳୟ ତରଫରୁ ଜିଲ୍ଳାର ୬ଟି ପୌରାଞ୍ଚଳର ଯୋଜନା ସଂପର୍କିତ ରିପୋର୍ଟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ ୨ ବର୍ଷ ହେଲା ପଠାଯାଇଛି । ଏ ଯାବତ୍ ସେଗୁଡିକୁ ଅନୁମୋଦନ ମିଳିନାହିଁ ।

ସେଥିମଧ୍ୟରେ ଜିଲ୍ଳାର କବିସୂର୍ଯ୍ୟନଗର, କୋଦଳା, ପୁରୁଷୋତ୍ତମପୁର, ଖଲ୍ଲିକୋଟ, ପୋଲସରା ଏବଂ ବୁଗୁଡ଼ା ରହିଛି । ଏଥିରୁ ବିଭାଗର ସହରାଞ୍ଚଳ ଉନ୍ନତି ପ୍ରତି କେତେ ଆନ୍ତରିକତା ରହିଛି ତାହା ସ୍ପଷ୍ଟ ଜଣାପଡ଼ୁଛି । ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ସହର ଅନ୍ୟ ବିକଶିତ ରାଜ୍ୟର ସହରାଞ୍ଚଳ ସହ ନାଗରିକ ସେବା ପ୍ରଦାନ କରିବା ନେଇ ପ୍ରତିଯୋଗିତା କରୁଥିବା କୁହାଯାଉଛି, କିନ୍ତୁ ତୃଣମୁଳ ସ୍ତରରେ ଏହାର ଚିତ୍ର ଠିକ୍ ଓଲଟା ରହିଛି । ସହର ଯୋଜନା ରିପୋର୍ଟ ପ୍ରଦାନ କରାଯିବା ବେଳେ ସଂପୃକ୍ତ ସହରର କେଉଁଠି ଡ୍ରେନେଜ ହେବ,କେଉଁଠି ସିୱରେଜ୍ ହେବ,କେଉଁଠି ଆବାସ ଗୃହ ନିର୍ମାଣ ହେବ,କେଉଁଠି ବାଣିଜ୍ୟ କଂପ୍ଳେ୍‌କ୍ସର ନିର୍ମାଣ ହେବ ତାହା ସ୍ୱଷ୍ଟ ଭାବେ ଉଲ୍ଲେଖ କରାଯିବ ଫଳରେ ଜନସାଧାରଣ ଏବଂ ପ୍ରଶାସନ, ଜନ ପ୍ରତିନିଧି ମାନେ ନିଜ ନିଜ ସ୍ତରରେ ପ୍ରସ୍ତୁତି କରିବେ ।

ଆଗାମୀ ଭବିଷ୍ୟତ ।ପାଇଁ ଯୋଜନା ପ୍ରସ୍ତୁତ କରିବେ । ଜିଲ୍ଳାରେ ଜନସଂଖ୍ୟା ପ୍ରତ୍ୟେକ ବର୍ଷ ବଢ଼ୁଥିବା ବେଳେ ରିପୋର୍ଟର ଅନୁମୋଦନ ବିଳମ୍ବ କରିବା ବିଭାଗର ଦକ୍ଷତା ପ୍ରତି ଅଙ୍ଗୁଳି ଦେଖାଉଛି ବୋଲି ଜିଲ୍ଳାର ବୁଦ୍ଧିଜୀବି ମହଲରେ ମତ ପ୍ରକ।।ଶ ପାଇଛି । ସହର ଗୁଡିକର ବିକାଶ ବାଧାପ୍ରାପ୍ତ ହେଉଛି । ଉଲ୍ଳେଖ ଯୋଗ୍ୟ ଯେ ବ୍ରହ୍ମପୁର ସ୍ଥିତ ସହର ଯୋଜନା କାର୍ଯ୍ୟାଳୟରେ ଥିବା ଅଧିକାରୀଙ୍କୁ ଭଞ୍ଜନଗର ସ୍ଥିତ “ଗଞ୍ଜାମ ରିଜିଓନାଲ ଇଂପ୍ରୁଭମେଣ୍ଟ ଟ୍ରଷ୍ଟ-ଗ୍ରୀଟ)ର ଦାୟିତ୍ୱ ଦିଆଯାଇଛି ।

ଏହି କାର୍ଯ୍ୟାଳୟ ଅଧିନରେ ଅନେକ କାର୍ଯ୍ୟ ରହିଥିବା ବେଳେ ଏଠାରେ ବି ସ୍ଥାୟୀ  କର୍ମଚାରୀଙ୍କ ଅଭାବ ରହିଛି । ଫଳରେ ହାତଗଣତିରେ ରହିଥିବା କର୍ମଚାରୀଙ୍କ ଉପରେ ଅସ୍ୱାଭାବିକ କାର୍ଯ୍ୟଭାର ରହୁଛି । ଏହାର ପରିଣତି ସ୍ୱରୁପ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି ।  ଦୀର୍ଘ ସମୟ ବ୍ୟବଧାନ ପରେ ରାଜ୍ୟରେ ପୌର ନିର୍ବାଚନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ  ସହରାଞ୍ଚଳ  ଭୋଟରଙ୍କ ଠାରୁ ଅଡ଼ୁଆ ପ୍ରଶ୍ନର ସମ୍ମୁଖୀନ ହେବା ପୁର୍ବରୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ, ଗଞ୍ଜାମ ଜିଲ୍ଳାପାଳ ଏଭଳି ଅବ୍ୟବସ୍ଥାକୁ ସୁଧାରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking