ମେଲ୍ବର୍ଣ୍ଣ : ନିଜର ଉଜ୍ଜ୍ୱଳମୟ କ୍ୟାରିୟର୍ର ଅନ୍ତିମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଖେଳୁଥିବା ଭାରତର ତାରକା ମହିଳା ଟେନିସ୍ ଖେଳାଳି ସାନିଆ ମିର୍ଜା ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ରେ ରନର୍ସଅପ୍ ହୋଇଛନ୍ତି । ଶୁକ୍ରବାର ସେ ଓ ତାଙ୍କ ପୁରୁଷ ଯୋଡ଼ିଦାର ରୋହନ୍ ବୋପନ୍ନା ମିକ୍ସଡ ଡବଲ୍ସ ଫାଇନାଲ୍ରେ ବ୍ରାଜିଲ୍ ଯୋଡ଼ି ଲୁଇସା ଷ୍ଟେଫାନି-ରାଫେଲ୍ ମାଟୋସ୍ଙ୍କଠାରୁ ୬-୭,୨-୬ରେ ପରାସ୍ତ ହୋଇ ଦ୍ୱିତୀୟ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛନ୍ତି । ମ୍ୟାଚ୍ ପରେ ସେ ବ୍ରାଜିଲ୍ ଯୋଡ଼ି ସେମାନଙ୍କ ସଫଳତା ପାଇଁ ବଧେଇ ଦେବା ସହ ଟେନିସ୍ ଜଗତରେ ତାଙ୍କର ଯାତ୍ରା ସମ୍ପର୍କରେ କହିବା ସମୟରେ କୋହ ସମ୍ବରଣ କରିପାରି ନ ଥିଲେ । ମେଲ୍ବର୍ଣ୍ଣରେ ତାଙ୍କର ପେସାଦାର ଟେନିସ୍ ଜୀବନର ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଠାରେ କ୍ୟାରିୟର୍ ଶେଷ କରିବାର ସୁଯୋଗ ମିଳିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ । ତାଙ୍କ ପୁତ୍ର ସମ୍ମୁଖରେ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳିବେ ବୋଲି କଦାପି ସ୍ୱପ୍ନରେ ବି ଭାବି ନ ଥିଲେ ହେଁ ତାହା ବାସ୍ତବରେ ପରିଣତ ହୋଇଥିବାରୁ ସେ ବେଶ୍ ଖୁସି ବୋଲି ସାନିଆ କହିଥିଲେ । ସାନିଆ ତାଙ୍କ କ୍ୟାରିୟର୍ରେ ଏଠାରେ ଏକାଦଶ ଥର ପାଇଁ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ରେ ପହଞ୍ଚିଥିଲେ । ୩୬ ବର୍ଷୀୟା ସାନିଆ ମୋଟ ୪୩ଟି ଡବଲ୍ସ ଟାଇଟଲ୍ ହାସଲ କରିଛନ୍ତି, ଯେଉଁଥିରେ ୬ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ରହିଛି । ସେହିପରି ମହିଳା ଡବଲ୍ସରେ ୯୧ ସପ୍ତାହ ଧରି ସେ ବିଶ୍ୱର ଏକ ନମ୍ବର ଖେଳାଳି ଭାବେ ରହିଆସିଥିଲେ ।