ଭୁବନେଶ୍ୱର: ପୂର୍ବଶତ୍ରୃତାକୁ କେନ୍ଦ୍ର କରି ନିଜ ସମ୍ପର୍କୀୟଙ୍କୁ ଶିଳପୁଆରେ ଛେତି ହତ୍ୟା ଉଦ୍ୟମ ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗଜେନ୍ଦ୍ର ନାୟକ । ତାଙ୍କ ଘର ଗଣ୍ଡମୁଣ୍ଡା ତାରିଣୀ ବସ୍ତିରେ । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତଙ୍କର ତାଙ୍କର ଜେଜେ ଶଶୁରଙ୍କ ସହିତ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ନିକଟ ଅତୀତରେ ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ପରସ୍ପରଙ୍କୁ ଧମକ ଦେଇ ଆସୁଥିଲେ । ଅଭିଯୁକ୍ତଏବଂ ତାଙ୍କର ବାପା ଗଣ୍ଡମୁଣ୍ଡା ତାରିଣୀ ବସ୍ତିକୁ ଆସିଥିଲେ ଏବଂ ତାଙ୍କର ଜେଜେ ଶଶୁର ରୋହିତ ନାୟକ ଓ ତାଙ୍କର ସ୍ତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଆକ୍ରମଣ ମଧ୍ୟ କରିଥିଲେ ।
ଏହି ଘଟଣାକୁ ନେଇ ପଡୋଶୀ ଅଭିଯୋଗକାରୀ ରୋହିତ ନାୟକଙ୍କୁ ଉଦ୍ଧାର କରିବାକୁ ଚେଷ୍ଠା କରିବାରୁ ଅଭିଯୁକ୍ତ ଏବଂ ତାଙ୍କର ବାପା ମିଳିତ ଭାବରେ ଅଭିଯୋଗକାରିଙ୍କୁ ଗାଳି କରିବା ସହ ଏକ ଶିଳପୁଆ ରେ ହତ୍ୟା କରିବା ଉଦେଶ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଅଭିଯୋଗକାରୀ ଅଚେତ ହୋଇଯିବାରୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଖଣ୍ଡଗିରି ଥାନା ପୁଲିସ ତଦନ୍ତ କରିବା ସହ ବିଶେଷ ସୂତ୍ରରୁ ଖବର ପାଇ ତାରିଣୀ ବସ୍ତିରୁ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲେ ।