ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ଉଦ୍ୟମ ମାମଲାର ଆଜି ଏସିଜେଏମ୍ କୋର୍ଟ ଜଜ୍ ଅନୁପମ୍ ପାତ୍ର ଶୁଣାଣି କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ୬ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେମାନେ ହେଲେ ପି.କୃଷ୍ଣ ଚନ୍ଦ୍ର ପାତ୍ର, ସଞ୍ଜୟ ପ୍ରଧାନ, କାଳିଆ ସେଠୀ, ପିଙ୍କୁ ପାତ୍ର, ଦେବ ପାତ୍ର ଓ ବସନ୍ତ ପାତ୍ର । ଏହି ମାମଲାର ବିଚାରଣା ବେଳେ ମୋଟ ୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା । ସୂଚନାଯୋଗ୍ୟ ଯେ ଗତ ୨୦୧୦ ଜୁଲାଇ ୬ ତାରିଖ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ଶ୍ରୀରାମ ନଗର ଅଞ୍ଚଳର ଧୀର ସାମଲ ଓ ତାଙ୍କ ଭାଇ ଭାଲୁ ସାମଲଙ୍କୁ ଆକ୍ରମଣ କରିଥିଲେ ।
ଏହା ସହ ତାଙ୍କ ଘର ନିକଟାରେ ଅଭିଯୁକ୍ତମାନେ ବୋମା ମାଡ଼ କରିବା ସହ ମାରଣାଅସ୍ତ୍ର ଧରି ଉଭୟ ଭାଇଙ୍କୁ ଜୀବନରୁ ମାରି ଦେବା ନିମନ୍ତେ ଧମକ ଦେଇଥିଲେ । ଏ ନେଇ ଧୀରଙ୍କ ସ୍ତ୍ରୀ ଜୁଲି ସାମଲ ବଡ ବଜାର ଥନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ଅଭିଯୁକ୍ତମାନେ ଏହି ମାମଲରେ ଜାମିନରେ ମୁକୁଳିଥିଲେ । ଆଜି କୋର୍ଟ ଏହି ମାମଲାର ଶୁଣାଣି କରି ଉପରୋକ୍ତ ୬ଜଣ ଅଭିଯୁକ୍ତମାନଙ୍କୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶିଶିର କୁମାର ପାଢି ଓ ପ୍ରଦୀପ ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ ।