ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଏବଂ ତାଙ୍କ ମା’ଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସ୍ଥାନୀୟ ଥାନା ଅନ୍ତର୍ଗତ ପ୍ଲଟ ନଂ ୨୪୫ରେ ରହୁଥିବା ସୂର୍ଯ୍ୟପ୍ରସାଦ ବେହେରା (୨୬) ଓ ଭରତପୁର ଥାନା ଲେନ୦୫ରେ ରହୁଥିବା ଶଙ୍କର ମାଝୀ (୨୬) । ଗିରଫ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି ।
ସୂଚନାଯୋଗ୍ୟ ଯେ, ୧୫ତାରିଖ ଅପରାହ୍ଣରେ ଅଭିଯୋଗକାରିଣୀଙ୍କ ଝିଅ ରଜ ପାଳିବା ପାଇଁ ତାଙ୍କର ବାନ୍ଧବୀଙ୍କ ଘରକୁ ଯାଇଥିଲେ । ସେହି ସମୟରେ ଗିରଫ ଦୁଇ ଅଭିଯୁକ୍ତଦ୍ୱୟ ସେଠାକୁ ଆସିଥିଲେ । ପୀଡ଼ିତାଙ୍କୁ ଛାତ ଉପରେ ଥିବାର ଦେଖି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ।
ପୀଡ଼ିତା ଏନେଇ ଅଭିଯୋଗକାରିଣୀଙ୍କୁ ଘଟଣାସ୍ଥଳକୁ ଡାକିବାରୁ ଅଭିଯୁକ୍ତ ସୂର୍ଯ୍ୟ ଅଭିଯୋଗକାରିଣୀଙ୍କୁ ଏକ ଇଟାରେ ଆକ୍ରମଣ କରିଥିଲେ । ଏନେଇ ଭରତପୁର ଥାନାରେ ମାମଲା ରୁଜୁ ହେବା ପରେ ପଲିସ ତଦନ୍ତ କରି ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ଦୁହେଁ ସେମାନଙ୍କର ଅପରାଧ ସ୍ୱୀକାର କରିଥିବା ଜଣାପଡ଼ିଛି ।