ଭୁବନେଶ୍ୱର: ଦାଦାବଟି ବିରୋଧରେ କମିଶନରେଟ୍ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଦାଦାବଟିକୁ ନା’ ଅଭିଯାନରେ ପୂର୍ବରୁ ବହୁ ଅପରାଧି ଗିରଫ ହୋଇଥିବାବେଳେ ପୁଣି ଶନିବାର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଦାଦାବଟିକୁ କେନ୍ଦ୍ରକରି ହତ୍ୟା ଉଦ୍ୟମ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମଞ୍ଚେଶ୍ୱରରେ ରହୁଥିବା ଦଶପଲ୍ଲାର ଲିଟୁ ଓରଫ୍ ସୌମ୍ୟ ରଞ୍ଜନ ପରିଡା(୨୪) ଓ ଗୁଡୁ ଓରଫ୍ ତନ୍ମୟ ବେହେରା(୨୬) ।
ଅଭିଯୁକ୍ତଦ୍ୱୟଙ୍କ ଜାମିନ୍ ନାମଞ୍ଜୁର ହୋଇଯିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଚଙ୍କେଇଶିଆଣିରେ ରହୁଥିବା ନରେଶ ମହାପାତ୍ରଙ୍କର ଗଙ୍ଗୁଆ ବ୍ରିଜ ପାଖରେ ଗୋଟିଏ ଘର ଅଛି । ଯାହାକୁ ସେ କିଛି ଦୋକାନୀଙ୍କୁ ଭଡା ସୂତ୍ରରେ ଦେଇଛନ୍ତି । ସେଠାରେ ରଶ୍ମୀ ରଞ୍ଜନ ଲେଙ୍କା ନାମକ ବ୍ୟକ୍ତି ମଧ୍ୟ ଗୋଟିଏ ଓମଫେଡ୍ ପାର୍ଲର ଖୋଲିଛନ୍ତି । କିଛି ଦିନ ପୂର୍ବରୁ ଅଭିଯୁକ୍ତ ଲିଟୁ ଓ ଗୁଡୁ ତାଙ୍କ ସହଯୋଗୀ ମାନଙ୍କ ସହ ଯାଇ ସେଠାରେ ଦଦ ବଟି ମାଗୁଟିଲେ, କିନ୍ତୁ ଦୋକାନିମାନେ ଦେବାକୁ ମନା କରିବାରୁ ସେମାନେ ବାରମ୍ୱାର ଧମକ ଦେଇ ଆସୁଥିଲେ । ଗତ ୧୮ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ତାଙ୍କ ସହଯାଗୀମାନଙ୍କ ସହିତ ସେହି ଓମଫେଡ୍ ପାର୍ଲରକୁ ଯାଇି ୩୭୦ ଟଙ୍କାର ଜଳଖିଆ ଖାଇଥିଲେ ।
ହେଲେ ଦୋକାନୀ ପଇସା ମାଗିବାରୁ ସେମାନେ ନ ଦେଇ ନିଜକୁ ଗୋଟିଏ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗର ସଦସ୍ୟ ବୋଲି ଧମକ ଦେଇ ଦୋକାନର ଆସବାବପତ୍ର ସବୁ ଫିଙ୍ଗାଫୋପଡା କଲେ । ଅଟକେଇବାରୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ତେଣୁ ଦୋକାନୀ ଜଣକ ନରେଶଙ୍କୁ ଫୋନ କରି ଜଣେଇବାରୁ ସେ ପିସିଆର ଡକାଇ ଘଟଣାସ୍ଥଳକୁ ଯାଇଥିଲେ । ପିସିଆର ଦେଖି ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ନରେଶ ଘଟଣାସ୍ଥଳରୁ ଫେରୁଥିବା ସମୟରେ ଓଗଳମଣି ଠାକୁରାଣୀ ମନ୍ଦିର ପାଖରେ ତାଙ୍କୁ ଅଟକେଇ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରି ମାରିବାକୁ ଉଦ୍ୟମ କରିଥିଲେ । ଫଳରେ ନରେଶ ଏବଂ ତାଙ୍କ ପୁଅ ଆହତ ହୋଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଜମା ହୋଇଯିବାରୁ ସେମାନେ ଜାଗା ଛାଡି ଚାଲିଯାଇଥିଲେ ।
ଏ ନେଇ ସେମାନେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବା ପରେ ଆଜି ଦୁଇ ଅଭିଯୁକ୍ତ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ କାବୁ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତ ତନ୍ମୟ ବେହେରା ୨୦୧୯ ମସିହାରୁ ମଞ୍ଚେଶ୍ୱର ଥାନା ଓ ଗୁରୁଡିଝାଟିଆ ଥାନାର ଗୋଟିଏ ମାମଲାରେ ଜଡିତ ଅଛି । ସେ ଜଣେ ଅସାମାଜିକ ଚରିତ୍ର ତଥା ଅଭ୍ୟାସଗତ ଅପରାଧି ହୋଇଥିବାରୁ ତାଙ୍କ ବିରୋଧରେ ୧୧୦ ସିଆରପିସି ଦଫା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାର ପଦକ୍ଷେପ ନିଆଯାଉଛି ବୋଲି ପୋଲିସ କହିଛି ।