21.1 C
Bhubaneswar
Monday, November 18, 2024
Homeଓଡିଶାଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍ ଉଦ୍ୟମ : କର୍ମଚାରୀଙ୍କ ହାତକୁ ହାଣି ୩ ଦୁର୍ବୃତ୍ତ ବାଇକ୍ ଲୁଟିନେଲେ

ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍ ଉଦ୍ୟମ : କର୍ମଚାରୀଙ୍କ ହାତକୁ ହାଣି ୩ ଦୁର୍ବୃତ୍ତ ବାଇକ୍ ଲୁଟିନେଲେ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଅପରାଧ ଥମିବାର ନା ନେଉନାହିଁ । ଦୁର୍ବୃତ୍ତମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ବନ୍ଧୁକ ମୁନରେ କୋଉଠି ସୁନାହାର ଛିନ୍‌ତାଇ କରୁଛନ୍ତି ତ ଆଉ କୋଉଠି ବେପାରୀଙ୍କ ଠାରୁ ଟଙ୍କା ଲୁଟ୍ କରୁଛନ୍ତି । ଆଜି ମଧ୍ୟ ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସଦର ଥାନା ଅର୍ନ୍ତଗତ ବାଲିପାଳ ଧୂଷୁଳି ରାସ୍ତାରେ । ୩ଜଣ ଦୁର୍ବୃତ୍ତ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଆଜି ଅପରାହ୍ଣରେ ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ହେଲେ ବିଫଳ ହେବାରୁ ଉକ୍ତ କର୍ମଚାରୀଙ୍କ ହାତକୁ ଭୁଜାଲିରେ ହାଣି ତାଙ୍କ ବାଇକକୁ ନେଇ ଫେରାର ହୋଇଯାଇଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଏହି କର୍ମଚାରୀ ହେଉଛନ୍ତି ରଣସାହି ଝଗଡପାଡି ଅଞ୍ଚଳର ବିଦ୍ୟାଧର ସାମଲ(୩୪) । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନାରୁ ପ୍ରକାଶ, ବିଦ୍ୟାଧର ଏକ ମାଇକ୍ରୋ ଫାଇନାନ୍ସ ଡେଭଲପମେଣ୍ଟ ସୋସାଇଟିର କଲେକ୍‌ସନ ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତି । ଆଜି ବାଲିପାଳ ବୁଆଁଳଠାରେ ଗ୍ରୁପ ମିଟିଂ ଥିଲା । ତେବେ ସେ ମିଟିଂ ସାରି ଗ୍ରୁପ ଠାରୁ ୩୦ହଜାର ଟଙ୍କା କଲେକ୍‌ସନ କରି ବାଲିପାଳ ଧୂଷୁଳି ରାସ୍ତାରେ ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଗୋଟିଏ ପଲସରରେ ତିନି ଜଣ ଦୁର୍ବୃତ୍ତ ମୁହଁରେ କପଡା ବାନ୍ଧି ବିଦ୍ୟାଧରକୁ ଅଟକାଇ ତାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇନେବାକୁ ଉଦ୍ୟମ କରିଥିଲେ । ହେଲେ ସେ ଟଙ୍କା ବ୍ୟାଗକୁ ନଛାଡିବାରୁ ସେମାନେ ତାଙ୍କ ହାତକୁ ଭୁଜାଲି ଚୋଟ ମାରିଥିଲେ । ଫଳରେ ତାଙ୍କର ଡାହାଣ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସେ ଗାଡିକୁ ଛାଡି ଟଙ୍କା ବ୍ୟାଗ ସହ ଦୌଡି ପଳାଇବାରୁ ଦୁର୍ବୃତ୍ତମାନେ ତାଙ୍କ ବାଇକ ନଂ ଓଡ଼ି୦୧ଟି୧୮୫୭କୁ ନେଇ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଅଭିଯୋଗ ପାଇବା ପରେ ସଦର ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking