ବାଲେଶ୍ୱର : ସୋର ବ୍ଲକ ମାଣିପୁର ପଞ୍ଚାୟତ ଛତରା ବାଉପାଟଣା ଗ୍ରାମର ଜନୈକ ଯୁବକ ପୂର୍ଣ୍ଣଚନ୍ଦ୍ର ସାହୁ ସୋର ଷ୍ଟେସନକୁ ତା’ର ଦ୍ୱିତୀୟ ସ୍ତ୍ରୀ ଏବଂ ପୁଅକୁ ନେଇ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ଦୀର୍ଘ ଦିନ ଧରି ବିବାହଜନିତ ମାଲିମୋକଦ୍ଦମା ଲାଗିରହିଥିବା ପ୍ରଥମ ସ୍ତ୍ରୀର ବାପଘର ଲୋକ ଓ ସମର୍ଥକମାନେ ସେଠାରେ ପହଞ୍ଚି ନିସ୍ତୁକ ମାଡ଼ମାରି ଆହତ ଅବସ୍ଥାରେ ପୁଲିସ୍ ଜିମା ଦେଇଥିଲେ । ପୁଲିସ ପୂର୍ଣ୍ଣଚନ୍ଦ୍ରଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସା କରି ତାଙ୍କ ବିରୋଧରେ ଥିବା ପୂର୍ବ ପରୱାନା ବଳରେ ଗିରଫକରି ଆଜି କୋର୍ଟଚାଲାଣ କରିଛନ୍ତି । ଏ ସଂପର୍କରେ ପୂର୍ଣ୍ଣଚନ୍ଦ୍ରଙ୍କ ମା’ ସୋର ଥାନାରେ ପହଞ୍ଚି ପୁଅକୁ ମାଡ଼ମାରି ଖଣ୍ଡିଆ ଖାବରା କରିଥିବା ଲୋକମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ ସୁଦ୍ଧା ପୁଲିସ୍ ଏହାକୁ ଗ୍ରହଣ ନକରି ଫେରାଇ ଦେଇଥିବା ମା’ ରମ୍ଭାମଣି ସାହୁ ଅଭିଯୋଗ କରିଛନ୍ତି । ଏହି ଗ୍ରାମର ବଇନ ସାହୁଙ୍କ ପୁଅ ପୂର୍ଣ୍ଣଚନ୍ଦ୍ରଙ୍କ ସହିତ ଛତରା ଗ୍ରାମର ବଙ୍ଗାଳି ସାହୁଙ୍କ ଝିଅ ଲତାମଣିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।
ତାଙ୍କର ୮ବର୍ଷର ଗୋଟିଏ ପୁଅ ରହିଛି । ପୁଅ ଜନ୍ମର ୨ବର୍ଷ ପରେ ଶାଶୂ-ବୋହୂଙ୍କ ଭିତରେ ମତପାର୍ଥକ୍ୟ ହେବାରୁ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଶାଶୂ ବୋହୂ ଅଲଗା ହୋଇ ରହିଥିଲେ । ଏହାସତ୍ତ୍ୱେ ପୁଅ ବାବା ମା’ଙ୍କ ସହିତ ସଂପର୍କ ରଖିଥିବା କାରଣରୁ ପୁଅକୁ ଧରି ଲତାମଣି ବାପଘରକୁ ପଳାଇ ଯାଇଥିଲେ । ସେମାନଙ୍କ ଭିତରେ ବିବାଦ ନ ତୁଟିବାରୁ ଲତାମଣି ନିର୍ଯାତନା ଏବଂ ଭରଣପୋଷଣ ମକଦ୍ଦମା କରିବା ସହିତ ପୂର୍ଣ୍ଣଚନ୍ଦ୍ର ମଧ୍ୟ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ମାମଲା ରୁଜୁ କରିଛନ୍ତି । ଏହାପରେ କୋର୍ଟ ନିର୍ଦ୍ଦେଶରେ ବାର୍ଷିକ ୪୧ହଜାର ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା ।
ମାତ୍ର ଏହା ପୂର୍ଣ୍ଣଚନ୍ଦ୍ରଙ୍କର ରୋଜଗାରଠୁଁ ଅଧିକ ହୋଇଥିବାରୁ ଏହା ବିରୋଧରେ ହାଇକୋର୍ଟରେ ଅପିଲ କରିଥିଲେ । ହାଇକୋର୍ଟ ଏହି ମକଦ୍ଦମାକୁ ବିଚାର ପାଇଁ ଜିଲ୍ଲା ଜଜକୋର୍ଟକୁ ପଠାଇ ଦେଇଥିଲେ । ଏହା ବିଚାରାଧୀନ ଥିବାବେଳେ ପୂର୍ବ ନିର୍ଦ୍ଦେଶ ବଳରେ ଥାନାରେ ଗିରଫ ପରୱାନା ରହିଥିଲା । ଗତକାଲି ପୂର୍ଣ୍ଣଚନ୍ଦ୍ର ତାଙ୍କର ଦ୍ୱିତୀୟ ପତ୍ନୀ ହେମଲତା ଏବଂ ଶିଶୁ ପୁତ୍ରକୁ ସାଙ୍ଗରେ ଧରି ଷ୍ଟେସନରେ ପହଞ୍ଚିବା ପରେ ପ୍ରଥମ ପତ୍ନୀ ଲତାମଣିଙ୍କ ଭାଇ ଅଭିରାମ, ଟୁକୁନ ଏବଂ ତାଙ୍କର ସଂପର୍କୀୟମାନେ ପହଞ୍ଚି ପୂର୍ଣ୍ଣଚନ୍ଦ୍ରଙ୍କୁ ଧରି ନିସ୍ତୁକ ମାଡ଼ମାରି ଲହୁ ଲୁହାଣ କରି ଥାନା ଜିମା ଦେଇଥିଲେ ।