18.1 C
Bhubaneswar
Friday, November 22, 2024
Homeଓଡିଶାଶବ ଦାହ ପାଇଁ  ମିଳୁନି ଜାଗା : ଦୁଇ ପଡା ମଧ୍ୟରେ ମହାଭାରତ, ଶେଷରେ ଜୁଇ...

ଶବ ଦାହ ପାଇଁ  ମିଳୁନି ଜାଗା : ଦୁଇ ପଡା ମଧ୍ୟରେ ମହାଭାରତ, ଶେଷରେ ଜୁଇ ଜଳିଲା ନିଜ ଜମିରେ

ଅସ୍ତରଙ୍ଗ : ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ନଗର ମୌଜାର ଦିନାଡିଆରେ ଦୁଇଦିନରେ ଦୁଇଜଣଙ୍କ ମୃତ୍ୟୁ ପରେ ଶବଦାହ କରିବାକୁ ଜାଗା ମିଳୁନଥିବା ବେଳେ ଲାଗିରହିଛି ଉତ୍ତେଜନା । ସ୍ଥାନୀୟ ନୂଆକାଳିଆକଣ ଓ ଦିନାଡିଆ ମଧ୍ୟରେ ପରିସ୍ଥିତି ଏପରି ଉପୁଜିଛି ଯେ ମାନବିକତାର ସୀମା ଟପିଛି । ଗତକାଲି ଗୋଟିଏ ଶବ ୧୨ ଘଣ୍ଟା ପଡ଼ିରହି ଶେଷରେ ରାସ୍ତାକଡ଼ରେ ରାତି ପ୍ରାୟ ୧୧ଟାରେ ଦାହ କରାଯାଇଥିଲା । ପରିସ୍ଥିତିକୁ ଆଖିଆଗରେ ରଖି ଗତକାଲି ଠାରୁ ପୁଲିସ୍ ଫୋର୍ସ ପଇଁତରା ମାରୁଥିବା ବେଳେ ଆଜି ସେହି ଦିନାଡିଆରେ ପୂର୍ବରୁ କ୍ୟାନ୍ସର ପୀଡିତ ଆଉ ବୃଦ୍ଧ ବଇଁଶୀଧର ବେହେରା(୭୫)ଙ୍କର ଆଜି ସକାଳେ ତାଙ୍କର ମୃତ୍ୟୁ ହେବା ଓ ଶବଦାହ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତକାଲିର ବିବାଦୀୟ ଜାଗାରେ ଶବଦାହ ପାଇଁ ପ୍ରସ୍ତୁତ ହୁଅନ୍ତେ ପୁନଃ ଉତ୍ତେଜନା ଆରମ୍ଭ ହୋଇଯାଇଥିଲା । ଦୁଇ ପଡାରେ ମଧ୍ୟରେ ଶ୍ମଶାନକୁ ପୂର୍ବରୁ ବିବାଦ ରହିଥିବା ବେଳେ ଜିଦରେ ଅଟଳ ରହିବାରୁ ଗତକାଲି ଖଣ୍ଡ ଯୁଧ୍ୟ ହୋଇ ଅନେକ ଆହତ ହୋଇଥିଲେ । ଆଜି ପୁନଃ ଜଣଙ୍କର ମୃତ୍ୟୁ ହେବାରେ ଶବଦାହ ପାଇଁ ବିବାଦ ଉପୁଜି ଦିନ ୧୨ଟା ସୁଧା ପୁଣି ଉଗ୍ରରୂପ ଧାରଣ କରି ମହାଭାରତରେ ପରିଣତ ହୋଇଥିଲା ।

ଉଭୟପଟୁ ସୈନ୍ୟସାମନ୍ତ ପରି ମାଡିଆସି ପରସ୍ପରକୁ ଟେକାପଥର,ଭଙ୍ଗ କାଚବୋତଲ ଫିଙ୍ଗିଥିଲେ । ମୁଖ୍ୟ ରାସ୍ତାରୁ ନୂଆକାଳିଆକଣକୁ ଥିବା ମାଟି ରାସ୍ତା ଉପରେ ଦୀର୍ଘ ଦୁଇ ଘଣ୍ଟାକାଳ ଏଭଳି ଖଣ୍ଡଯୁଧ୍ୟ ହେବା ଦେଖିବାକୁ ମିଳିଥିଲା । ହଠାତ୍ ମୁଖ୍ୟ ରାସ୍ତାକୁ ମାଡିଆସି ରାସ୍ତାକଡରେ ଥିବା ଦୋକାନ ଭାଙ୍ଗିବା ସମେତ ଏକ ଓଷଧ ଦୋକାନ,ସିମେଣ୍ଟ ଦୋକାନରେ ନିଆଁ ଲଗାଇଦେଇଥିଲେ । ଅସ୍ତରଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଗାଡି ପହଞ୍ଚି ନିଆଁକୁ ଆୟତ କରିଥିଲେ । ସେହିପରି ରାସ୍ତା ଉପରେ ଚାରିଆଡେ ଇଟାପଥର,କାଚଗୁଣ୍ଡ ବିଛାଡ଼ି ହୋଇପଡିଛି । ସବୁଠାରୁ ବଡ଼କଥା ହେଲା ଏଭଳି କାଣ୍ଡକାରଖାନା ଚାଲିଥିବା ବେଳେ ଉପସ୍ଥିତ ପୁଲିସ୍ ପ୍ରଶାସନ କିଂ କର୍ତ୍ତବ୍ୟ ବିମୁଢ ପଛକୁ ଘୁଞ୍ଚିଆସିବା ଓ ପୁଲିସ୍ ସାମ୍ନାରେ ପ୍ରବଳ ଉତ୍ତେଜିତ ବ୍ୟକ୍ତି ମେଣ୍ଟାଲ ଓ ଭଙ୍ଗା କାଚ ବୋତଲ ଉତ୍ତେଜନା ସ୍ଥଳକୁ ବୋହିନେଉଥିଲା ମଧ୍ୟ ପୁଲିସ୍ ଦେଖିଲେ ବି ନିରୁପାୟ ଥିଲା ।

ଉତ୍ତେଜନା ସ୍ଥଳରେ ଅସ୍ତରଙ୍ଗ ଥାନା ଅଧିକାରୀ ବାମଦେବ ନନ୍ଦ ସମେତ ଏକାଧିକ ପୁଲିସ୍ କର୍ମଚାରୀ,ପୁଲିସ୍ ଫୋର୍ସ ଉପସ୍ଥିତ ଥିଲେ । କିଛି ସମୟ ପରେ ନିମାପଡା ଏସଡିପିଓ ଦେବାଶିଷ ମିଶ୍ର ଓ ତହସିଲଦାର୍ ରାଜଲକ୍ଷ୍ମୀ ନାୟକ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିବା ସମେତ ବୁଝାସୁଝା କରିଥିଲେ ।ଅନ୍ୟପକ୍ଷରେ ଏଭଳି ପରିସ୍ଥିତିରେ ୮ ଘଣ୍ଟା କାଳ ଘରେ ଶବ ପଡିରହିବା ପରେ ଶେଷରେ ନିଜ ଜମିରେ ଦାହ ପାଇଁ ଜୁଇ ଜାଳିବା ସୂଚନା ମିଳିଛି । ଗତ ଦୁଇଦିନ ଧରି ଏଭଳି ଉତ୍ତେଜନା ଲାଗିଥିବା ବେଳେ ଆପୋଷ ସମାଧା କରିବାକୁ କୌଣସି ନେତା ବା ଜନପ୍ରତିନିଧି ନପହଞ୍ଚିବା ସବୁଠୁ ବଡ ଦୁଃଖର ବିଷୟ ।ସେହିପରି ପୁଲିସ୍ ପ୍ରଶାସନ ଗତକାଲି ବା ଆଜିର ଘଟଣାରେ କାହିଁକି ନିରବ ରହିଲା ସେ କଥା ବି ବୁଝି ହେଉନି । ସେହିପରି କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନିଜ ପଞ୍ଚାୟତରେ ଗତକାଲି ଠାରୁ ଏଭଳି ଉତ୍ତେଜନା ଲାଗି ଆଜି ରଣକ୍ଷେତ୍ରରେ ପରିଣତ ହେବା ଅତ୍ୟନ୍ତ ଦୁଃଖଦାୟକ । ଏହି ଘଟଣା ତାଙ୍କ ନଜରକୁ ଆସିବା ପରେ ଘଟଣାକୁ ତୁରନ୍ତ ସେ କାହିଁକି ସମାଧାନ କରିବାକୁ ଉଦ୍ୟମ ନକଲେ ଯାହା ଆଜି ସର୍ବସାଧାରଣରେ ସମାଲୋଚାଆ କରାଯାଇ ଏକ ବିରାଟ ପ୍ରଶ୍ନବାଚୀ ଛିଡା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking