ରାଜଭବନ ଆଗରେ ମେଣ୍ଢାପଲ ଧରି ବିକ୍ଷୋଭ

କୋଲକାତା : ପଶ୍ଚିମବଙ୍ଗରେ କୋଲକାତା ନାଗରିକ ମଞ୍ଚ ନାମରେ ଏକ ସାମାଜିକ ସଂଗଠନ ପକ୍ଷରୁ ରାଜଭବନ ଆଗରେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବାର ଦିନକ ପରେ ରାଜ୍ୟପାଳ କୋଲକାତା ପୁଲିସ ମୁଖ୍ୟଙ୍କୁ କୈଫିୟତ୍ ତଲବ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସତ୍ତ୍ୱେ ଉଚ୍ଚ ପଦାଧିକାରୀମାନଙ୍କ ନିଷ୍କ୍ରିୟତା ଯୋଗୁଁ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହାର ପ୍ରତିବାଦରେ ଏହି ସଂଗଠନ ଗତ ମଙ୍ଗଳବାର ମେଣ୍ଢାପଲ ଧରି ରାଜଭବନର ଉତ୍ତର ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହି ସମୟରେ ସେଠାରେ ବ୍ୟାପକ ପୁଲିସ ମୁତୟନ ଥିବା ସତ୍ତ୍ୱେ ସେମାନେ ନିରବଦ୍ରଷ୍ଟା ସାଜିଥିବାରୁ ରାଜ୍ୟପାଳ ଜଗଦୀପ ଧନକର ଏଥିରେ କ୍ଷୁବ୍ଧ ହୋଇ ସିଟି ପୁଲିସ ମୁଖ୍ୟଙ୍କୁ ପତ୍ର ଲେଖି ତୁରନ୍ତ ଜବାବ ମାଗିଛନ୍ତି ।

ରାଜ୍ୟପାଳ ଧନକର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କୋଲକାତା ପୁଲିସ ମୁଖ୍ୟଙ୍କୁ ଟ୍ୟାଗିଂ କରି ଟ୍ୱିଟ୍‌୍ କରିଛନ୍ତି ଯେ ଏହି ଅଞ୍ଚଳରେ ନିଷେଧାଦେଶ ବଳବତ୍ତର ରହିବା ସତ୍ତ୍ୱେ ପୁଲିସ ତା’ର କାର୍ଯ୍ୟରେ ଅବହେଳା କରିଛି । ଧନକର ଟ୍ୱିଟର୍‌ରେ ଆହୁରି  ଉଲ୍ଲେଖ କରିଛନ୍ତି, କେତେକ ଅବାଞ୍ôଛତ ବ୍ୟକ୍ତି କଥାକଥିତ ବିକ୍ଷୋଭ ନାଁରେ ଆଇନ୍‌ର ଅବମାନନା କରିଛନ୍ତି । ବିକ୍ଷୋଭକାରୀମାନେ ରାଜଭବନ ସମ୍ମୁଖରେ ମେଣ୍ଢାପଲ ଧରି ୫-୭ ମିନିଟ୍ ରହିଥିଲେ । ଏହାପରେ ପୁଲିସ ସେମାନଙ୍କୁ ଘଉଡ଼ାଇ ଦେଇଥିଲା । ଉଲ୍ଲେଖଯୋଗ୍ୟ, ରାଜ୍ୟପାଳ ଧନକରଙ୍କ ଜନ୍ମଦିନରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅନ୍ୟପକ୍ଷରେ ଏହି ଘଟଣାର ଦିନକ ପୂର୍ବରୁ ତୃଣମୂଳ କଂଗ୍ରେସ କର୍ମୀମାନେ ନାରଦା ଷ୍ଟିଙ୍ଗ୍ ଅପରେସନ ମାମଲାରେ ଦଳର ମନ୍ତ୍ରୀ ଫିର୍‌ହାଗ୍ ହାକିମ୍‌, ସୁବ୍ରତ ମୁଖାର୍ଜୀ ଏବଂ ବିଧାୟକ ମଦନ ମିତ୍ର ସିବିଆଇ ଦ୍ୱାରା ଗିରଫ ହୋଇଥିବାରୁ ଏହାର ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here