22.1 C
Bhubaneswar
Wednesday, January 22, 2025
Homeଓଡିଶା୪କୋଟିର ସମ୍ପତ୍ତି ଠାବ: ଭିଜିଲାନ୍ସ ପଞ୍ଝାରେ କୁବେର ଯନ୍ତ୍ରୀ

୪କୋଟିର ସମ୍ପତ୍ତି ଠାବ: ଭିଜିଲାନ୍ସ ପଞ୍ଝାରେ କୁବେର ଯନ୍ତ୍ରୀ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ନିର୍ମାଣସୌଧରେ କାର୍ଯ୍ୟରତ ରାସ୍ତା ଓ କୋଠା ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ  କୁମାର ମିଶ୍ରଙ୍କ ଘରେ ଭିଜିଲାନ୍ସ ସୋମବାର ଚଢ଼ଉ କରିଛି । ତାଙ୍କର ଭୁବନେଶ୍ୱର ପଟିଆ ଶ୍ରୀବିହାରରେ ଥିବା ଭଡ଼ା ଆପାର୍ଟମେଣ୍ଟ୍‌, ସରକାରୀ କାର୍ଯ୍ୟାଳୟ ସମେତ ଢେଙ୍କାନାଳ, ଖୋର୍ଦ୍ଧା, ଅନୁଗୁଳର ୬ଟି ସ୍ଥାନରେ ଚଢ଼ଉ ହୋଇଛି । ଏହାପରେ ଶ୍ରୀ ମିଶ୍ରଙ୍କ ସମୁଦାୟ ୪ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ଏଥିମଧ୍ୟରୁ କେତେ ଆୟ ବର୍ହିଭୂତ ସମ୍ପତ୍ତି ସେନେଇ ହିସାବ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ, ଅଜୟଙ୍କ ବିରୋଧରେ ଲାଞ୍ଚ ନେଇ ବିଲ୍ ପାସ୍ କରେଇବା, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଭଳି ଅଭିଯୋଗ ହୋଇଥିଲା । ଏନେଇ ଢେଙ୍କାନାଳ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ଏକ ସର୍ଚ୍ଚ ୱାରେଣ୍ଟ୍ ଜାରି କରିଥିଲେ । ୱାରେଣ୍ଟ୍ ବଳରେ ଭିଜିଲାନ୍ସର ୬ଟି ଟିମ୍ ଚଢ଼ଉ କରିଥିଲେ । ଏହି ଟିମ୍‌ରେ ୫ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସିପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ । ଭୁବନେଶ୍ୱର ସ୍ଥିତ ଶ୍ରୀବିହାର ଆପାର୍ଟମେଣ୍ଟରେ ସୋମବାର ସକାଳୁ ସକାଳୁ ଅଜୟ ମିଶ୍ର ଶୋଇଥିବାବେଳେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା । ସେଠାରୁ ନଗଦ ୮୪ ହଜାର ୫୦୦ ଟଙ୍କା ଜବତ ହୋଇଥିଲା । ଏହାପରେ ଭିଜିଲାନ୍ସ ଟିମ୍ ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ କାକୁଡି ଗ୍ରାମରେ ଥିବା ତାଙ୍କ ପୈତୃକ ଘର, ଭୁବନେଶ୍ୱର ନିର୍ମାଣସୌଧ ପରିସରରେ ଥିବା କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ । ଚଢ଼ଉ ପରେ ଭୁବନେଶ୍ୱର ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଏକ ତିନିମହଲା କୋଠା, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତାରିଣୀନଗର ଅଳସୁଆରେ ତିନିମହଲା କୋଠା ଏବଂ ଗୋଟିଏ ଏକମହଲା କୋଠା ଠାବ ହୋଇଛି । ସେହିପରି ଭୁବନେଶ୍ୱର କରଡକଣ୍ଟା ମୌଜାରେ ଅଜୟଙ୍କ ପୁଅ ଅବିନାଶ ମିଶ୍ରଙ୍କ ନାଁରେ ଏକ ପ୍ଲଟ୍‌, ଭୁବନେଶ୍ୱର ରଘୁନାଥପୁର ମୌଜାରେ ଅଜୟଙ୍କ ପତ୍ନୀ ଶୁଭଶ୍ରୀ ମିଶ୍ରଙ୍କ ନାଁରେ ଏକ ଫ୍ଲଟ୍‌, ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ ସାମଲ ମୌଜାରେ  ଅଜୟଙ୍କ ନାଁରେ ୨ଟି ପ୍ଲଟ୍‌, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଅଳସୁଆ ମୌଜାରେ ଶୁଭଶ୍ରୀଙ୍କ ନାଁରେ ୨ଟି ପ୍ଲଟ୍‌, ଢେଙ୍କାନାଳ ମହିଷାପାଟ ମୌଜାରେ ଶୁଭଶ୍ରୀଙ୍କ ନାଁରେ ୧ଟି ପ୍ଲଟ୍ ରହିଛି । ଅଜୟ ଓ ତାଙ୍କ ପୁଅ ଅବିନାଶ କାର୍ ଓ ଦାମୀ ବାଇକ୍ ଚଢ଼ିବାକୁ ପସନ୍ଦ କରୁଥିଲେ । ଅବିନାଶ ଜଣେ ସଫ୍ଟଓୟାର ଇଞ୍ଜିନିୟର ହୋଇଥିଲେ ବି ଏକ ଗ୍ୟାରେଜ୍ କରିଛନ୍ତି । ଅଜୟଙ୍କ ନିକଟରୁ ୮ଲକ୍ଷର ଏକ ହୁଣ୍ଡାଇ-ଆଇ୧୦ କାର୍‌, ୮ଲକ୍ଷର ଏକ ଡୁକାଟି ବାଇକ୍‌, ୭ ଲକ୍ଷର ଏକ ହାର୍‌ଲେ ଡାଭିଡ୍‌ସନ ବାଇକ୍‌, ୫.୪୫ ଲକ୍ଷର ହାର୍‌ଲେ ଡାଭିଡ୍‌ସନ ରୋଷ୍ଟର୍‌-୧୨୦୦ସିସି ବାଇକ୍‌, ୭୦ ହଜାର ଟଙ୍କାର ଏକ ଗ୍ରାଜିଆ ସ୍କୁଟି, ୭୫ ହଜାର ଟଙ୍କାର ଏକ ହୁଣ୍ଡା ଡିଓ ସ୍କୁଟି ଠାବ ହୋଇଛି । ଏଥିସହ ୪୦ ଲକ୍ଷର ସୁନାଗହଣା, ବ୍ୟାଙ୍କ ଜମା, ବୀମା ଏବଂ ଘରକରଣା ଜିନିଷ ମିଳିଥିବା ଜଣାପଡ଼ିଛି । ଏସମ୍ପର୍କରେ ଅଜୟ ମିଶ୍ର କହିଛନ୍ତି, ଘର କାମ କରୁଛି । ସେଥିପାଇଁ ଟଙ୍କା ଉଠାଇ ଘରେ ରଖିଥିଲି । ଢେଙ୍କାନାଳରେ ଚାକିରୀ କରୁଥିବାବେଳ ନିର୍ବାଚନ ପାଇଁ ମୋତେ କେତେକ ବ୍ୟକ୍ତି ଚାନ୍ଦା ମାଗିଥିଲେ । ହେଲେ ମୁଁ ଚାନ୍ଦା ଦେଇନଥିଲି । ଚାନ୍ଦା ନଦେବାରୁ ସେମାନେ ମୋତେ ଧମକ ଦେଇଥିଲେ । ସେମାନେ ଭିଜିଲାନ୍ସ ନିକଟରେ ମୋ ନାଁରେ ଅଭିଯୋଗ କରିଛନ୍ତି । ଏବେ ବି ସେମାନେ ଚାନ୍ଦା ମାଗନ୍ତି । କିନ୍ତୁ କୌଣସି ଚାନ୍ଦା ତାଙ୍କୁ ଦେଉନଥିବା ଶ୍ରୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking