ଦୁବାଇ: ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ର ପଞ୍ଚଦଶ ସଂସ୍କରଣ ୟୁଏଇରେ ଅଗଷ୍ଟ ୨୭ରୁ ଆରମ୍ଭ ହେବ । ମଙ୍ଗଳବାର ଏସିଆନ୍ କ୍ରିକେଟ୍ କାଉନ୍ସିଲ୍ (ଏସିସି) ସଭାପତି ତଥା ବିବିସିଆଇ ସମ୍ପାଦକ ଜୟ ଶାହ ଟୁର୍ଣ୍ଣାମେଣ୍ଟ୍ର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଏଡି ଅନୁସାରେ ଅଗଷ୍ଟ ୨୮ରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ । ଟୁର୍ଣ୍ଣାମେଣ୍ଟ୍ର ଉଦ୍ଘାଟନୀ ମ୍ୟାଚ୍ ଅଗଷ୍ଟ ୨୭ରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ହେବାର ଥିଲା । ମାତ୍ର ଦେଶ ବର୍ତ୍ତମାନ ସଙ୍କଟ ମଧ୍ୟରେ ଗତି କରୁଥିବାରୁ କ୍ରିକେଟ୍ ଶ୍ରୀଲଙ୍କା ଏହାର ଆୟୋଜନ ପାଇଁ ମନା କରିଦେଇଥିଲା ।
ଏହାପରେ ଏସିଆ କପ୍ ୟୁଏଇରେ ଆୟୋଜିତ ହେବ ବୋଲି ଘୋଷଣା କରାଯାଇଥିଲା । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ୍ ଟି-୨୦ ଫର୍ମାଟ୍ରେ ଖେଳାଯିବାକୁ ଥିବାବେଳେ ସମସ୍ତ ଟିମ୍କୁ ଦୁଇଟି ଗ୍ରୁପ୍ରେ ଭାଗ କରାଯାଇଛି । ଗ୍ରୁପ୍-ଏ’ରେ ଭାରତ, ପାକିସ୍ତାନ ଏବଂ ଏକ କ୍ୱାଲିଫାୟର୍ ଟିମ୍ (ନିଷ୍ପତ୍ତି ହୋଇନାହିଁ) ଥିବାବେଳେ ଗ୍ରୁପ୍-ବି’ରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ରହିଛନ୍ତି । ଟୁର୍ଣ୍ଣାମେଣ୍ଟ୍ରେ ମୋଟ ୧୩ଟି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଏହା ମଧ୍ୟରୁ ୧୦ଟି ଦୁବାଇରେ ଏବଂ ୩ଟି ଶାରଜାହରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟ ଏବଂ ୩ରୁ ସୁପର୍-୪ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ । ସେପ୍ଟେମ୍ବର ୧୧ ତାରିଖରେ ସୁପର୍ ଫୋର୍ର ଶୀର୍ଷ ଦୁଇଟି ଟିମ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଦୁବାଇରେ ଆୟୋଜିତ ହେବ । ସମସ୍ତ ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ସାଢ଼େ ସାତଟାରେ ଅନୁଷ୍ଠିତ ହେବ ।