ମୋହନା: ମୋହନା ବ୍ଳକରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ରାସ୍ତା ନ ଥିବାରୁ ଅଧା କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଡ଼େଙ୍ଗାସଖାଲ ପଞ୍ଚାୟତ ଅଧିନ ହାଡୁପଦର ଗାଁର ସସ୍ମିତା ନାୟକଙ୍କ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ସୋମବାର ସକାଳେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଗାଁକୁ ଭଲ ରାସ୍ତା ନ ଥିବାରୁ ଗାଁଠାରୁ ଅଧା କିମି ଦୂରରେ ଆମ୍ବୁଲାନ୍ସଟି ଅଟକିଯାଇଥିଲା । ଏହା ମଧ୍ୟରେ ସସ୍ମିତାଙ୍କର ଘରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଯାଇଥିଲା । ପରେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ମନୋଜ କୁମାର ସାହୁ , ଡ୍ରାଇଭର ରମାକାନ୍ତ ମାଝୀ ଓ ହେଲପର ଜୟାବ ଶବର, ଗ୍ରାମବାସୀ ଓ ଆଶାଦିଦି କୁନି ନାୟକଙ୍କ ସହଯୋଗରେ ଗର୍ଭବତୀଙ୍କୁ ଅଧା କିମି ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ଯାଏଁ ଆଣିବା ପରେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମହିଳା ଜଣକ ଆଉ ଏକ କନ୍ୟା ସନ୍ତାନ ପ୍ରସବ କରିଥିବା ଜଣାପଡିଛି ।
ମା’ ଓ ୨ ଛୁଆ ସୁସ୍ଥ ଥିବା ଡାକ୍ତର ଗଜପତି ମଳିକ କହିଛନ୍ତି । ପ୍ରକାଶ ଥାଉକି, ମୋହନା ବ୍ଳକରେ ବହୁ ଦୁର୍ଗମ ପଞ୍ଚାୟତର ଗ୍ରାମଗୁଡିକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଓ ପୋଲ ନିର୍ମାଣ ହୋଇପାରୁନି । ଅଞ୍ଚଳବାସୀ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପଦାଧିକାରୀଙ୍କୁ ବିଭିନ୍ନ ସମୟରେ ଲିଖିତ ଓ ମୌଖିକ ଭାବେ ଜଣାଇ ଆସୁଥିଲେ ମଧ୍ୟ ଫଳ ଶୂନ । ଦୀର୍ଘ ବର୍ଷ ହେଲା ଗ୍ରାମ ଗୁଡିକର ଏଭଳି ଗୁରୁତର ସମସ୍ୟା ସମାଧାନ ନ ହେବାରୁ ଆଗକୁ ଆସୁଥିବା ନିର୍ବାଚନରେ ଭୋଟ ବର୍ଜନ,ବ୍ଲକ ଘେରାଉ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଓ ରାଜରାସ୍ତା ଅବରୋଧ କରିବାକୁ ଗ୍ରାମବାସୀ ମଧ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । କେବେ ରାସ୍ତା ଓ ପୋଲ ନିର୍ମାଣ ହେବ ସେମାନଙ୍କ ଦୁଃଖ ଦୂର ହେବ ସେହି ଦିନକୁ ଅପେକ୍ଷା କରି ଚାହିଁ ରହିଛନ୍ତି ଦୁର୍ଗମ ଅଞ୍ଚଳ ଗ୍ରାମବାସୀ ।