27.1 C
Bhubaneswar
Monday, November 18, 2024
Homeଓଡିଶାଯୁଦ୍ଧ ବାହାନାରେ ଖାଇବା ତେଲର କୃତ୍ରିମ ଅଭାବ: କଳାବଜାରୀ ରୋକିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଯୁଦ୍ଧ ବାହାନାରେ ଖାଇବା ତେଲର କୃତ୍ରିମ ଅଭାବ: କଳାବଜାରୀ ରୋକିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାରେ ସୃଷ୍ଟି ହୋଇଛି ଖାଇବା ତେଲର କୃତ୍ରିମ ଅଭାବ । ଷ୍ଟକ୍ ଥାଇ ବି ବଜାରକୁ ଆସୁନାହିଁ ଆବଶ୍ୟକ ତେଲ । ଖାଉଟିକୁ ଦିନ ଦ୍ୱିପ୍ରହରରେ ହେଉଛି ପରୋକ୍ଷ ଲୁଟ୍ । ଯୁଦ୍ଧ ବାହାନାରେ କଳାବାଜାରୀମାନେ ଏଭଳି ସ୍ଥିତି ସୃଷ୍ଟି କରିଛନ୍ତି । ଖାଣ୍ଟି ତେଲ ରଖି ସେମାନେ ଭେଜାଲ୍ ତେଲ ବି ବଜାରକୁ ଛାଡ଼ୁଛନ୍ତି । ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଏହାକୁ ସ୍ୱୀକାର କରିବା ସହ ସଂପୃକ୍ତ ଦଲାଲ୍‌ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଶୁକ୍ରବାର ଦିନ ତମାମ୍ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ତେଲର କୃତ୍ରିମ ଅଭାବ ଉପରେ ତନାଘନା କରାଯାଇଛି । ଉଭୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବିଭାଗୀୟ ଶାସନ ସଚିବ ଭି ଭି ଯାଦବ ଏହାକୁ ଗୁରତ୍ୱ ଦେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସଚିବ ଶ୍ରୀ ଯାଦବ ତେଲର ଚୋରା ବେପାର ଓ ଅତ୍ୟଧିକ ମୂଲ୍ୟବୃଦ୍ଧି ରୋକିବା ଉପରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଚାହିଦା ମୁତାବକ ଜିଲ୍ଲାରେ କେତେ ପରିମାଣର ଖାଇବା ତେଲ ଅଛି, କେଉଁଠି କଳାବାଜାର ହେଉଛି ଏବଂ ଷ୍ଟକ୍‌ର ଯାଞ୍ଚ କରାଯାଇଛି କି ନାହିଁ ଜିଲ୍ଲାପାଳମାନେ ଏହାର ତଦାରଖ କରିବେ । ଏପରିକି ଡିଲର୍ ଓ ଷ୍ଟକିଷ୍ଟ୍‌ଙ୍କ ସହ ଆଲୋଚନା କରି କୃତ୍ରିମ ଅଭାବ ସୃଷ୍ଟି କରୁଥିବା କଳାବଜାରୀଙ୍କ ବିରୋଧରେ ଜିଲ୍ଲାପାଳମାନଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅପରପକ୍ଷରେ ରାଜ୍ୟରେ ଖାଇବା ତେଲର ଅଭାବକୁ ସ୍ୱୀକାର କରି ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ସୂର୍ଯ୍ୟମୁଖୀ ତେଲର ପାଖାପାଖି ୮୦% କେବଳ ୟୁକ୍ରେନ ଓ ରୁଷିଆରୁ ଆମଦାନୀ ହୋଇଥାଏ । ୟୁକ୍ରେନ ଓ ରୁଷିଆ ଯୁଦ୍ଧ ପରିପେକ୍ଷୀରେ ଖାଇବା ତେଲ, ବିଶେଷ ଭାବେ ସୂର୍ଯ୍ୟମୁଖୀ ତେଲର ଅହେତୁକ ମୂଲ୍ୟବୃଦ୍ଧିର ଆଶଙ୍କା ରହିଛି । ତେଣୁ କୃତ୍ରିମ ସଙ୍କଟ ଏବଂ କଳାବଜାରୀ ରୋକିବା ସହ ଖାଇବା ତେଲର ଅନବରତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସରକାର ଖାଇବା ତେଲ ଉପରେ ସଂଗ୍ରହ କରୁଥିବା ଆମଦାନୀ ଏବଂ ଅନ୍ୟାନ୍ୟ ଶୁଳ୍କ ଅତିକମରେ ସାମୟିକ ଭାବେ ହ୍ରାସ କରିବା ଉଚିତ । ନ ହେଲେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦରବୃଦ୍ଧି ସହ ଖାଇବା ତେଲର ଦରବୃଦ୍ଧି ଗରିବ, ଚାଷୀ, ମୂଲିଆ, ଖଟିଖିଆ ଏପରିକି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଦୁର୍ବିସହ ହୋଇଯିବ । ରାଜ୍ୟ ସରକାରଙ୍କ ସୀମିତ କ୍ଷମତା ମଧ୍ୟରେ କୃତ୍ରିମ ସଙ୍କଟ କିମ୍ବା କଳାବଜାରୀ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆ ଯାଇଛି । ଆମେ ଜାଣି ରଖିବା ଉଚିତ ଯେ ଭାରତର ଖାଇବା ତେଲର ଅଧିକାଂଶ ଚାହିଦା ରପ୍ତାନି ମାଧ୍ୟମରେ ପୂରଣ ହୋଇଥାଏ । ତେଣୁ ଏହାର ଯୋଗାଣ ନିଶ୍ଚିତ ଭାବେ ପ୍ରଭାବିତ ହେବ । ଦରବୃଦ୍ଧି ସମ୍ଭାବନା ଥିବାରୁ ରାଜ୍ୟ ସରକାର କଳାବାଜାରୀଙ୍କ ଉପରେ କଡ଼ ନଜର ରଖିଛନ୍ତି ବୋଲି ମନ୍ତ୍ରୀ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ସ୍ୱାଗତ କରିଛି । ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ କଳାବାଜାରୀ ରୋକାଯିବା ଉଚିତ । ଆମେ ବାରମ୍ବାର କହୁଛୁ ଯେ ସୂର୍ଯ୍ୟମୁଖୀ ତେଲ ଏବେ ଲିଟର ପିଛା ପ୍ରାୟ ୫୫ ଟଙ୍କା ବଢ଼ିଛି । ଆହୁରି ବି ବଢ଼ିପାରେ । ତେଣୁ ରାଜ୍ୟ ସରକାର ତେଲ ଦର ସମସ୍ୟା ତୁରନ୍ତ ସମାଧାନ ପାଇଁ ଠୋସ୍ ପଦକ୍ଷେପ ନେବା ଦରକାର । କାରଣ ଚାହିଦା ଠାରୁ ଯୋଗାଣ କମ୍ ହେଲେ ଦରଦାମ୍ ବୃଦ୍ଧି ହେବା ସହ ଅପମିଶ୍ରଣର ସମ୍ଭାବନା ରହିଛି । ଏଭଳି ସଙ୍କଟ ସମୟରେ ଏହାକୁ ରାଜ୍ୟ ସରକାର ଦୃଷ୍ଟି ଦେବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking