ନୋଏଡା: ପାକିସ୍ତାନର ସୀମା ହାଇଦର, ଭାରତର ଅଞ୍ଜୁ ଏବଂ ଶ୍ରୀଲଙ୍କାର ବିଘ୍ନେଶ୍ୱରୀଙ୍କ ପରେ ବର୍ତ୍ତମାନ ସୀମାପାର ପ୍ରେମ କାହାଣୀରେ ବାଂଲାଦେଶ ଯୁବତୀ ସାନିଆ ଅଖତାର ଯୋଡି ହୋଇଛନ୍ତି । ସାନିଆ ନିଜର ସନ୍ତାନ ସହ ସୋମବାର ଭାରତ ଆସି ଉତ୍ତରପ୍ରଦେଶର ନୋଏଡାରେ ରହୁଥିବା ତାଙ୍କର ସ୍ୱାମୀ ସୌରଭକାନ୍ତ ତିୱାରୀଙ୍କୁ ଭେଟିଛନ୍ତି । ତେବେ ସୌରଭ ଇତିମଧ୍ୟରେ ଅନ୍ୟଜଣେ ମହିଳାଙ୍କୁ ବିବାହ କରିସାରିଥିବାରୁ ସାନିଆଙ୍କୁ ପତ୍ନୀଭାବେ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି । ସାନିଆ ଏ ନେଇ ନୋଏଡାସ୍ଥିତ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସାନିଆଙ୍କ କହିବା ଅନୁଯାୟୀ ସୌରଭ ୨୦୧୭ ଜାନୁଆରୀ ୪ରୁ ୨୦୨୧ ଡିସେମ୍ବର ୨୪ ପର୍ଯ୍ୟନ୍ତ ବାଂଲାଦେଶର ଏକ ଘରୋଇ ଫାର୍ମରେ କାର୍ଯ୍ୟ କରୁଥିଲେ ।
ସେଠାରେ ଅବସ୍ଥାନ କାଳରେ ସାନିଆଙ୍କ ସହ ତାଙ୍କର ପ୍ରେମସମ୍ପର୍କ ସ୍ଥାପନ ହୋଇଥିଲା । ୨୦୨୧ ଏପ୍ରିଲ ୧୪ରେ ଇସଲାମ ଧର୍ମ ଅନୁଯାୟୀ ସେମାନେ ବିବାହ କରିଥିଲେ । ବିବାହପରେ ସୌରଭ ଚାକିରୀ ଛାଡି ଭାରତ ପଳାଇ ଆସିଥିଲେ । ୨୦୨୨ରେ ସାନିଆ ଏକ ସନ୍ତାନର ଜନନୀ ପାଲଟିଥିଲେ । ଭାରତ ଆସିବାପରେ ସୌରଭ କୌଣସି ସମ୍ପର୍କ ନ ରଖିବାରୁ ସାନିଆ ବାଧ୍ୟହୋଇ ଭାରତ ଆସିଥିବା ପୁଲିସକୁ କହିଛନ୍ତି । ତେବେ ନୋଏଡାରେ ପହଞ୍ଚିବାପରେ ସାନିଆ ଜାଣିବାକୁ ପାଇଥିଲେ ଯେ ସୌରଭ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସାନିଆ ତାଙ୍କର ବିବାହ ସମ୍ପର୍କିତ ସମସ୍ତ ପ୍ରମାଣପତ୍ର, ଭାରତ ଆସିବା ପାଇଁ ବୈଧ ପାସପୋର୍ଟ ଓ ଭିସା ପୁଲିସ ନିକଟରେ ଦାକଲ କରିଛନ୍ତି । ଘଟଣାର ତଦନ୍ତଭାର ବର୍ତ୍ତମାନ ନୋଏଡା ଏସିପି (ମହିଳା ଓ ଶଶୁ ସୁରକ୍ଷା)ଙ୍କ ଉପରେ ନ୍ୟସ୍ତ କରାଯାଇଛି।