ଭୁବନେଶ୍ୱର: ଆଉ ଜଣେ କର୍ତ୍ତବ୍ୟରତ ପ୍ରିଜାଇଡିଂ ଅଫିସରଙ୍କ ଅକାଳ ମୃତ୍ୟୁ ହୋଇଛି । ସେ ହେଲେ ନୂଆଁପଡ଼ା ଜିଲ୍ଲାର ପ୍ରସନ୍ନ କୁମାର ନାୟକ । ସେ ମତଦାନ କାର୍ଯ୍ୟ ସାରି ଇଭିଏମ୍ ଓ ନିର୍ବାଚନ ସାମଗ୍ରୀ ଜମା କରି ଘରକୁ ଫେରୁଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ପ୍ରାଣହାନି ଘଟିଛି । ସ୍ୱର୍ଗତ ନାୟକ ନୂଆଁପଡ଼ା ଜିଲ୍ଲାର ସିନାପାଲି ଠାରେ ଏକ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ । ନିର୍ବାଚନରେ ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ରାନିମୁଣ୍ଡା ୧୮୪ ନମ୍ବର ବୁଥ୍ରେ ପ୍ରିଜାଇଡିଂ ଅଫିସର ରୂପେ ନିୟୋଜିତ ଥିଲେ । ତାଙ୍କ ପରିବାର ବର୍ଗଙ୍କୁ ବିଧି ମୁତାବକ ସାହାଯ୍ୟ ବ୍ୟତିରେକ ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣାମତେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ କୁମାର ଧଳ କହିଛନ୍ତି । ଏହା ସହ ସେ ଶୀଘ୍ର ବିଧି ମୁତାବକ ବିହିତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ୱର୍ଗତ ନାୟକଙ୍କ ମୃତ୍ୟୁରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଗଭୀର ଶୋକପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ସେ ଅମର ଆତ୍ମାଙ୍କ ସଦ୍ଗତି କାମନା କରିଛନ୍ତି ।