ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୀତାପୁରରେ ଥିବା ଗୋଟିଏ କଲେଜର ୩ ଜଣ ଛାତ୍ରୀ ସପ୍ତାହକ ଭିତରେ ଆତ୍ମହତ୍ୟା କରିଛନ୍ତି। ସେହିପରି ଆଉ ଜଣେ ଛାତ୍ରୀ ହାତର ସିରା କାଟି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।
ସୀତାପୁର ଅନ୍ତର୍ଗତ କମଳାପୁର ସ୍ଥିତ ଆରବିଏସ୍ଏସ୍ କଲେଜର ୩ ଜଣ ଛାତ୍ରୀ ୭ ଦିନ ମଧ୍ୟରେ ଜଣଙ୍କ ପରେ ଜଣେ ଜୀବନ ହାରିଛନ୍ତି। ଆତ୍ମହତ୍ୟା କରିଥିବା ୩ ଜଣ ଯାକ ଛାତ୍ରୀ ନାବାଳିକା। ପ୍ରଥମେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ପରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଆଉ ୨ ଜଣ ଛାତ୍ରୀ ସମାନ ପଦକ୍ଷେପ ନେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆତ୍ମହତ୍ୟା କରିଥିବା ୩ ଛାତ୍ରୀଙ୍କ ଅନ୍ତିମ ସଂସ୍କାର ବିନା ଶବ ବ୍ୟବଚ୍ଛେଦରେ କରାଯାଇଛି। ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିବା ଛାତ୍ରୀ ଜଣଙ୍କ ୧୦ ଶ୍ରେଣୀରେ ପଢ଼ନ୍ତି। ଗୋଟିଏ ପରେ ଏପରି ଗୋଟିଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। କଲେଜ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ପାଇଁ କମିଟି ଗଠନ କରିଛନ୍ତି।
ମୃତ ଛାତ୍ରୀମାନଙ୍କ ପରିବାର ଲୋକ କଲେଜ ଭିତରେ ସମସ୍ତଙ୍କୁ ନିର୍ୟାତନା ଓ ବ୍ଲାକମେଲିଂ କରାଯାଉଥିବା ଅଭିଯୋଗ କରିଛନ୍ତି। ପୁଲିସ୍ ଅଭିଯୋଗ ପାଇବା ପରେ ପ୍ରାୟ ୧୨ ଜଣ ଲୋକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୁଲିସ୍ କହିଛି ଯେ ପ୍ରଥମେ ଜଣେ ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହାପରେ ଆଉ ଜଣେ ଛାତ୍ରୀ ନଦୀକୁ ଡେଇଁ ଓ ୩ନଂ ଛାତ୍ରୀ ଜଣଙ୍କ କୀଟନାଶକ ପିଇ ଜୀବନ ହରାଇଛନ୍ତି।