ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ବା ବାର୍ଷିକ ପରୀକ୍ଷା ମାର୍ଚ୍ଚ ୧୫ରୁ ୨୦ତାରିଖ ପର୍ଯ୍ୟନ୍ତ ହୋଇପାରେ । ଏଥିପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପ୍ରସ୍ତୁତି ଆରମ୍ଭ କରିଛି । ଏହି ସମୟ ମଧ୍ୟରେ ପରୀକ୍ଷା କରିବା ପାଇଁ ଯୋଜନା ରହିଥିବା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଙ୍କୁ ଓସେପା ଅବଗତ କରିଛି ।
ପରୀକ୍ଷା ପରେ ୨୧ରୁ ୨୭ ତାରିଖ ମଧ୍ୟରେ ଖାତା ମୂଲ୍ୟାୟନ କରାଯିବ । ୩୦ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ । ସେହିପରି ପ୍ରଶ୍ନପତ୍ର କେଉଁଠାରୁ ଓ କେବେ ଯିବ, ସେନେଇ ମଧ୍ୟ ତାରିଖ ଧାର୍ଯ୍ୟ କରାଯାଇଛି । ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ କରାଯାଇପାରେ ବୋଲି ଓସେପା ଦର୍ଶାଇଛି । ପରୀକ୍ଷା ପାଇଁ ପ୍ରଶ୍ନପତ୍ର, ଉତ୍ତର ଖାତା, ମୌଖିକ ପ୍ରଶ୍ନପତ୍ର ଆଦି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପ୍ରସ୍ତୁତ କରୁଛି । ବାର୍ଷିକ ପରୀକ୍ଷା ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରକଳ୍ପ ଅଧିକାରୀ(ଡିପିଓ)ଙ୍କ ସ୍ତରରେ ପଦକ୍ଷେପ ନେବା ପାଇଁ କୁହାଯାଇଛି । ତେବେ ସମ୍ମେଟିଭ ଆସେସମେ -୨ ପାଇଁ ସମ୍ପୂର୍ଣ୍ଣ ଗାଇଡ୍ଲାଇନ ପରବର୍ତ୍ତୀ ସମୟରେ ଦିଆଯିବ ବୋଲି ଓସେପା ପକ୍ଷରୁ କୁହାଯାଇଛି ।