ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ହୋଇଥିବା ବୈଠକର ନିଷ୍ପତ୍ତିକ୍ରମେ ଆଜୀ ପ୍ରଥମ ଥର ପାଇଁ ଉଭୟ ରାଜ୍ୟର ମୁଖ୍ୟ ସଚିବସ୍ତରରେ ବୈଠକ ବସି ଦ୍ୱିପାକ୍ଷିକ ସମସ୍ୟା ଉପରେ ଆଲୋଚନା ହୋଇଛି । ଓଡ଼ିଶାର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଆନ୍ଧ୍ରର ମୁଖ୍ୟ ସଚିବ ସମୀର ଶର୍ମାଙ୍କ ମଧ୍ୟରେ ଡିଜିଟାଲ୍ ମୋଡ୍ରେ ଏହି ବୈଠକ ବସିଥିଲା । ଆନ୍ତଃରାଜ୍ୟ ପରିବହନ, ସଡ଼କ ଯୋଗାଯୋଗ, ଓଡ଼ିଆ ଏବଂ ତେଲୁଗୁ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ, ଶ୍ରୀକାକୁଲମସ୍ଥିତ ଡଃ ବି. ଆର. ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଭାଷା ଚେୟାର ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତେଲୁଗୁ ଚେୟାର ପ୍ରତିଷ୍ଠା ଆଦି ଦିଗରେ କାର୍ଯ୍ୟ କରିବାକୁ ଉଭୟ ରାଜ୍ୟ ସହମତି ପ୍ରକାଶ କରିଛନ୍ତି ।
ଏହି ଅବସରରେ ଆନ୍ଧ୍ର ପଟୁ ସ୍ୱାଭିମାନ ଅଞ୍ଚଳକୁ ସଡ଼କ ଯୋଗାଯୋଗର ଆବଶ୍ୟକତା ଉପରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଆଲୋକପାତ କରିଥିଲେ । ସେ କହିଥିଲେ, ଗୁରୁପ୍ରିୟା ସେତୁ ଜରିଆରେ ଏହି ଅଞ୍ଚଳକୁ ବେଶ୍ ଭଲ ଭାବେ ସଂଯୋଗ ହୋଇପାରିଛି । ଓଡ଼ିଶା ପଟୁ ନକ୍ସଲ ସମସ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଆନ୍ଧ୍ର ପଟୁ ସଡ଼କ ଯୋଗାଯୋଗ ହେଲେ ଏହି ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦ୍ ସମସ୍ୟାର ଅନ୍ତ ଘଟିପାରିବ । ଆନ୍ଧ୍ର ମୁଖ୍ୟ ସଚିବ ଶ୍ରୀ ଶର୍ମା ଏହି ପ୍ରସ୍ତାବକୁ ସ୍ୱାଗତ କରିଥିଲେ ।
ଆନ୍ଧ୍ର ପଟୁ ୫ଟି ପ୍ରମୁଖ ସଡ଼କ ନିର୍ମାଣ ପାଇଁ ସେ ସହମତି ପ୍ରକାଶ କରିଥିଲେ । ଏହାସହ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସ୍ପଷ୍ଟ କରିଥିଲେ ଯେ ଉଭୟ ରାଜ୍ୟର ଜିଲ୍ଲାସ୍ତରରେ ଯୁଗ୍ମ ଡିମାରକେସନ୍ କମିଟି ବିବାଦରେ ନଥିବା ସୀମା ଅଞ୍ଚଳ ନିର୍ଦ୍ଧାରଣ କରିବ । ଏହାସହ ଉଭୟ ରାଜ୍ୟର ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କ ଉପ-ଅଧ୍ୟକ୍ଷତାରେ ପ୍ରକଳ୍ପ ଆଡ୍ମିନିଷ୍ଟ୍ରେସନ୍ କମିଟି (ପିଏସି) ମାଛକୁଣ୍ଡ ଯୁଗ୍ମ ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରକଳ୍ପର ଯାଞ୍ଚ କରିବ । ବାଲିମେଳା ଡ୍ୟାମ, ଜପାପୁଟ ଏସ୍ଏଚ୍ଇପି ଏବଂ ଲୋୟର ମାଛକୁଣ୍ଡ ଏସ୍ଏଚ୍ଇପି ଆଦି ୩ଟି କ୍ଷୁଦ୍ର ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରକଳ୍ପକୁ ଆଗକୁ ନେବାପାଇଁ ପିଏସିର ବୈଠକ ଖୁବ୍ଶୀଘ୍ର ବସିବ । ସେହିପରି ଜଳଭଣ୍ଡାରଗୁଡ଼ିକୁ ପମ୍ପ୍ ଷ୍ଟୋରେଜ୍ ପ୍ରକଳ୍ପ ପାଇଁ ପାଣି ନେବାକୁ ଉଭୟ ପକ୍ଷ ତରଫରୁ ଏନ୍ଓସି ନେଇ ରହିଥିବା ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଆପୋଷ ଚୁକ୍ତିନାମା ଅନୁସାରେ ପ୍ରତ୍ୟେକ ରାଜ୍ୟର ଜଳ ଭାଗକୁ ଦୃଷ୍ଟିରେ ରଖି ଏନ୍ଓସି ଜାରି କରାଯିବାର ଆବଶ୍ୟକତା ରହିଥିବା ଶ୍ରୀ ମହାପାତ୍ର କହିଥିଲେ ।
ଏହାବାଦ୍ ଉଭୟ ରାଜ୍ୟର ପରିବହନ ଚୁକ୍ତିନାମା ଚୂଡ଼ାନ୍ତ କରିବା ପାଇଁ ଓଏସ୍ଆର୍ଟିସି ଏବଂ ଏପିଏସ୍ଆର୍ଟିସିର ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରେ ଖୁବ୍ଶୀଘ୍ର ବୈଠକ ହେବ । ଅନ୍ୟପକ୍ଷରେ ଜଳ ସମ୍ପଦ ବିଭାଗ ଅଧୀନରେ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ନେଇ ରହିଥିବା ସମସ୍ୟା ଉଭୟ ରାଜ୍ୟର ବୈଷୟିକ କମିଟି ସମାଧାନ କରିବ । ଏହି ବୈଠକରେ ଉଭୟ ରାଜ୍ୟର ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ପକ୍ଷରୁ ଉନ୍ନୟନ କମିଶନର ପ୍ରଦୀପ ଜେନା, ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।