25.1 C
Bhubaneswar
Friday, December 27, 2024
Homeଦେଶ ବିଦେଶ୧୫ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ଆନନ୍ଦ ମୋହନ; ଖଲାସକୁ ନେଇ ରାଜନୀତି ଆରମ୍ଭ

୧୫ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ଆନନ୍ଦ ମୋହନ; ଖଲାସକୁ ନେଇ ରାଜନୀତି ଆରମ୍ଭ

ପାଟନା : ବିହାରର ବାହୁବଳୀ ନେତା ଆନନ୍ଦ ମୋହନ ସିଂହଙ୍କ ଜେଲ୍‌ରୁ ଶୀଘ୍ର ଖଲାସକୁ ନେଇ ରାଜ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି । ଇତିମଧ୍ୟରେ ସକ୍ରିୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ବୋଲି ଆନନ୍ଦ ମୋହନ ସ୍ପଷ୍ଟ କରିଛନ୍ତି । ବିଧାୟକ ପୁତ୍ର ଚେତନ ଆନନ୍ଦଙ୍କ ନିର୍ବନ୍ଧ ପାଇଁ ୧୫ ଦିନର ପାରୋଲ୍‌ରେ ଜେଲ୍‌ରୁ ବାହାରକୁ ଆସିଥିବା ଆନନ୍ଦ ମୋହନ କ୍ଷମତାସୀନ ଜେଡିୟୁ ଏବଂ ବିରୋଧୀ ବିଜେପି ମଧ୍ୟରେ ତୀବ୍ର ବାଦ ବିବାଦ ମଧ୍ୟରେ ମିଡିଆ ସହିତ କଥାବାର୍ତ୍ତା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ‘ମୁକ୍ତି ସମସ୍ତଙ୍କୁ ଖୁସି ଦେଇଥାଏ, ମୁଁ ମଧ୍ୟ ଖୁସି ଅଛି ।’ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ପୂର୍ବତନ ସାଂସଦ ଆନନ୍ଦ ମୋହନ ୧୯୯୪ ଡିସେମ୍ବର ୪ରେ ମୁଜାଫରପୁରରେ ତତ୍କାଳୀନ ଗୋପାଳଗଞ୍ଜ ଜିଲ୍ଲାପାଳ ଜି. କୃଷ୍ଣୈୟାଙ୍କ ହତ୍ୟା ମାମଲରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୨୦୦୭ ଅକ୍ଟୋବରରେ ଏକ ନିମ୍ନ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ତେବେ ପରେ ପାଟନା ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ । ସେବେଠାରୁ ସେ ଜେଲ୍‌ରେ ଥିଲେ ।

ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ବିହାର ସରକାର ଜେଲ୍ ନିୟମରେ କେତେକ ପରିବର୍ତ୍ତନ କରିବା ଫଳରେ ତାଙ୍କ ସହିତ ୨୭ କଏଦୀଙ୍କ ଜେଲ୍‌ରୁ ମୁକୁଳିବା ରାସ୍ତା ପରିଷ୍କାର ହୋଇଥିଲା । ଏହି ନିୟମ ପରିବର୍ତ୍ତନ ଫଳରେ କର୍ତ୍ତବ୍ୟରତ ଲୋକସେବକଙ୍କ ହତ୍ୟାରେ ଦୋଷୀ ବ୍ୟକ୍ତିଙ୍କ ଦଣ୍ଡାଦେଶ କୋହଳ ପାଇଁ ଅନୁମତି ଦିଆଯାଇଛି । ପୂର୍ବତନ ସାଂସଦଙ୍କ ଖଲାସକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ବିରୋଧୀ ଦଳ ନେତା ବିଜୟ ସିହ୍ନା ଜେଲ୍ ମାନୁଆଲ୍‌ରେ କାହିଁକି ପରିବର୍ତ୍ତନ କରାଗଲା ବୋଲି ନୀତୀଶ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ନୀତୀଶ କହିଥିଲେ କାହାରିକୁ ଛଡ଼ାଯିବ ନାହିଁ। ତେବେ ଆଜି କ’ଣ ବାଧ୍ୟବାଧକତା ପଡ଼ିଲା? କାହା ଚାପରେ ସେ ଏହି ଖେଳ ଖେଳୁଛନ୍ତି ବୋଲି ସିହ୍ନା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଏହି ଲୋକମାନେ ତାଙ୍କୁ ଫସାଇଥିଲେ । ଆଜି କାହିଁକି ଅପରାଧୀଙ୍କୁ ଛାଡ଼ୁଛନ୍ତି ।

ଅନ୍ୟପକ୍ଷରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ନୀତୀଶ ସରକାରଙ୍କ କଡ଼ା ସମାଲୋଚନା କରିବା ସହିତ ଆନନ୍ଦ ମୋହନଙ୍କ ଖଲାସ ମାମଲାର ପୁନର୍ବିଚାର ପାଇଁ ପରାମର୍ଶ ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଜଣେ ନିଷ୍ଠାପର ଦଳିତ ଆଇଏଏସ୍ ଗୋପାଳଗଞ୍ଜର ତତ୍କାଳୀନ ଜିଲ୍ଲାପାଳ ଜି. କୃଷ୍ଣୈୟାଙ୍କ ହତ୍ୟା ମାମଲାରେ ଜେଲ୍‌ରେ ଥିବା ଆନନ୍ଦ ମୋହନଙ୍କୁ ଖଲାସ କରିବା ପାଇଁ ନିୟମରେ ପରିବର୍ତ୍ତନ ନିଷ୍ପତ୍ତି ଦଳିତ ବିରୋଧୀ କାର୍ଯ୍ୟ । ନୀତୀଶ ସରକାରଙ୍କ ଏହି ଦଳିତ ବିରୋଧୀ ଏବଂ ଅପରାଧ ସମର୍ଥନ କାର୍ଯ୍ୟକୁ ନେଇ ଦେଶର ଦଳିତ ସମାଜରେ ବହୁ ରୋଷ ଦେଖାଦେଇଛି । ଯାହା ବି ବାଧ୍ୟବାଧକତା ହେଉ, ବିହାର ସରକାର ଏହାର ପୁନର୍ବିଚାର କରିବା ଉଚିତ ।

ତାଙ୍କ ଖଲାସ ନେଇ ହେଉଥିବା ହଙ୍ଗାମା ମଧ୍ୟରେ ଆନନ୍ଦ ମୋହନ କହିଛନ୍ତି, ବିଜେପିରେ ଅନେକ ଲୋକ ଅଛନ୍ତି ଯେଉଁମାନେ ମୋ ସହିତ ଭୁଲ ହୋଇଛି ଏବଂ ମୋତେ ଖଲାସ କରାଯିବା ଉଚିତ ବୋଲି କହିଛନ୍ତି । ଆପଣ କାହାରିକୁ କିଛି କହିବାକୁ ରୋକିପାରିବେନି । ସେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ଗୁଜରାଟରେ ହୋଇଥିବା ବିଲ୍‌କିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ମଧ୍ୟ ଖଲାସ କରାଯାଇଛି । ତାଙ୍କ ଖଲାସକୁ ନେଇ ମାୟାବତୀଙ୍କ ବିରୋଧ ପ୍ରତିକ୍ରିୟାରେ ସେ କହିଛନ୍ତି, ମାୟାବତୀଙ୍କୁ ମୁଁ ଜାଣିନି, ମୁଁ କେବଳ ଭଗବାନ ସତ୍ୟନାରାୟଣଙ୍କ କଥା କହୁଥିବ କଳାବତୀଙ୍କୁ ଜାଣିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking