କେନ୍ଦୁଝର : ପାରିବାରିକ କଳହର ଏକ କରୁଣ ପରିଣତି ଯୋଡା ଖଣି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଠେଙ୍ଗାରେ ପିଟି ନିଜ ସ୍ତ୍ରୀକୁ ହତ୍ୟାକରିବା ପରେ ୩ବର୍ଷର ଝିଅକୁ ନେଇ ସ୍ୱାମୀ ଫେରାର ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯୋଡ଼ା ଥାନା ଅନ୍ତର୍ଗତ ଦେଓଝର ପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମର ନାଏକସାହିର ଦାଶରଥି ସେଠୀ ତାଙ୍କର ପତ୍ନୀ କନକ ସେଠୀ(୪୫)ଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି । ଘଟଣାଟି ସୋମବାର ରାତିରେ ଘଟିଥିବା ବେଳେ ମଙ୍ଗଳବାର ସକାଳୁ ସ୍ୱାମୀ ଦାଶରଥି ଘର ପିଣ୍ଡାରେ ପଡ଼ିଥିବା ରକ୍ତଛିଟାକୁ ଗୋବରରେ ଲିପି ତାଙ୍କର ୩ବର୍ଷର ଝିଅକୁ ଧରି ଘର ଛାଡ଼ି ଚାଲିଯାଇଥିବା ବେଳେ ଦିନ ତମାମ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କନକ ସେଠୀଙ୍କ ମୃତଦେହ ପଡ଼ିରହିଥିଲା । ଗ୍ରାମବାସୀଙ୍କୁ ସନ୍ଦେହ ହେବାରୁ ସନ୍ଧ୍ୟାରେ ସେମାନେ ତାଙ୍କ ଘରକୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଦେଖି ଯୋଡା ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଯୋଡା ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଫେରାର ସ୍ୱାମୀକୁ ଖୋଜାଖୋଜି କରୁଥିବା ଜଣାପଡିଛି ।