26.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶ୧୯୮୮ ମସିହାର ଏକ ଅବିଶ୍ୱସନୀୟ ଘଟଣା; ୨୪ ହଜାର ଫୁଟ୍ ଉଚ୍ଚରେ ଉଡିଗଲା ବିମାନର ଛାତ;...

୧୯୮୮ ମସିହାର ଏକ ଅବିଶ୍ୱସନୀୟ ଘଟଣା; ୨୪ ହଜାର ଫୁଟ୍ ଉଚ୍ଚରେ ଉଡିଗଲା ବିମାନର ଛାତ; ଜଣେ ଏୟାର ହୋଷ୍ଟେସ ମୃତ, ବର୍ତ୍ତିଲେ ୮୯ ଯାତ୍ରୀ

ୱାଶିଂଟନ:  କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ । ଅତୀତରେ ଆମେରିକାରେ ଘଟିଥିବା ଏକ ଅଲୌକିକ ଘଟଣାରୁ ଏହି ଉକ୍ତିର ସତ୍ୟତା ପ୍ରତିପାଦିତ ହୋଇଛି । ଆମେରିକାର ଏକ ବିମାନ ଭୂପୃଷ୍ଠରୁ ୨୪,୦୦୦ ଫୁଟ ଉଚ୍ଚତାରେ ଉଡୁଥିବାବେଳେ ହଠାତ୍ ଏହାର ଉପରିଭାଗ ଛାତର ଏକ ଅଂଶ ଉଡିଯାଇଥିଲା । ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଈଶ୍ୱରକୁ ସ୍ମରଣ କରୁଥିବାବେଳେ ସୌଭାଗ୍ୟବଶତଃ ପାଇଲଟ୍ ବିମାନକୁ ସଫଳତାର ସହ ଅବତରଣ କରି ଶତାଧିକ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି । ବିମାନ ଚଳଚଳ କ୍ଷେତ୍ରରେ ଏହା ଏକ ଅବିଶ୍ୱସନୀୟ ଘଟଣା ବୋଲି କୁହାଯାଇଛି । ଘଟଣାଟି ୧୯୮୮ ଏପ୍ରିଲ ୨୮ରେ ଘଟିଥିଲା । ଆମେରିକୀୟ ସମ୍ବାଦପତ୍ର ୱାଶିଂଟନ ପୋଷ୍ଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୮୯ ଯାତ୍ରୀଙ୍କୁ ନେଇ ଆଲୋହା ଏୟାରଲାଇନ୍ସର ଏକ ବୋଇଙ୍ଗ୍‌-୭୩୭ ବିମାନ ଆକାଶକୁ ଉଠିବାର କିଛି ଘଣ୍ଟା ମଧ୍ୟରେ ପାସେଞ୍ଜର କ୍ୟାବିନ୍‌ର ୯୬ ଫୁଟ ଲମ୍ବ ଛାତ ଉଡିଯାଇଥିଲା । ବସିଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

୨୪ ହଜାର ଫୁଟ ଉଚ୍ଚତାରେ ବୋହୁଥିବା ପବନର ବେଗକୁ ସମ୍ଭାଳିବା ସେମାନଙ୍କ ପାଇଁ ଅସମ୍ଭବ ହୋଇପଡିଥିଲା । ଯାତ୍ରୀଙ୍କୁ ସେହି ସମୟରେ ଖାଦ୍ୟ/ପାନୀୟ ପରିବେଷଣ କରୁଥିବା କ୍ଲାରା  ଲାନ୍‌ସିଙ୍ଗ୍ ନାମ୍ନୀ ଏୟାର ହୋଷ୍ଟେସ ପବନରେ ଟାଣି ହୋଇ ବାହାରକୁ ଚାଲିଯାଇଥିଲେ । ଅନ୍ୟ ଯାତ୍ରୀମାନେ ନିଜର ସିଟ୍ ବେଲ୍ଟ ବାନ୍ଧିବା ସହ ସମ୍ମୁଖରେ ଥିବା ସିଟ୍‌କୁ ଜାବୋଡି ଧରି ପ୍ରାଣ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ । ବିମାନର ଏକ ଇଞ୍ଜିନରେ ନିଆଁ ମଧ୍ୟ ଲାଗି ଯାଇଥିଲା । ତେବେ ଦୁର୍ଘଟଣାର ୧୩ ମିନିଟ ମଧ୍ୟରେ ପାଇଲଟ୍ ଅଦମ୍ୟ ସାହସ ପ୍ରଦର୍ଶନ କରି ବିମାନକୁ କାହୁଲୁହି ଏୟାରପୋର୍ଟରେ ସଫଳତାର ସହ ଅବତରଣ କରାଇଥିଲେ । କେବଳ କ୍ଲାରାଙ୍କୁ ବାଦଦେଲେ ୮୯ ଯାତ୍ରୀ ଓ ୬ କ୍ରିଉ ଜୀବିତ ଥିବା ଦେଖି ଏୟାରପୋର୍ଟ କର୍ମାରୀମାନେ ବିସ୍ମିତ ହୋଇପଡିଥିଲେ ।

ଅବଶ୍ୟ ୮ ଜଣ ଯାତ୍ରୀ ଗୁରୁତର ଆଘାତପ୍ରାପ୍ତ ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ସୁସ୍ଥ ହୋଇପାରିଥିଲେ । ୟୁଏସ୍ ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍‌ଟି ବୋର୍ଡ ରିପୋର୍ଟ ଅନୁଯାୟୀ ନିର୍ମାଣ ଜନିତ ତ୍ରୁଟି ଏବଂ ଡିକମ୍ପ୍ରେସନ୍ ଯୋଗୁଁ ବିମାନ ଛାତର ଏକ ଅଂଶ ଉଡି ଚାଲିଯାଇଥିଲା । ଏପରିକି ବିମାନକୁ ଚଢୁଥିବାବେଳେ ଜଣେ ଯାତ୍ରୀ ବିମାନର ସମ୍ମୁଖ ଭାଗରେ ଏକ ଫାଟ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରିଥିଲେ । ତେବେ ଉଡାଣ ପୂର୍ବରୁ ସେ ଏହି ତ୍ରୁଟି ସମ୍ପର୍କରେ ପାଇଲଟ୍ କିମ୍ବା ଏୟାର ହୋଷ୍ଟେସଙ୍କୁ ଜଣାଇନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking