ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ କଞ୍ଜ୍ୟୁମର୍ ପ୍ରୋଟେକ୍ସନ୍ ଅଥରିଟି (ସିସିପିଏ) ସିଟ୍ବେଲ୍ଟ ଆଲାର୍ମ ଷ୍ଟପର୍ କ୍ଲିପ୍ ବିକ୍ରି ବନ୍ଦ କରିବାକୁ ଇ-କମର୍ସ କମ୍ପାନୀଗୁଡ଼ିକୁ ଆଦେଶ ଦେଇଛନ୍ତି । ସିସିପିଏର ଏହି ଆଦେଶ ପରେ ଦେଶର ପାଞ୍ଚଟି ବଡ଼ ଇ-କମର୍ସ କମ୍ପାନୀ ଆମାଜନ୍, ଫ୍ଲିପ୍କାର୍ଟ, ମିଶୋ, ସ୍ନାପ୍ଡିଲ୍ ଓ ଶପ୍କ୍ଲୁଜ୍ ୧୩,୧୧୮ ସିଟ୍ବେଲ୍ଟ ଆଲାର୍ମ ଷ୍ଟପର୍ କ୍ଲିପ୍କୁ ନିଜ ନିଜ ପ୍ଲାଟ୍ଫର୍ମରୁ ହଟାଇ ଦେଇଛନ୍ତି । ସିସିପିଏ କହିଛି, ଏହି କ୍ଲିପ୍ କଞ୍ଜ୍ୟୁମର୍ ପ୍ରୋଟେକ୍ସନ୍ ଆକ୍ଟର ଉଲ୍ଲଂଘନ ସହିତ କାର୍ ଚାଳକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଆମାଜନ୍ ନିଜ ପ୍ଲାଟ୍ଫର୍ମରୁ ଏହିପରି ପ୍ରାୟ ୮,୦୯୫ ସିଟ୍ବେଲ୍ଟ ଆଲାର୍ମ ଷ୍ଟପର୍ କ୍ଲିପ୍ ହଟାଇ ଦେଇଛି ।
ସେହିପରି ଫ୍ଲିପ୍କାର୍ଟ ପ୍ରାୟ ୫୦୦୦ ଏବଂ ମିଶୋ ପ୍ରାୟ ୨୧ କ୍ଲିପ୍ ପ୍ଲାଟ୍ଫର୍ମରୁ ହଟାଇ ଦେଇଛନ୍ତି । ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସଙ୍ଗ ଉଠାଯିବା ପରେ କଞ୍ଜ୍ୟୁମର୍ ବ୍ୟାପାର ମନ୍ତ୍ରଣାଳୟ କାର୍ ସିଟ୍ବେଲ୍ଟ ଆଲାର୍ମ ଷ୍ଟପର୍ କ୍ଲିପ୍ ବିକ୍ରି ଓ ଉତ୍ପାଦନ ରୋକିବା ପ୍ରସଙ୍ଗ ସିସିପିଏ ସଂଜ୍ଞାନକୁ ଆଣିଥିଲା । ଏହାପରେ ଚିଫ୍ କମିଶନର୍ ନିଧି ଖରେଙ୍କ ନେତୃତ୍ୱାଧୀନ ସିପିପିଏ ଯାଞ୍ଚ୍ କରିବା ପରେ କ୍ଲିପ୍ର ବିକ୍ରି ଓ ଉତ୍ପାଦନ ରୋକିବାକୁ ଆଦେଶ ଜାରି କରିଥିଲା ।