ଗାନ୍ଧିନଗର : ଏପ୍ରିଲ ୧୯ରେ ଆରମ୍ଭ ହୋଇଥିବା ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି । ଜୁନ୍ ୧ରେ ୮ଟି ରାଜ୍ୟରେ ୫୭ଟି ଆସନରେ ଭୋଟ୍ ଗ୍ରହଣ ହୋଇଯାଇଛି । ଏହା ସହ ଦେଶର ସର୍ବ ବୃହତ୍ତ ନିର୍ବାଚନ ସମାପ୍ତ ହୋଇଯାଇଛି । ତେବେ ୪୪ ଦିନର ନିର୍ବାଚନ ପ୍ରକ୍ରିୟା ପରେ, ଆଜି ହେଉଛି ଭୋଟ୍ ଗଣନା । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ଲୋକସଭା ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରେକର୍ଡ କରିଛନ୍ତି। ସେ ଗୁଜରାଟର ଗାନ୍ଧିନଗର ଆସନରୁ ରେକର୍ଡ କରିଛନ୍ତି, ୭ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ଆସନରୁ ସାଂସଦ ହେବାର ଗୌରବ ହାସଲ କରିଛନ୍ତି। ଏଠାରେ କଂଗ୍ରେସ ସୋନାଲ ପଟେଲଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଭୋଟ ଗଣତି ଆରମ୍ଭରୁ ହିଁ ଅମିତ ଶାହ ଆଗରେ ରହିଥିଲେ। ଶେଷରେ ସେ ୭ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଅମିତ ଶାହଙ୍କୁ ୧୦ ଲକ୍ଷରୁ ଅଧିକ ଭୋଟ ମିଳିଥିବା ବେଳେ ପଟେଲ ୨.୬୦ ଲକ୍ଷ ଭୋଟ ପାଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଅମିତ ଶାହ ଏଠାରେ ସିଜେ ଚାଭଡାଙ୍କୁ ପରାସ୍ତ କରିଥିଲେ। ଶାହଙ୍କୁ ୮,୯୪,୬୨୪ ଖଣ୍ଡ ଭୋଟ ମିଳିଥିଲା। ସେହିପରି ଚାଭଡା ୫,୫୭,୦୧୪ ଖଣ୍ଡ ଭୋଟ ପାଇଥିଲେ।