20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମାତ୍ର ୨୫ ସେକେଣ୍ଡ୍‌ରେ ହୁତିଙ୍କୁ ଧ୍ୱଂସ କରିଦେଲା ଆମେରିକା!

ମାତ୍ର ୨୫ ସେକେଣ୍ଡ୍‌ରେ ହୁତିଙ୍କୁ ଧ୍ୱଂସ କରିଦେଲା ଆମେରିକା!

ସନା: କିଛି ଦିନର ନିରବତା ପରେ ୟେମେନ୍ ଉପରେ ଆମେରିକା ପୁଣିଥରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛି। ନିକଟରେ ୟେମେନ୍‌ର ପଶ୍ଚିମ ପ୍ରଦେଶ ହୋଦେଇଦାହ ସହରରେ ଆମେରିକାର ବିମାନ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ହୁତି ଗଣମାଧ୍ୟମ ଏବଂ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ। ଏସବୁ ମଧ୍ୟରେ ଶୁକ୍ରବାର ପୁଣିଥରେ ଆମେରିକା ବାୟୁସେନା ହୁତୀ ବିଦ୍ରୋହୀଙ୍କ ଆଡ୍ଡା ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଏଥିରେ ମୃତ ହୁତୀ ବିଦ୍ରୋହୀଙ୍କ ବାସ୍ତବ ସଂଖ୍ୟା ଜଣାପଡ଼ିନଥିଲେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜାରି କରିଥିବା ଏକ ଭିଡିଓରୁ କିନ୍ତୁ ମୃତ ହୁତୀ ବିଦ୍ରୋହୀଙ୍କ ସଂଖ୍ୟା ୩୦ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ରିପୋର୍ଟ ଅନୁସାରେ ଟ୍ରମ୍ପ୍ ଏକ ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ସେୟାର କରିଛନ୍ତି। ଏହି ଭିଡିଓଟି ଆମେରିକା ସେନା ପକ୍ଷରୁ ଶୁକ୍ରବାର ହୋଇଥିବା ଏକ ଏୟାର ଷ୍ଟ୍ରାଇକ୍ ସମୟର ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ଏଥିରେ ୩୦ରୁ ଅଧିକ ଲୋକ ଏକ ଗୋଲ ଆକାରରେ ଠିଆ ହୋଇ କିଛି ଆଲୋଚନା କରୁଥିବାର ଦେଖାଯାଉଛି। କିନ୍ତୁ ଠିକ୍ ଏହି ସମୟରେ ଏକ ଶକ୍ତିଶାଳୀ ବୋମା ସଠିକ୍ ଭାବେ ସେମାନଙ୍କ ଉପରେ ମାଡ଼ କରାଯାଉଛି ଯେଉଁଥିରେ ପ୍ରଚଣ୍ଡ ବିସ୍ଫୋରଣ ହେଉଛି। ପରେ ଧୂଳି ଏବଂ ଧୂଆଁର ଏକ ଆସ୍ତରଣ ସମଗ୍ର ଅଞ୍ଚଳକୁ ଆଚ୍ଛାଦିତ କରିପକାଉଛି। ତଥାପି, ପରେ କ୍ୟାମେରା ଜୁମ ଆଉଟ ହୁଏ ଏବଂ ଘଟଣାସ୍ଥଳରେ ଅନେକ ଗାଡ଼ି ପାର୍କିଂ ହୋଇଥିବା ଦେଖାଯାଏ, ଯାହା ଫଳରେ ଆକ୍ରମଣ ଯୋଜନାବଦ୍ଧ ଭାବରେ କରାଯାଇଥିବା ପରି ମନେହୁଏ। ତେବେ ଏହି ଭିଡିଓ ସହିତ ଟ୍ରମ୍ପ ଯେଉଁ ବାର୍ତ୍ତା ଲେଖିଛନ୍ତି ତାହା ସ୍ପଷ୍ଟ ଭାବରେ ଆମେରିକୀୟ ନୀତି ଏବଂ ହୁତିମାନଙ୍କ ପ୍ରତି ଏହାର କଠୋର ମନୋଭାବକୁ ପ୍ରତିଫଳିତ କରେ। ସେ ଲେଖିଛନ୍ତି, ଏହି ଲୋକମାନେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ। କିନ୍ତୁ ବିଡମ୍ବନାର ବିଷୟ ଏହି ହୁତି ବିଦ୍ରୋହୀମାନେ ଏବେ ଆଉ ଆକ୍ରମଣ କରିପାରିବେ ନାହିଁ। ସେମାନେ ଆଉ କେବେ ଆମର ଜାହାଜକୁ ବୁଡ଼ାଇ ପାରିବେ ନାହିଁ।

ପ୍ରକାଶ, ୟେମେନରେ ହୁତି ବିଦ୍ରୋହୀମାନେ ଲାଲ ସାଗରରେ ଆମେରିକୀୟ ଏବଂ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରୁଛନ୍ତି। ଏହି ଆକ୍ରମଣଗୁଡ଼ିକ ବିଶେଷକରି ୨୦୨୩ରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମର୍ଥନ କରି କରାଯାଉଛି। ଏହି ଘଟଣାର ଜବାବରେ, ଆମେରିକା ହୁତିଙ୍କ ଘାଟି ଉପରେ ଅନେକ ବିମାନ ଆକ୍ରମଣ କରିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଶହଶହ ସଂଖ୍ୟକ ହୁତି ବିଦ୍ରୋହୀଙ୍କ ସମେତ ଅନେକ ନୀରିହ ଜନସାଧାରଣ ମଧ୍ୟ ପ୍ରାଣ ହରାଇଛନ୍ତି। ହୁତି ବିଦ୍ରୋହୀମାନଙ୍କୁ ଇରାନ ସମର୍ଥନ କରୁଥିବା ବିଶ୍ୱାସ କରାଯାଉଛି। ବିଶ୍ଳେଷକମାନେ ଆମେରିକାର ଆକ୍ରମଣକୁ ଇରାନର ବର୍ଦ୍ଧିତ ପ୍ରଭାବଶାଳୀ ଉପସ୍ଥିତି ଏବଂ ପରମାଣୁ କାର୍ଯ୍ୟକ୍ରମର ପ୍ରତିକ୍ରିୟା ଭାବରେ ଦେଖୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking