ପାରାଦୀପ: ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ପ୍ରସବ ବେଦନାରେ ଜର୍ଜରିତ ପତ୍ନୀକୁ ଟଲିରେ ମେଡିକାଲ ନେଉଥିବା ବେଳେ ମଝିରାସ୍ତାରେ ଏକ ଶିଶୁକନ୍ୟା ଜନ୍ମ ହୋଇଛି । ଏଭଳି ଏକ ଅଭାନବୀୟ ଘଟଣା ସୋମବାର ସକାଳେ ପାରାଦୀପ ନୂଆବଜାରରେ ଦେଖିବାକୁ ମିଳିଥିଲା । ଟଲି ଉପରେ ଶିଶୁକନ୍ୟା ଜନ୍ମ ଦେବା ଘଟଣା ସମଗ୍ର ପାରାଦୀପ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ରାପଡା ଜିଲ୍ଲା ଦୁହୁରିଆ ଅଞ୍ଚଳର ସରାଫତ ଖାଁ ପାରାଦୀପ ଷଣ୍ଢକୁଦ ଅଞ୍ଚଳରେ ଏକ ହୋଟେଲ୍ରେ କାମ କରନ୍ତି । ତାଙ୍କ ସ୍ତ୍ରୀ ସଲାମୁନ୍ ଖାତୁନ୍ ଗତ କିଛିଦିନ ହେବ ପାରାଦୀପ ଆସି ସମୁଦ୍ରକୂଳ ଶୌଚାଳୟରେ ସରାଫତଙ୍କ ସହିତ ରହୁଥିଲେ ।
ସୋମବାର ସକାଳେ ପ୍ରସବ ବେଦନା ହେବାରୁ ସରାଫତ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ଏକ ଟଲିରେ ବସାଇ ମେଡିକାଲ ନେଉଥିଲେ । ଅଳ୍ପ ଦୂର ଆସିବା ପରେ ନୂଆବଜାର ମଝିରାସ୍ତାରେ ସଲାମୁନ୍ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ସ୍ଥାନୀୟ ମହିଳାମାନେ ତୁରନ୍ତ ସ୍ୱାସ୍ଥ୍ୟକର୍ମୀ ପ୍ରେମଲତା ବାରିକଙ୍କୁ ଆସିବାକୁ ଖବର ଦେଇଥିଲେ ।
ସ୍ଥାନୀୟ ମହିଳାମାନେ ସଲାମୁନ୍ ବସିଥିବା ଟଲି ଚାରି ପାଖେ ଲୁଗା ଘୋଡାଇ ଦେଇଥିଲେ । ଶ୍ରୀମତୀ ବାରିକ ସେଠାରେ ପହଞ୍ଚି ସଲାମୁନ୍ ଓ ନବଜାତ କନ୍ୟାର ସ୍ୱାସ୍ଥ୍ୟାବସ୍ଥା ଦେଖିଥିଲେ । ପରେ ପାରାଦୀପ ବନ୍ଦର ଚିକିତ୍ସାଳୟ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଥିଲା । ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମା’ ଓ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଭଲ ଥିବା ଜଣାପଡ଼ିଛି ।