27.1 C
Bhubaneswar
Saturday, July 12, 2025
Homeବିଜିନେସ୍ବିଶ୍ୱ ଧନୀ ମାନ୍ୟତାର ୯ରେ ଅମ୍ବାନୀ; ଦ୍ୱିତୀୟରୁ ୨୩କୁ ଖସିଲେ ଆଦାନୀ

ବିଶ୍ୱ ଧନୀ ମାନ୍ୟତାର ୯ରେ ଅମ୍ବାନୀ; ଦ୍ୱିତୀୟରୁ ୨୩କୁ ଖସିଲେ ଆଦାନୀ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀଙ୍କ ତାଲିକାରେ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ଦ୍ୱିତୀୟରୁ ୨୩ ନମ୍ବରକୁ ଖସି ଆସିଛନ୍ତି । ବୁଧବାର ପ୍ରକାଶିତ ହୋଇଥିବା ଏମ୍‌୩ଏମ୍ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ୨୦୨୩ରେ ଏହି ତଥ୍ୟ ପ୍ରକାଶ ପାଇଛି । ନେଟ୍ ମୂଲ୍ୟରେ ୩୫% ହ୍ରାସ ସହିତ ଆଦାନୀଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୫୩ ବିଲିୟନ ଡଲାରରେ ପହଞ୍ଚିଛି । ହୁରୁନ ଅନୁଯାୟୀ, ଗତବର୍ଷ ତୁଳନାରେ ଆଦାନୀ ୨୮ ବିଲିୟନ ଡଲାର ବା ସପ୍ତାହକୁ ୩୦୦୦ କୋଟି ଟଙ୍କା ହରାଇଛନ୍ତି । ସେହିଭଳି ଗ୍ଲୋବାଲ୍ ରିଚ୍ ତାଲିକା ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍‌) ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ୮୨ ବିଲିୟନ ସହ ଦୁନିଆର ଟପ୍ ୧୦ ଧନୀଙ୍କ ଭିତରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ।

କମ୍ପାନୀର ନେଟ୍ ମୂଲ୍ୟରେ ୨୦% ହ୍ରାସ ସତ୍ତ୍ୱେ ମୁକେଶ ଏସିଆର ସବୁଠାରୁ ଧନୀ ଭାବେ କ୍ରମାଗତ ତୃତୀୟବର୍ଷ ନିଜର ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟ ଭାରତୀୟ ବିଲିୟନେୟାର ଭାରତୀୟଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି ସାଇରସ୍ ପୁନାୱାଲା । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସାଇରସ୍ ପୁନାୱାଲା ୨୭ ବିଲିୟନ ଡଲାର୍ ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଶିବ ନାଦର ଏବଂ ପରିବାର ୨୬ ବିଲିୟନ ଡଲାର୍ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି ଏବଂ ଲକ୍ଷ୍ମୀ ମିତ୍ତଲ ୨୦ ବିଲିୟନ ଡଲାର୍ ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି । ଏହାପରେ ଏସପି ହିନ୍ଦୁଜା ଏବଂ ପରିବାର, ଦିଲୀପ ସାଙ୍ଗଭି ଏବଂ ପରିବାର, ରାଧାକିଷାନ ଦାମନୀ, କୁମାର ମଙ୍ଗଲମ ବିର୍ଲା ଏବଂ ଉଦୟ କୋଟାକ୍ ଦଶମ ସ୍ଥାନରେ ଅଛନ୍ତି । ବିଶ୍ୱ ମାନ୍ୟତାରେ ଅମ୍ବାନୀ ୯ ନମ୍ବରରେ ଅଛନ୍ତି ।

ଗୌତମ ଆଦାନୀ ୨୩ତମ ଏବଂ ସାଇରସ୍ ଏସ୍ ପୁନାୱାଲାଙ୍କ ମାନ୍ୟତା ୪୬ତମ ସ୍ଥାନରେ ରହିଛି । ଶିବ ନାଦର ୫୦ ନମ୍ବରରେ ଏବଂ ଲକ୍ଷ୍ମୀ ଏନ୍ ମିତ୍ତଲ ର‌୍ୟାଙ୍କିଙ୍ଗରେ ୭୬ ନମ୍ବରରେ ଅଛନ୍ତି । ଦେଶରେ ୧୮୭ ବିଲିୟନେୟାର ରହୁଥିବା ବେଳେ ହୁରୁନ ତାଲିକା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ବିଲିୟନେୟାରଙ୍କ ଦେଶ ଭାବରେ ପରିଗଣିତ ହେଉଛି । ଚଳିତବର୍ଷ ୧୬ ଜଣ ନୂତନ ଭାରତୀୟ ବିଲିୟନେୟାର ଏହି ତାଲିକାରେ ଯୋଡ଼ିହୋଇଛନ୍ତି । ଏଥିସହିତ, ଭାରତୀୟ ବିଲିୟନେୟାରଙ୍କ ସଂଖ୍ୟା ୨୧୭କୁ ବୃଦ୍ଧିପାଇଛି । ମୁମ୍ବାଇରେ ୬୬ ବିଲିୟନେୟାର ଅଛନ୍ତି । ତା’ପଛକୁ ନୂଆଦିଲ୍ଲୀରେ ୩୯ ଏବଂ ବେଙ୍ଗାଲୁରୁରେ ୨୧ଜଣ ରହିଛନ୍ତି ।

ବିଶ୍ୱରେ କୋଟିପତିଙ୍କ ସଂଖ୍ୟା ୨୦୨୩ରେ ୩,୩୮୪ ରୁ ୩,୧୧୨କୁ ହ୍ରାସ ହେବାକୁ ଯାଉଛି । ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୨ ତୁଳନାରେ ବିଲିୟନେୟାରଙ୍କ ସଂଖ୍ୟା ୮% ହ୍ରାସପାଇଛି ଏବଂ ସେମାନଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ ୧୦% ଖସିଆସିଛି । ପ୍ରାୟ ୧,୦୭୮ ବିଲିୟନେୟାରଙ୍କର ନେଟ୍ ମୂଲ୍ୟ ବୃଦ୍ଧିପାଇଛି । ସେମାନଙ୍କ ମଧ୍ୟରୁ ୧୭୬ଜଣ ନବାଗତ । ପ୍ରାୟ ୨,୪୭୯ ଜଣଙ୍କର ନେଟ୍ ମୂଲ୍ୟ ହ୍ରାସ ପାଇଛି କିମ୍ବା ସମାନରହିଛି । ୯ ଟି ଦେଶରେ ରହିଛି ହୁରୁନର ଉପସ୍ଥିତି । ୧୯୯୮ରେ ଏହା ଲଣ୍ଡନରେ ପ୍ରତିଷ୍ଠିତ ହୋଇଥିଲା । ଭାରତ, ଚୀନ୍‌, ଫ୍ରାନ୍ସ, ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ, ଜାପାନ, କାନାଡା ଏବଂ ଲକ୍ସେମବର୍ଗରେ ଏହାର ଉପସ୍ଥିତି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking