28.1 C
Bhubaneswar
Saturday, July 27, 2024
Homeଓଡିଶାରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ର ହେବ ଜିରୋ କପି ଜୋନ୍‌

ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ର ହେବ ଜିରୋ କପି ଜୋନ୍‌

ଭୁବନେଶ୍ୱର : ଉଭୟ ମ୍ୟାଟ୍ରିକ ଏବଂ ଦ୍ୱାଦଶ ପରୀକ୍ଷାରେ ସର୍ବାଧିକ ସ୍ୱଚ୍ଛତା ଆଣିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହେଉଛି । ବିଶେଷକରି ପରୀକ୍ଷାରେ ସ୍ୱଚ୍ଛତା ଆଣିବା ସହ ମୁଲ୍ୟାଙ୍କନରେ ମଧ୍ୟ ସ୍ୱଚ୍ଛତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ରାଜ୍ୟର ସମସ୍ତ ମ୍ୟାଟ୍ରିକ କେନ୍ଦ ସମେତ ସମସ୍ତ ଜୁନିୟର କଲେଜରେ ସିସି କ୍ୟାମେରା ଲଗାଈବା ବାଧ୍ୟତାମୂଳ ହୋଇଛି । ରାଜ୍ୟର ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରକୁ ଜିରୋ କପି ଜୋନ୍ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଯେଉଁମାନେ ନିୟମକୁ ଅବମାନନା କରିବାକୁ ଉଦ୍ୟମ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରାଜ୍ୟରେ ଉଭୟ ମାଟ୍ରିକ ଏବଂ ଦ୍ୱାଦଶ ପରୀକ୍ଷା ଲାଗି ପ୍ରତିବର୍ଷ ବିଭାଗ ପକ୍ଷରୁ ବହୁ କସରତ କରିବାକୁ ପଡୁଛି । ଗତ ୨ବର୍ଷ ହେବ ଉଭୟ ମାଟ୍ରିକ ଏବଂ ଦ୍ୱାଦଶ ପରୀକ୍ଷା ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ପଡୁଛି । ମାତ୍ର ଦ୍ୱାଦଶଶ୍ରେଣୀ ପରୀକ୍ଷାରେ ପ୍ରତିବର୍ଷ ଉଭୟ ପ୍ରାକ୍ଟିକାଲ ଏବଂ ଥିଓରୀରେ ଅନେକ ସମସ୍ୟା ଉପୁଜିୁଛି । ଅନେକ କଲେଜରେ ପରୀକ୍ଷାରେ କପି ଏବଂ ଅନ୍ୟାନ୍ୟ ତୃଟି ଉପୁଜିଥିବାର ଅଭିଯୋଗ ହେଉଛଇ । ତେଣୁ ଗତବର୍ଷ ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ବାଧ୍ୟତାମୂଳ କରାଯାଇଥିଲେ ହେଁ ମାତ୍ର ୪୫% କେନ୍ଦ୍ରରେ ତାହା ଲାଗୁ କରାଯାଇଥିଲା । ମାତ୍ର ଆସନ୍ତା ଶିକ୍ଷାବର୍ଷରୁ ଏପରି ଅବ୍ୟବସ୍ଥାକୁ ବରଦାସ୍ତ କରାଯିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏପରିକି ରାଜ୍ୟରେ ସବୁ ପରୀକ୍ଷାକେନ୍ଦ୍ର ଭିତ୍ତିଭୂମିରେ ବିକାଶ ଆଣିବା ସହ କପି ରୋକିବା ଲାଗି ସର୍ବାଧିକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ସବୁ କେନ୍ଦ୍ରକୁ ଜିରୋ କପି ଜୋନ୍ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏନେଇ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ଉଭୟ ମାଟ୍ରିକ ଏବଂ ଦ୍ୱାଦଶ ପରୀକ୍ଷା ଲାଗି ୨ଟି ଭିନ୍ନ ଭିନ୍ନ କମିଟି ଗଠନ କରାଯିବ । ପରୀକ୍ଷାର ଦେଢ଼ମାସ ପୂର୍ବରୁ ସବୁ ପରୀକ୍ଷାକେନ୍ଦ୍ରକୁ ଯାଞ୍ଚ କରାଯିବା ସହ ଏଣିକି ସବୁ ଶ୍ରେଣୀ ଏବଂ ପ୍ରଶ୍ନପତ୍ର ରଖାଯାଉଥିବା କକ୍ଷରେ ସିସି କ୍ୟାମେରା ଲଗାଯିବ । ବିଭାଗ ପକ୍ଷରୁ ଯେଉଁ କମିଟି ଗଠନ କରାଯିବ ସେଥିରେ ଦଶମ ଶ୍ରେଣୀ ଲାଗି ବୋର୍ଡ କାର୍ଯ୍ୟାଳୟର ୪ଜଣ ଅଧିକାରୀଙ୍କ ସମେତ ୧୩ଜଣ ସଦସ୍ୟ ରହିବେ । ସେହିପରି ଦ୍ୱାଦଶ ପରୀକ୍ଷାକେନ୍ଦ୍ର ଯାଞ୍ଚ ଲାଗି ଯାଞ୍ଚ କମିଟିରେ +୨ପରିଷଦର ଅଧିକାରୀଙ୍କ ସମେତ ସରକାରୀ ଜୁନିୟର କଲେଜର ଅଧ୍ୟକ୍ଷମାନେ ସାମିଲ ହେବେ ।୨୦୨୪ ପରୀକ୍ଷାରୁ ଏହି ନିୟମ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଗଣଶିକ୍ଷା ବିଭାଗର ଅଧିକାରୀଙ୍କ କହିବା ଅନୁସାରେ ଆଜି ଜାତୀୟସ୍ତରରେ ଯେଉଁ ସବୁ ପରୀକ୍ଷା ଅନୁଷ୍ଠିତ ହେଉଛି ସେଥିରେ ଓଡ଼ିଆ ପିଲା ଉତ୍ତମ ପ୍ରଦର୍ଶନ କରିପାରୁନାହାଁନ୍ତି । ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ, ଛାତ୍ର ଛାତ୍ରୀମାନଙ୍କର ଶିକ୍ଷଣର ମାନ ଅଭିବୃଦ୍ଧି ପାଇଁ ଏହାର ପ୍ରୟାସ ଆବଶ୍ୟକ । ପରୀକ୍ଷାରେ ସ୍ୱଚ୍ଛତା ଆଣିବା ସହ ଗୁଣାତ୍ମକ ଶିକ୍ଷ ପ୍ରଦାନ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯିବ । ତେବେ ରାଜ୍ୟରେ ଶିକ୍ଷାର ବିକାଶ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ସରକାର ଯୋଜନା କରୁଥିବା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଜିରୋ କପି ଜୋନ୍ କରିବାର ପ୍ରୟାସକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି । ଏହାବ୍ୟତିତ ଉଭୟ ମ୍ୟାଟ୍ରିକ ଓ +୨ ପରୀକ୍ଷାରେ ସ୍ୱଚ୍ଛତା ଲାଗି ଏହି ପଦକ୍ଷେପ ଆସନ୍ତା ଶିକ୍ଷାବର୍ଷରୁ ନିଆଯିବ ।

ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଲାଗି ପରୀକ୍ଷା ସବୁ ଶୀଘ୍ର ହେବାର ସମ୍ଭାବନା ରହିଥିବାରୁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଲାଗି ଜାନୁଆରୀ ଶେଷ ସୁଦ୍ଧା ସବୁ ପରୀକ୍ଷା କେନ୍ଦ୍ର ଯାଞ୍ଚ କରାଯିବ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ, ଘରୋଇ, ଅନୁଦାନପ୍ରାପ୍ତ, ସରକାରୀ ସ୍ୱିକୃତୀପ୍ରାପ୍ତ ସବୁ ସ୍କୁଲ ଓ କଲେଜ ଲାଗି ଏହି ନିୟମ କଡ଼ାକଡ଼ି କରାଯିବ । ସ୍କୁଲ ଲାଗି ୬ଟି ନିୟମକୁ ଗୁରୁତ୍ୱ ଦିଆଯାଇଥିବା ବେଳେ +୨ ପରୀକ୍ଷା ଲାଗି ଜୁନିୟର କଲେଜରେ ୯ଟି ବିଷୟକୁ ଗୁରୁତ୍ୱ ଦିଆଯାଇଛି । ଭିତ୍ତିଭୂମି, ଉଚ୍ଚ ପାଚେରୀ, ସିସି କ୍ୟାମେରା, ମୁଖ୍ୟ ଫାଟକ ଏବଂ ବିଲ୍ଡିଂରେ ସୁରକ୍ଷା, ଅଧିକ ଶିକ୍ଷକ, ଶ୍ରେଣୀରେ ଫ୍ୟାନ୍‌, ଲାଇଟ୍‌, ଝରକା କବାଟ ସହ ସବୁ ମୌଳିକ ବ୍ୟବସ୍ଥା ରଖାଯିବ । ମ୍ୟାଟ୍ରିକ ପରୀକ୍ଷାରେ ତ୍ରୀସ୍ତରୀୟ ଏବଂ +୨ ପରୀକ୍ଷାରେ ଚତୁଃସ୍ତରୀୟ ଯାଞ୍ଚ ଏବଂ ସ୍କ୍ୱାଡ ଗଠନ କରାଯିବ । ତେବେ ଯେଉଁ ସ୍କୁଲରେ କିମ୍ବା କଲେଜରେ କପି ହେଉଥିବା ଜଣାପଡେ ସେହି ଅନୁଷ୍ଠାନର ପ୍ରଧାନଶିକ୍ଷକ କିମ୍ବା ଅଧ୍ୟକ୍ଷଙ୍କୁ ଛଟେଇ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking