ନୂଆଦିଲ୍ଲୀ: ବରିଷ୍ଠ ନେତା ଅଜ ମାକେନ ଏଆଇସିସି କୋଷାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପକ୍ଷରୁ ନିଯୁକ୍ତି ନେଇ ସୂଚନା ଜାରି ରହିଛି । ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଓ ବିରୋଧୀ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ନିଜ ନିଜର ସଂଗଠନ ସଜାଡ଼ିବାରେ ବ୍ୟସ୍ତ ରହିଛନ୍ତି ।
ତେବେ ଏହା ମଧ୍ୟରେ କଂଗ୍ରେସ ଏକ ବଡ଼ ଘୋଷଣା କରିଛି । ଦଳର ବରିଷ୍ଠ ନେତା ଅଜୟ ମାକେନଙ୍କୁ ନୂଆ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମାକେନଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି । ଏହି ନିଷ୍ପତ୍ତି ତ୍ୱରିତ ଭାବେ କାର୍ୟ୍ୟକାରୀ ହେବ । ଦଳର ମହାସଚିବ କେ.ସି ବେଣୁଗୋପାଳ ଏନେଇ ସୂଚନା ଦେଇଛନ୍ତି ।
ଏଆଇସିସିର ପୂର୍ବତନ କୋଷାଧ୍ୟକ୍ଷ ପବନ କୁମାର ବନସଲଙ୍କ ସ୍ଥାନରେ ଶ୍ରୀ ମାକେନ ଏହି ଦାୟିତ୍ୱ ତୁଲାଇବେ ।