27.1 C
Bhubaneswar
Tuesday, September 17, 2024
Homeଓଡିଶାବିଧାନସଭା ନିର୍ବାଚନ ଜିତିବାପରେ ବିଜେପି ହାଇକମାଣ୍ଡଙ୍କ ନିର୍ଦ୍ଦେଶ; ୨ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୦ ସାଂସଦଙ୍କ ଇସ୍ତଫା

ବିଧାନସଭା ନିର୍ବାଚନ ଜିତିବାପରେ ବିଜେପି ହାଇକମାଣ୍ଡଙ୍କ ନିର୍ଦ୍ଦେଶ; ୨ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୦ ସାଂସଦଙ୍କ ଇସ୍ତଫା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ବିଜୟୀ ହେବାପରେ ବିଜେପିର ୧୦ ଜଣ ସାଂସଦ ବୁଧବାର ଏହି ପଦରୁ ଇସ୍ତଫା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଦୁଇଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଲୋଚନା କରିବାପରେ ଏମାନେ ଗୃହ ଅଧ୍ୟକ୍ଷଙ୍କୁ ନିଜର ଇସ୍ତଫାପତ୍ର ଦେଇଥିବା ଜଣାପଡିଛି । ୯ ଜଣ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଇସ୍ତଫାପତ୍ର ଦେଇଥିବାବେଳେ ଏକମାତ୍ର ରାଜ୍ୟସଭା ସାଂସଦ କିରୋଡିମଲ ମୀନା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ସୂଚନାଯୋଗ୍ୟ ନଭେମ୍ବରରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପର୍ଯ୍ୟାୟକ୍ରମେ ଭୋଟଗ୍ରହଣ କରାଯାଇ ଡିସେମ୍ବର ୩ ଓ ୪ରେ ଫଳାଫଳ ଘୋଷଣା କରାଯାଇଛି ।

ବିଧାନସଭା ନିର୍ବାଚନରେ ବିଜେପିର ମୋଟ ୧୨ ଜଣ ସାଂସଦ ବିଜୟୀ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା ଦୁଇ କେନ୍ଦ୍ରମନ୍ତ୍ରୀ ହେଲେ ନରେନ୍ଦ୍ର ସିଂହ ତୋମାର ଓ ପ୍ରହ୍ଲାଦ ପଟେଲ । ବୁଧବାର ଇସ୍ତଫା ଦେଇଥିବା ଅନ୍ୟ ବିଜେପି ସାଂସଦ ହେଲେ ରାକେଶ ସିଂହ, ଉଦୟ ପ୍ରତାପ ସିଂହ, ରିତି ପାଠକ (ସମସ୍ତେ ମଧ୍ୟପ୍ରଦେଶ), ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଦିୟା କୁମାରୀ (ରାଜସ୍ଥାନ), ଅରୁଣ ସାଓ ଓ ଗୋମତି ସାଏ (ଛତିଶଗଡ) । ଅନ୍ୟ ଦୁଇ ବିଜେପି ସାଂସଦ ବାବା ବାଳକନାଥ (ରାଜସ୍ଥାନ) ଓ ରେଣୁକା ସିଂହ (ଛତିଶଗଡ) ନିର୍ବାଚନ ଜିତିଥିଲେ ସୁଦ୍ଧା ଇସ୍ତଫା ଦେଇନାହାନ୍ତି । ଜଣେ ବ୍ୟକ୍ତି ଏକାସାଙ୍ଗରେ ସାଂସଦ ଓ ବିଧାୟକଭାବେ କାର୍ଯ୍ୟ କରିବାର ବ୍ୟବସ୍ଥା ସମ୍ବିଧାନରେ ନଥିବାରୁ ଏହି ସଂସଦମାନେ ଇସ୍ତଫା ଦେଇଥିବା କୁହାଯାଇଛି । ଇସ୍ତଫା ଦେଇଥିବା ଏକାଧିକ ସାଂସଦ ଏହି ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ଅଛନ୍ତି ।

ଇସ୍ତଫା ଦେବାପରେ ବିଜେପି ହାଇକମାଣ୍ଡ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କିତ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ନଡ୍ଡାଙ୍କ ଉପସ୍ଥିତିରେ ଦୀର୍ଘ ୫ ଘଣ୍ଟା ଆଲୋଚନା ହେବାପରେ ଏହି ଇସ୍ତଫା ପ୍ରକ୍ରିୟା ସମ୍ପାଦିତ ହୋଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୫ କେନ୍ଦ୍ରମନ୍ତ୍ରୀଙ୍କ ସମେତ ମୋଟ ୨୧ ଜଣ ସାଂସଦଙ୍କୁ ପ୍ରାର୍ଥୀ କରାଯାଇଥିଲା । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପିର ୭ ଲେଖାଏଁ ସାଂସଦ ଥିବାବେଳେ ଛତିଶଗଡରେ ୪ ଓ ତେଲେଙ୍ଗାନାରେ ୩ ଜଣ ସାଂସଦ ରହିଛନ୍ତି ।

ଏମାନଙ୍କ ମଧ୍ୟରେ ରାଜସ୍ଥାନରେ ୩ ଜଣ, ମଧ୍ୟପ୍ରଦେଶରେ ୨ ଜଣ ଏବଂ ଛତିଶଗଡରେ ଜଣେ ସାଂସଦ ନିର୍ବାଚନ ହାରିଛନ୍ତି । ଛତିଶଗଡରେ ଦୁଇ କେନ୍ଦ୍ରମନ୍ତ୍ରୀ ରେଣୁକା ସିଂହ ଓ ଗୋମତି ସାଏ ଜିତିଥିବାବେଳେ ଅନ୍ୟ ଜଣେ କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲାସ୍ତେଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ସୂଚନାଯୋଗ୍ୟ ଉପରୋକ୍ତ ତିନି ରାଜ୍ୟ ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲା । କେବଳ ମୋଦୀଙ୍କ ବ୍ୟାନରରେ ଦଳ ନିର୍ବାଚନ ଲଢିଥିଲା । ତେବେ ବିଜେପିର ଏହି ରଣନୀତି ଫଳପ୍ରଦ ପ୍ରମାଣିତ ହୋଇଛି । ଅପରପକ୍ଷରେ ଏହି ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଦୌଡରେ ଏକାଧିକ ହେଭିୱେଟ୍ ନେତା ସାମିଲ ଅଛନ୍ତି । ରାଜସ୍ଥାନରେ ଏମାନଙ୍କ ତାଲିକା ସବୁଠାରୁ ଲମ୍ବା । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଚୌହ୍ୱାନ, କିରୋଡିମଲ ମୀନା, ରାଜ୍ୟ ବିଜେପି ସଭାପତି ସିପି ଜୋଷୀ ଓ ବାବା ବାଳକନାଥ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି ।

ମଧ୍ୟପ୍ରଦେଶ ପାଇଁ ଶିବରାଜ ସିଂହ ଚୌହ୍ୱାନ ଏବେସୁଦ୍ଧା ସର୍ବାଗ୍ରେ ରହିଥିଲେ ସୁଦ୍ଧା ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ପଛୁଆ ବର୍ଗ ନେତା କୈଳାସ ବିଜୟଭର୍ଗିଆ ଓ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଦୌଡରେ ସାମିଲ ଅଛନ୍ତି । ଛତିଶଗଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଉପରେ ହାତୀ ପୁଣି ସୁନାକଳସ ଢାଳିପାରେ ବୋଲି ଚର୍ଚ୍ଚା ଚାଲିଥିବାବେଳେ ରାଜ୍ୟ ବିଜେପି ସଭାପତି ଅରୁଣ କୁମାର ସାଓ, ବିରୋଧୀ ଦଳ ନେତା ଧରମଲାଲ କୌଶିକ୍ ଓ ପୂର୍ବତନ ଆଇଏଏସ୍ ଅଫିସର ଓ.ପି. ଚୌଧୁରୀ ମଧ୍ୟ ଦୌଡରେ ସାମିଲ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking