ବୀରମହାରାଜପୁରର: ପତ୍ନୀଙ୍କ ସହ ପାରିବାରିକ କଳହ ଯୋଗୁଁ ଜୀବନ ହାରିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ୱାମୀ । କିନ୍ତୁ ଆମ୍ବଗଛରେ ଝୁଲିପଡ଼ି ଜୀବନ ହାରିବା ପରେ ନିଜ ଝିଅର ଅବସ୍ଥା କ’ଣ ହେବ ସେଥିପାଇଁ ମଧ୍ୟ ଯୁବକ ଜଣକ ଚିନ୍ତା କରିଛନ୍ତି । ନିଜ ନାମରେ ଥିବା ସମସ୍ତ ସମ୍ପତ୍ତି ଝିଅ ନାମରେ କରିଦେବାକୁ ସୁଇସାଇଡ ନୋଟ୍ ମାଧ୍ୟମରେ ପତ୍ନୀଙ୍କ ନିକଟରେ ଅନୁରୋଧ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବୀରମହାରାଜପୁରର ଥାନା ଅନ୍ତର୍ଗତ କଳାପଥର ପଞ୍ଚାୟତ ପଧାନପାଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆମ୍ବଗଛରୁ ଉଦ୍ଧାର ହୋଇଥିବା ମୃତ ଯୁବକ ହେଲେ ପଧାନପାଲି ଗାଁର କରୁଣାକର ପ୍ରଧାନଙ୍କ ପୁଅ ସୁବର୍ଣ୍ଣ ପଧାନ (ହାଡୁ, ୩୦ ବର୍ଷ) ।
ସୂଚନା ଅନୁଯାୟୀ, ସୁବର୍ଣ୍ଣ ପଧାନ ସୋମବାର ସ୍ତ୍ରୀ ନିରୁପମା ଓ ଏକ ବର୍ଷ ୩ ମାସର ଝିଅଙ୍କୁ ନେଇ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିକଟସ୍ଥ ଲୁଚାବନ୍ଧ ଗ୍ରାମକୁ ଯାଇଥିଲେ । ସେଠାରେ ନିରୁପମାଙ୍କ ସହିତ ତାଙ୍କର କିଛି କଥାକୁ ନେଇ ମନୋମାଳିନ୍ୟ ସୃଷ୍ଟି ହୋଇଥିବାର କୁହାଯାଉଛି । ଏହା ପରେ ସୁବର୍ଣ୍ଣ ସେଠାରୁ ରାତାରାତି ବାଇକ୍?ରେ ଏକୁଟିଆ ଘରକୁ ଫେରି ଆସିଥିଲେ । ସେ ଘରେ ବାଇକ୍ ରଖି ଗାଁପାଖ ଏକ ଆମ୍ବଗଛରେ ବେକରେ ରସି ଲଗାଇ ଝୁଲିପଡ଼ିଥିଲେ । କିନ୍ତୁ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ସୁସାଇଡ ନୋଟ୍ରେ ନିଜର ଏଟିଏମ୍ ପାସ୍ୱାର୍ଡ ଲେଖିଦେବା ସହିତ ସମସ୍ତ ସମ୍ପତ୍ତି ଝିଅକୁ ଦେବାକୁ ତାଙ୍କ ପତ୍ନୀଙ୍କ ନିକଟରେ ଅନୁରୋଧ କରିଛନ୍ତି । ମଙ୍ଗଳବାର ଦିନ ଆମ୍ବ ଗଛରେ ସୁବର୍ଣ୍ଣଙ୍କ ଶବ ଝୁଲୁଥିବା କିଛି ଲୋକ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଥାନା ଅଧିକାରୀ ରାଜେଶ୍ୱରୀ ଭୋଇଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଂଚି ଥିଲା ।
ଅମ୍ବଗଛରୁ ସୁବର୍ଣ୍ଣଙ୍କୁ ଉଦ୍ଧାର କରି ବୀରମହାରାଜପୁରର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲା । ସେଠାରେ ଡାକ୍ତର ସୁବର୍ଣ୍ଣଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ଶବ ଜବତ୍ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଏଏସଆଇ ପ୍ରଦିପ କୁମାର ସାହୁ ଅଧିକ ତଦନ୍ତ ଚଳାଇଛନ୍ତି । ପ୍ରକୃତରେ ସୁସାଇଡାଲ୍ ନୋଟ୍ ସୁବର୍ଣ୍ଣ ନିଜେ ଲେଖିଛନ୍ତି ନା ଅନ୍ୟ କାହାର ଲେଖା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ଶ୍ରୀ ସାହୁ । ଅନ୍ୟପଟରେ ସୁବର୍ଣ୍ଣ ଜଣେ ଶାନ୍ତ ଓ ମେଳାପି ଯୁବକ ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ କହୁଛନ୍ତି । କେଉଁ ପରିସ୍ଥିତିରେ ସେ ଏଭଳି ପଦକ୍ଷେପ ନେଇଛନ୍ତି ଚିନ୍ତା କରିହେଉ ନାହିଁ ବୋଲି ମୃତକଙ୍କ ବଡ଼ ଭାଇ ଗୁପ୍ତେଶ୍ୱର କହିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।