ଭୁବନେଶ୍ୱର: ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତିକୁ ଆଉ ବତିଶ ଦିନ ବାକି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଧାର୍ଯ୍ୟ ତାରିଖ ପୂର୍ବରୁ ମନ୍ତ୍ରୀ ପରିଷଦର ସଦସ୍ୟଙ୍କୁ ନିଜର ବ୍ୟକ୍ତିଗତ ଓ ବିଭାଗର ପ୍ରଦର୍ଶନ ରିପୋର୍ଟ ବିସ୍ତୃତ ଭାବେ ଦେବାକୁ ଚିଠି ଲେଖିଛନ୍ତି । ଉକ୍ତ ରିପୋର୍ଟ ମିଳିବା ପରେ ମେ’ ୨୨ରୁ ବିଭାଗୱାରି ସମୀକ୍ଷା ହେବ ଏବଂ ୫-ଟି ମୋ ସରକାର ଉପକ୍ରମ ସମ୍ପର୍କିତ ତଥ୍ୟ ଲୋକଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ନବୀନ ପଟ୍ଟନାୟକ ଓଡ଼ିଶାରେ କ୍ରମାଗତଃ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି । ପିତା ସ୍ୱର୍ଗତ ବିଜୁ ବାବୁଙ୍କ ଦେହାନ୍ତ ପରେ ସେ ରାଜନୀତି ଭିତରକୁ ପ୍ରବେଶ କରିଥିଲେ । ବିଜୁ ବାବୁଙ୍କ ପ୍ରତି ଥିବା ଓଡ଼ିଶାବାସୀଙ୍କ ଭଲ ପାଇବା ଓ ସ୍ନେହ ଶ୍ରଦ୍ଧା ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିବାରେ ସାହାଯ୍ୟ କରିଥିଲା । ନବୀନ ପ୍ରଥମେ ୧୯୯୭ରେ ଜନତା ଦଳରୁ ଆସିକା ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଜିତିଥିଲେ । ପରେ ୧୯୯୭ ଡିସେମ୍ବର ୨୬ରେ ଗଠନ ହେଲା ବିଜୁ ଜନତା ଦଳ ।
ସେବେଠାରୁ ସେ ମଧ୍ୟ ବିଜୁ ଜନତା ଦଳର ସୁପ୍ରିମୋ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ । ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଭରସା ନବୀନ ପଟ୍ଟନାୟକଙ୍କ ଉପରେ ରହି ଆସିଛି । ୨୦୦୦ରେ ଶାସନ ଭାର ସମ୍ଭାଳିବା ସହ ଓଡ଼ିଶାବାସୀଙ୍କ ପ୍ରତିଟି ଦୁଃଖ ସୁଖରେ ସାହା ପାଲଟିଛନ୍ତି । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟରେ ଶାସନ କରିବା ପରେ ୨୦୦୯ ପରଠାରୁ ଏକାକୀ ବିଜେଡି ରାଜ୍ୟ ବିକାଶର ଦାୟିତ୍ୱ ନେଇଛି । ତେବେ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତିକୁ ଆଉ ବତିଶ ଦିନ ବାକି । ଅର୍ଥାତ ଆସନ୍ତା ମେ’ ୨୯ରେ ତାହା ପୂରଣ ହେବ । ତେଣୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ଼ ପରଖିବେ । ଆସନ୍ତା ମେ’ ୨୨ରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସମୀକ୍ଷା କରିବେ । ସେଥିପାଇଁ ସବୁ ମନ୍ତ୍ରୀ ନିଜ ବିଭାଗର ପାଞ୍ଚ ପ୍ରମୁଖ କାର୍ଯ୍ୟାବଳୀର ବିବରଣୀ ପ୍ରଦାନ କରିବେ ।
ରାଜ୍ୟର ସବୁ ମନ୍ତ୍ରୀଙ୍କୁ ଚିଠି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆସନ୍ତା ମେ ୨୯ରେ ରାଜ୍ୟ ଶାସନ ଭାର ଗ୍ରହଣ କରିବାର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତୀ । ଏଥିପାଇଁ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ୨୦୨୦ଠାରୁ ନିରନ୍ତର କାର୍ଯ୍ୟ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆମେ ଦଳର ନିର୍ବାଚନ ଇସ୍ତାହାର ରାଜ୍ୟବାସୀଙ୍କ ସମ୍ମୁଖରେ ରଖିଥିଲେ । ରାଜ୍ୟବାସୀଙ୍କୁ ଆମେ ଦେଇଥିବା ପ୍ରତିବଦ୍ଧତା ବିଷୟରେ ପୁଣି ଥରେ ମନେପକାଇ ଦେଉଛି । ‘ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ’ ବୋଲି ପ୍ରମାଣ କରିସାରିଛୁ । ଚଳିତବର୍ଷ ମେ’ ୨୨ରୁ ଆପଣଙ୍କ ଦାୟିତ୍ୱରେ ରହିଥିବା ବିଭାଗଗୁଡ଼ିକ ସମୀକ୍ଷା ବିଭାଗୀୟ ସଚିବମାନଙ୍କ ଉପସ୍ଥିତରେ କରିବି । ପ୍ରତ୍ୟେକ ବିଭାଗର ୫-ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ବିଷୟରେ ମୋତେ ଅବଗତ କରାଇବେ ।’
ମୁଖ୍ୟମନ୍ତ୍ରୀଙ୍କ ଚିଠି ପାଇବା ପରେ ମନ୍ତ୍ରୀମାନେ ବେଶ୍ ତତ୍ପର ହୋଇ ଉଠିଛନ୍ତି । କ’ଣ କରିଛନ୍ତି, ନିଜର ପ୍ରଦର୍ଶନ କିଭଳି ରହିଛି ତା’ର ସଂପୂର୍ଣ୍ଣ ବିବରଣୀ ପ୍ରକାଶ କରିବେ । ମନ୍ତ୍ରୀ ପରିଷଦ ବୈଠକରେ ନିଜ ନିଜର ସଫଳତାକୁ ରାଜ୍ୟର ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବେ । ଉକ୍ତ ରିପୋର୍ଟ ଆଧାରରେ ୨୦୨୪ ନିର୍ବାଚନ ପାଇଁ ଟିକେଟ୍ ମିଳିବ ବୋଲି କୁହାଯାଉଛି । ତେଣୁ କିଛି ମନ୍ତ୍ରୀ ଟେନସନରେ ଅଛନ୍ତି ।
ମେ’ ୨୨ରେ କୃଷି ଏବଂ କୃଷକ ସଶକ୍ତୀକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ହେଉଥିବାବେଳେ ୨୩ରେ ପୂର୍ତ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ସମୀକ୍ଷା ହେବ । ୨୪ରେ ପଞ୍ଚାୟତିରାଜ, ବାଣିଜ୍ୟ ଓ ପରିବହନ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ, ୨୫ରେ ଜଳସମ୍ପଦ, ଉଚ୍ଚ ଶିକ୍ଷା, ଯୋଜନା ଏବଂ ସଂଯୋଜନ ବିଭାଗ, ୨୬ରେ ଗୃହ ଓ ନଗର ଉନ୍ନୟନ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସମୀକ୍ଷା ହେବ । ସେହିପରି ୨୭ରେ ମିଶନ ଶକ୍ତି, ଦକ୍ଷତା ବିକାଶ, ଶ୍ରମ ଓ ନିୟୋଜନ ବିଭାଗ,୨୯ରେ ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ୩୦ରେ ଏସ୍ସିଏସ୍ଟି, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ୩୧ରେ କ୍ରୀଡ଼ା ଓ ଯୁବସେବା, ମହିଳା ଓ ଶିଶୁ ବିକାଶ, ଶକ୍ତି ବିଭାଗର ସମୀକ୍ଷା ହେବ । ଜୁନ୍୧ରେ ପର୍ଯ୍ୟଟନ ଓସାମାଜିକ ସଶକ୍ତୀକରଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ତେବେ ଉକ୍ତ ବୈଠକ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ରିପୋର୍ଟ କାର୍ଡ଼ ଦେବେ ।