31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଇଡି ପରେ ଏବେ ଏନ୍‌ଆଇଏ ଟିମ୍ ଉପରେ ଆକ୍ରମଣ

ଇଡି ପରେ ଏବେ ଏନ୍‌ଆଇଏ ଟିମ୍ ଉପରେ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଅନ୍ତର୍ଗତ ଭୂପତିନଗର ଅଞ୍ଚଳରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଟିମ୍ ଉପରେ ଆକ୍ରମଣ ହୋଇଛି । କିଛି ଦୁର୍ବୃତ୍ତ ଏନ୍‌ଆଇଏ ଅଧିକାରୀଙ୍କ ଟିମ୍‌କୁ ଘେରିଯାଇ ସେମାନଙ୍କ ଗାଡ଼ି ଉପରେ ଢ଼େଲା ପଥର ମାଡ଼ କରିଛନ୍ତି । ଏପରିକି କିଛି ଲୋକ ଏନ୍‌ଆଇଏ ଅଧିକାରୀଙ୍କୁ ଟଣାଘୋଷରା କରିବା ସହ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଆକ୍ରମଣ ଘଟଣ।।ରେ ଏନ୍‌ଆଇଏର କିଛି ଅଧିକାରୀ ଗୁରୁତର ଆହତ ମଧ୍ୟ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁସାରେ ୨୦୨୨ ଡିସେମ୍ବର ୩ ତାରିଖରେ ପୂର୍ବ ମେଦିନାପୁର ଅଞ୍ଚଳର ଭୂପତିନଗର ଅଞ୍ଚଳରେ ମାନବେନ୍ଦ୍ର ଜାନା ନାମକ ଶାସକ ଦଳ (ଟିଏମ୍‌ସି) ନେତାଙ୍କ ଘରେ ଏକ ଭୟାବହ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଘର ଜଳିପୋଡି ଛାରଖାର ହୋଇଯାଇଥିଲା ଏବଂ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ । ଏହି ମାମଲାରେ ତଦନ୍ତ ଭାର ସେତେବେଳେ ଏନ୍‌ଆଇଏ ଉପରେ ନ୍ୟସ୍ତ କରାଯାଇଥିଲା ।

ସୂଚନାଯୋଗ୍ୟ, ତଦନ୍ତ ପ୍ରକ୍ରିୟା ଅନ୍ତର୍ଗତ ଏନ୍‌ଆଇଏ ଏହି ଘଟଣା ସହ ସମ୍ପୃକ୍ତ ଥିବା କିଛି ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇସାରିଛି । ଅନ୍ୟପକ୍ଷେ ମିଳିଥିବା ଆଉ କିଛି ପ୍ରମାଣ ଆଧାରରେ ଏବଂ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏନ୍‌ଆଇଏ ଟିମ୍ ଶନିବାର ଦିନ ଏଠାକୁ ଟିଏମ୍‌ସି ନେତା ମାନବେନ୍ଦ୍ର ଜାନା ଏବଂ ତାଙ୍କର ଅନ୍ୟଜଣେ ସହଯୋଗୀଙ୍କୁ ଗିରଫ କରିବା ପାଇଁ ଏଠାକୁ ଆସିଥିଲା । ଏପରିକି ଏନ୍‌ଆଇଏ ଅଧିକାରୀମାନେ ମାନବେନ୍ଦ୍ର ଜାନା ଏବଂ ଅନ୍ୟତମ ଅଭିଯୁକ୍ତକୁ ଗିରଫ ମଧ୍ୟ କରିନେଇଥିଲେ ଏବଂ ପୂର୍ବ ମେଦିନାପୁର ଛାଡିବା ପାଇଁ ବାହାରିଥିଲେ । ଠିକ୍ ଏହି ସମୟରେ ଗିରଫଦାରୀକୁ ବିରୋଧ କରି ଗ୍ରାମବାସୀମାନେ ଏନ୍‌ଆଇଏ ଟିମ୍ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି ।

ରାଜ୍ୟପାଳ ସିଭି ଆନନ୍ଦ ବୋଷ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି ଏବଂ ପୁଲିସ୍ ପ୍ରଶାସନର କାର୍ଯ୍ୟକାରିତା ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ତେବେ ସେ ଉଭୟ ଏନ୍‌ଆଇଏ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଲିଖିତ ରିପୋର୍ଟ ପାଇବା ପରେ ଏସମ୍ପର୍କରେ କିଛି କହିପାରିବେ ବୋଲି କହିଛନ୍ତି । ତେବେ ଯଦି ଘଟଣାରେ ସତ୍ୟତା ଥାଏ ତେବେ ଆଇନ୍ ନିଜ ବାଟରେ କାର୍ଯ୍ୟ କରିବ ଏବଂ ଏପ୍ରକାର ଅରାଜକତା ସୃଷ୍ଟିକାରୀ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଶାସକ ଦଳ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରକୁ ତୀବ୍ର ସମାଲୋଚନା କରାଯାଇଛି ।

ଏହାର ଜବାବରେ ମମତା ମଧ୍ୟ ବିଜେପି ଏବଂ ଏନ୍‌ଆଇଏ ଉପରେ ପାଲଟା ଅଭିଯୋଗ କରିଛନ୍ତି । ମମତା କହିଛନ୍ତି, ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଅଯଥା ପଶ୍ଚିମବଙ୍ଗରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛି । ବିଜେପି ନେତାମାନେ ରାଜ୍ୟରେ ଗିରଫଦାରୀ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଏନ୍‌ଆଇଏ ଭଳି ସଂସ୍ଥା ତଦନ୍ତ ଆଳରେ ସ୍ଥାନୀୟ ପୁଲିସ୍‌କୁ ନଜଣାଇ ରାତି ଅଧରେ ଚଢ଼ଉ କରିବାକୁ ଆସିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଥିବା ପ୍ରମାଣିତ ହୋଇଛି । ସ୍ଥାନୀୟ ଲୋକେ ଏନ୍‌ଆଇଏ ଅଧିକାରୀଙ୍କୁ ଚୋର, ଦୁର୍ବୃତ୍ତ ଭାବି ଆକ୍ରମଣ କରିଛନ୍ତି । ଏନ୍‌ଆଇଏ ପ୍ରଥମେ ସ୍ପଷ୍ଟ କରିବା ଉଚିତ୍ ଯେ, କ’ଣ ପାଇଁ ଏତେ ରାତିରେ ସେଠାକୁ ଯାଇଥିଲେ? ତୃଣମୂଳ କଂଗ୍ରେସ କର୍ମୀ ତଥା ନେତାଙ୍କୁ ରାତି ଅଧିଆ ଉଠାଇନେବାର ପ୍ରୟାସ ଏନ୍‌ଆଇଏ କାହା ନିର୍ଦ୍ଦେଶରେ କରୁଛି?

ଏହାପୂର୍ବରୁ ମନି ଲଣ୍ଡରିଂ ତଥା ରାସନ ବଣ୍ଟନଜନିତ ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ଟିଏମ୍‌ସି ନେତା ଶେଖ୍ ସାହାଜାହାନ୍‌ଙ୍କୁ ଗିରଫ କରିବା ପାଇଁ ସନ୍ଦେଶଖାଲି ଅଞ୍ଚଳକୁ ଯାଇଥିବା ଇଡି ଟିମ୍ ଉପରେ ମଧ୍ୟ ସମାନ ଧରଣର ଆକ୍ରମଣ ହୋଇଥିଲା । ଗାଡ଼ି ଉପରକୁ ଢ଼େଲାପଥର ମାଡ଼ କରାଯାଇଥିଲା ଯେଉଁଥିରେ ଗାଡ଼ି କାଚ ଭାଙ୍ଗିଯିବା ସହ କିଛି ଇଡି ଅଧିକାରୀ ଗୁରୁତର ଆହତ ହୋଇଥିଲେ । ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking