28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶ୨୦ ମିଟର ଭର୍ଟିକାଲ ଡ୍ରିଲିଂ ଶେଷ, ସପ୍ତାହେ ଭିତରେ ଉଦ୍ଧାର ହେବେ ଶ୍ରମିକ

୨୦ ମିଟର ଭର୍ଟିକାଲ ଡ୍ରିଲିଂ ଶେଷ, ସପ୍ତାହେ ଭିତରେ ଉଦ୍ଧାର ହେବେ ଶ୍ରମିକ

ନୂଆଦିଲ୍ଲୀ: ଦୁଇ ସପ୍ତାହ ହେଲା ଉତ୍ତରକାଶୀ ସିଲକ୍ୟାରା ସୁଡ଼ଙ୍ଗରେ ସଂଘର୍ଷ କରୁଛନ୍ତି  ୪୧ ଶ୍ରମିକ ।  ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ଏଜେନ୍ସି ଲାଗିଥିଲେ ମଧ୍ୟ ବାରମ୍ବାର ବିଫଳତା ମିଳୁଛି । ରେସକ୍ୟୁ ଅପରେସନରେ ବାଧା ସୃଷ୍ଟି କରୁଛି ପଥର ଚଟାଣ । ଆମେରିକୀୟ ଅଗର ମେସିନ୍ ଭାଙ୍ଗିଯିବା ଫଳରେ ବିକଳ୍ପ ରାସ୍ତା ଖୋଜାଯାଇଛି ।

ରବିବାର ଠାରୁ ପହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ କରାଯାଉଛି । ପ୍ରଥମ ଦିନରେ ପ୍ରାୟ ୨୦ମିଟର ଖୋଳାଯାଇଛି । ଆଉ ୬୯ ମିଟର ବାକି ରହିଛି । ଯଦି କୌଣସି ବଡ଼ ବାଧା ସାମ୍ନାକୁ ନ ଆସେ ତେବେ ପ୍ରାୟ ୬-୭ ଦିନ ମଧ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ । ଅନ୍ୟପଟେ ଭାରତୀୟ ସେନା ମୋର୍ଚ୍ଚା ସମ୍ଭାଳିଛି । ପ୍ଲାଜମା ମେସିନ୍ ସାହାଯ୍ୟରେ ଭାଙ୍ଗିଯାଇଥିବା ଅଗର ମେସିନ ପ୍ଲେଟକୁ କଟାଯାଉଛି । ଲୁହା ପ୍ଲେଟ୍ ବାହାରିବା ପରେ ବାକି ଥିବା ହରିଜୋଣ୍ଟାଲ୍ ଡ୍ରିଲିଂ କରାଯିବ ।

ଭର୍ଟିକାଲ୍‌ ଡ୍ରିଲିଂରେ ପାହାଡ଼ ଉପରୁ ତଳକୁ ବଡ଼ ଗର୍ତ୍ତ ସୃଷ୍ଟି କରାଯାଇ ରାସ୍ତା ନିର୍ମାଣ ହେବ । ଏହି ରାସ୍ତା ଦେଇ ଶ୍ରମିକଙ୍କୁ ବାହାର କରାଯିବ । ଏହାକୁ ‘ପ୍ଲାନ୍‌-ବି’ କୁହାଯାଉଛି । ପୂର୍ବରୁ ଏଥିପାଇଁ ପାହାଡ଼ ଉପରକୁ ୧୧୦୦ ମିଟର ରାସ୍ତା ବନାଯାଇଥିଲା । ଆବଶ୍ୟକ ମେସିନ୍‌ ବସାଯିବା ପରେ ଖନନ ଆରମ୍ଭ ହୋଇଥିଲା । ତେବେ ଏଥିରେ ଅନେକ ବିପଦ ରହିଥିବା ସତ୍ତ୍ବେ ସତ୍‌ଲୁଜ୍‌ ବିଦ୍ୟୁତ୍‌ ନିଗମ ଲିମିଟେଡ୍‌ (ଏସ୍‌ଭିଏନ୍‌ଏଲ୍‌) ଏହି ଦାୟିତ୍ୱ ମୁଣ୍ଡକୁ ନେଇଛି ।

ଏସ୍କେପ ପ୍ୟାସେଜ୍ ତିଆରି କରିବାକୁ ୭୦୦ ମିମି ଡ୍ରିଲିଂ କରିଯାଇ ତା’ ଭିତରେ ପାଇପ୍ ଭର୍ତ୍ତି କରାଯାଉଛି । ଏହା ପୂର୍ବରୁ ୨୦୦ମିମି ବ୍ୟାସ ବିଶିଷ୍ଟ ଏକ ପାଇପ୍ ଭର୍ତ୍ତି କରାଯାଇଛି , ଯାହା ୭୦ ମିଟର ପର୍ଯ୍ୟନ୍ତ ପହଞ୍ଚିଛି । ସିଲକ୍ୟାରା ସୁଡ଼ଙ୍ଗରେ ଗୋଟିଏ ପଟେ ଆମେରିକୀୟ ଅଗର ମେସିନ୍ ସାହାଯ୍ୟରେ କରାଯାଉଥିବା ହରିଜୋଣ୍ଟାଲ ଡ୍ରିଲିଂରେ ବାରମ୍ବାର ବାଧା ସୃଷ୍ଟି ହେଉଥିବାରୁ ପାହାଡ଼ ଉପରପଟୁ ଭର୍ଟିକାଲ ଡ୍ରିଲିଂ କରାଯାଉଛି । ସୁଡ଼ଙ୍ଗ ଭିତରେ ଆନୁମାନିକ ୬୦ ମିଟର କ୍ଷେତ୍ରରେ ଧ୍ବଂସାବଶେଷ ରହିଛି । ଏହାକୁ ହଟାଯାଇ ଶ୍ରମିକଙ୍କୁ ଉଦ୍ଧାର କରାଯିବ ।

ଏହା ପୂର୍ବରୁ ‘ପ୍ଲାନ୍‌-ଏ’ରେ ଆମେରିକୀୟ ଅଗର୍‌ ମେସିନ୍‌ ଦ୍ୱାରା ସମାନ୍ତରାଳ ଖନନ (ହରାଇଜଣ୍ଟାଲ୍‌ ଡ୍ରିଲିଂ) ସଫଳତା ପୂର୍ବକ ଚାଲିଥିଲା । ୪୭ ମିଟର ପର୍ଯ୍ୟନ୍ତ ଖୋଳାଯାଇ ୮୦୦ମିମି (୩୨ ଇଞ୍ଚ) ପାଇପ୍‌ ଭର୍ତ୍ତି କରାଯାଇଥିଲା । ଏହି ପାଇପ୍‌ ଦେଇ ଶ୍ରମିକମାନେ ଜଣକ ପରେ ଜଣେ ବାହାରିଥାନ୍ତେ । ଦୁର୍ଭାଗ୍ୟବଶତଃ ଆଉ ମାତ୍ର ୧୨ରୁ ୧୫ ମିଟର ଖୋଳା ବାକି ଥିବା ବେଳେ ମେସିନ୍‌ଟି ଭାଙ୍ଗିଯାଇଥିଲା । ଏବେ ମେସିନ୍‌କୁ କାଟି ବାହାର କରାଯାଉଛି । ଏହି କାର୍ଯ୍ୟ ଶେଷ ହେବା ପରେ ମାନୁଆଲ୍‌ ଡ୍ରିଲିଂ (ହାତରେ ଖୋଳା) ଆରମ୍ଭ ହେବ । ଏଥିପାଇଁ ଆଜି ସେନାକୁ ଡକାଯାଇଛି । ସେନା ସହାୟତାରେ ‘ପ୍ଲାନ୍‌-ଏ’ କାର୍ଯ୍ୟ ଆଗେଇବ । କିନ୍ତୁ ଏହା ଅଧିକ ସମୟ ସାପେକ୍ଷ ହୋଇଥିବାରୁ ‘ପ୍ଲାନ୍‌-ବି’ରେ ଭର୍ଟିକାଲ୍‌ ଡ୍ରିଲିଂ ଉପରେ ଫୋକସ୍‌ ରହିବ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking