28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶପାକିସ୍ତାନରୁ ତଡ଼ା ଖାଉଛନ୍ତି ଆଫ୍‌ଗାନ ଶରଣାର୍ଥୀ

ପାକିସ୍ତାନରୁ ତଡ଼ା ଖାଉଛନ୍ତି ଆଫ୍‌ଗାନ ଶରଣାର୍ଥୀ

ଇସଲାମାବାଦ: ପାକିସ୍ତାନରେ ଅବସ୍ଥାନ କରୁଥିବା ଆଫ୍‌ଗାନିସ୍ତାନର ଶରଣାର୍ଥୀମାନଙ୍କୁ ଦେଶଛାଡି ଚାଲିଯିବାକୁ ପାକ୍ ସରକାର କଡା ନିର୍ଦ୍ଦେଶ ଦେଇସାରିଥିବାବେଳେ ଏହାକୁ କାର୍ଯ୍ୟକାରୀ ମଧ୍ୟ କରାଯାଉଛି । ବର୍ତ୍ତମାନ ୧୭ ଲକ୍ଷ ଆଫ୍‌ଗାନ ଶରଣାର୍ଥୀ ପାକିସ୍ତାନରେ ବେଆଇନଭାବେ ବସବାସ କରୁଛନ୍ତି । ନଭେମ୍ବର ୧ ସୁଦ୍ଧା ସେମାନଙ୍କୁ ପାକିସ୍ତାନ ଛାଡି ନିଜ ଦେଶକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କେତେ ହଜାର ଶରଣାର୍ଥୀ ସ୍ୱଇଚ୍ଛାରେ ପାକିସ୍ତାନ ଛାଡିଥିଲେ ସୁଦ୍ଧା ଏବେମଧ୍ୟ ଲକ୍ଷାଧିକ ଶରଣାର୍ଥୀ ଏହି ନିର୍ଦ୍ଦେଶକୁ ବେଖାତିର କରି ରହିଯାଇଛନ୍ତି । ସେମାନଙ୍କୁ ବଳପୂର୍ବକ ଦେଶ ଛାଡିବାକୁ ବାଧ୍ୟ କରାଯାଉଛି । ଫଳରେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ବହୁ ଆଫ୍‌ଗାନ ଶରଣାର୍ଥୀ ଆଜକୁ ଦୀର୍ଘ ବର୍ଷ ଧରି ପାକିସ୍ତାନରେ ବସବାସ କରିଆସୁଛନ୍ତି । ବର୍ତ୍ତମାନ ସେମାନଙ୍କୁ ବଳପୂର୍ବକ ଦେଶାନ୍ତର କରାଯାଉଥିବାରୁ ସେମାନେ ବିବ୍ରତ ହୋଇପଡିଛନ୍ତି ।

ସେମାନଙ୍କର ବ୍ୟବସାୟିକ କାରବାର ଏବଂ ଅର୍ଜନ କରିଥିବା ସମ୍ପତ୍ତିର ଭାଗ୍ୟ କ’ଣ ହେବ, ସେଥିନେଇ ସେମାନେ ସନ୍ଦିହାନ ହୋଇପଡିଛନ୍ତି । ପୁନଶ୍ଚ ଆଫ୍‌ଗାନିସ୍ତାନ ଯିବାପରେ ସେମାନେ କିଭଳି ଜୀବିକା ନିର୍ବାହ କରିବେ, ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୨୧ ଅଗଷ୍ଟ ୧୫ରୁ ଆଫ୍‌ଗାନିସ୍ତାନର ଶାସନ କ୍ଷମତା ତାଲିବାନ ଆତଙ୍କବାଦୀ ସଂଗଠନ ହାତକୁ ଚାଲିଯାଇଛି । ତାଲିବାନ ସରକାର ପାକିସ୍ତାନକୁ ପରମ ଶତ୍ରୁ ବିବେଚନା କରୁଥିବାବେଳେ ଏହି ଆଫ୍‌ଗାନ ଶରଣାର୍ଥୀଙ୍କୁ ଆପଣେଇବା ନେଇ ସନ୍ଦେହ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ପାକିସ୍ତାନର ପଶ୍ଚିମାଞ୍ଚଳ (ଆଫ୍‌ଗାନିସ୍ତାନ ସୀମା ସଂଲଗ୍ନ) ବେଲୁଚିସ୍ତାନ, ଖାଇବର ଖାଖ୍‌ତୁନ୍‌ଖ୍ୱା ପ୍ରଦେଶଗୁଡିକରେ ବିଗତ କିଛି ବର୍ଷ ଧରି ବ୍ୟାପକ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଆସୁଛି । ଏଥିଯୋଗୁଁ ପାକିସ୍ତାନ ଶତାଧିକ ସୈନ୍ୟଙ୍କୁ ହରାଇ ସାରିଥିବାବେଳେ ସାଧାରଣ ଲୋକେ ମଧ୍ୟ ଏହାର ଶିକାର ପାଲଟୁଛନ୍ତି ।

ଏହି ଅଞ୍ଚଳରେ ଟିଟିପି (ତେହେରିକ୍‌-ଇ-ତାଲିବାନ ପାକିସ୍ତାନ) ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବାବେଳେ ସେମାନେ ପାକିସ୍ତାନୀ ସୈନ୍ୟ ଓ ପୁଲିସକୁ ମୁଖ୍ୟତଃ ଟାର୍ଗେଟ କରୁଛନ୍ତି । ଆଫ୍‌ଗାନ୍ ଶରଣାର୍ଥୀମାନେ ଏହି ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ପାକିସ୍ତାନର କାମଚଳା ସରକାର ଅଭିଯୋଗ କରୁଛନ୍ତି । ଦେଶର ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଆଫ୍‌ଗାନ ଶରଣାର୍ଥୀଙ୍କୁ ତୁରନ୍ତ ଦେଶ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କାମଚଳା ଗୃହମନ୍ତ୍ରୀ ସର୍ଫରାଜ ବୁଗ୍‌ତି କହିଛନ୍ତି ।

ପାକ୍ ସରକାର ପୂର୍ବରୁ ବେଆଇନଭାବେ ବସବାସ କରୁଥିବା ଆଫ୍‌ଗାନ ନାଗରିକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ବର୍ତ୍ତମାନ ବୈଧଭାବେ ବାସ କରୁଥିବା ଅଫ୍‌ଗାନ ନାଗରିକଙ୍କୁ ମଧ୍ୟ ଏହି ତାଲିକାଭୁକ୍ତ କରିଛନ୍ତି । ଚଳିତବର୍ଷ ଡିସେମ୍ବର ୩୧ ପରେ ଏମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିବ ବୋଲି ଅନୁମାନ କରାଯାଉଛି । ପୁନଶ୍ଚ ପାକ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଦେଶ ଛାଡୁଥିବା ପ୍ରତ୍ୟେକ ଆଫ୍‌ଗାନ ଶରଣାର୍ଥୀ ନିଜ ସାଙ୍ଗରେ ସର୍ବାଧିକ ୫୦ ହଜାର ଟଙ୍କା ନେଇପାରିବେ । ଫଳରେ ବ୍ୟବସାୟ କରୁଥିବା ଅଧିକାଂଶ ଆଫ୍‌ଗାନ ଶରଣାର୍ଥୀ ସେମାନଙ୍କର ସମ୍ପତ୍ତିକୁ ଅଧାମୂଲ୍ୟରେ ବିକ୍ରି କରିବାକୁ ଉଚିତ ମଣୁଛନ୍ତି । ଆଉ କେତେକ ଧନୀ ଆଫ୍‌ଗାନ ଶରଣାର୍ଥୀ ସ୍ୱଅର୍ଜିତ ଅର୍ଥକୁ ବେଆଇନଭାବେ ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ନିକଟକୁ ପଠାଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking