20.1 C
Bhubaneswar
Saturday, December 21, 2024
Homeସ୍ୱାମୀ ବିବେକାନନ୍ଦ ଜୟନ୍ତୀସ୍ୱାମୀ ବିବେକାନନ୍ଦଙ୍କ ଉପଦେଶ

ସ୍ୱାମୀ ବିବେକାନନ୍ଦଙ୍କ ଉପଦେଶ

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ – ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ ।

୧. ଓଁ ସ୍ଥାପକାୟ ଚ ଧର୍ମସ୍ୟ ସର୍ବଧର୍ମସ୍ୱରୂପିଣେ ।

ଅବତାରବରିଷ୍ଠାୟ ରାମକୃଷ୍ଣାୟ ତେ ନମଃ ॥

ଧର୍ମର ପ୍ରତିଷ୍ଠାତା, ସର୍ବଧର୍ମସ୍ୱରୂପ, ଅବତାରଶ୍ରେଷ୍ଠ ହେ ରାମକୃଷ୍ଣ ! ତୁମକୁ ପ୍ରଣାମ !

୨. ରାମକୃଷ୍ଣ ଅବତାରରେ ଜ୍ଞାନ, ଭକ୍ତି ଓ ପ୍ରେମ । ଅନନ୍ତ ଜ୍ଞାନ, ଅନନ୍ତ ପ୍ରେମ, ଅନନ୍ତ କର୍ମ, ଅନନ୍ତ ଜୀବ ପ୍ରତି ଦୟା ।

୩. ସମଗ୍ର ହିନ୍ଦୁ ଜାତି ସହସ୍ର ଯୁଗ ଧରି ଯାହା ଚିନ୍ତା କରିଆସିଛି, ସେ (ଶ୍ରୀରାମକୃଷ୍ଣ) ଏକ ଜୀବନରେ ହିଁ ସେହି ସମୁଦାୟ ଭାବ ଉପଲବ୍‌ଧି କରିଛନ୍ତି । ତାଙ୍କ ଜୀବନ ସକଳ ଜାତିର ବେଦ ସମୂହର ଜୀବନ୍ତ ଟୀକାସ୍ୱରୂପ ।

୪. ସର୍ବଭାବର ଏପରି ସମନ୍ୱୟ ଜଗତର ଇତିହାସରେ ଆଉ କେଉଁଠି କଅଣ ଦେଖିବାକୁ ମିଳେ ? ଏଥର ବୁଝ ସେ କିଏ ଦେହ ଧାରଣ କରି ଆସିଥିଲେ । ଅବତାର କହିଲେ ତାଙ୍କୁ ଛୋଟ କରାହୁଏ ।

୫. ସେ (ଶ୍ରୀରାମକୃଷ୍ଣ) ଯେଉଁ ଦିନରୁ ଜନ୍ମିଛନ୍ତି, ସେହି ଦିନରୁ ସତ୍ୟଯୁଗ ଆସିଛି । ଏବେ ସବୁ ଭେଦାଭେଦ ଉଠିଗଲା । ଆଚଣ୍ଡାଳ ପ୍ରେମ ପାଇବେ । ଆଉ ସେ ହେଉଛନ୍ତି ବିବାଦଭଞ୍ଜନ-ହିନ୍ଦୁ-ମୁସଲମାନ ଭେଦ, ଖ୍ରୀଷ୍ଟାନ୍‌-ହିନ୍ଦୁ ଭେଦ ଇତ୍ୟାଦି ସବୁ ଚାଲିଗଲା । ଏହି ସତ୍ୟଯୁଗରେ ଏକ ବର୍ଣ୍ଣ, ଏକ ବେଦ ହେବ ଏବଂ ସମଗ୍ର ଜଗତରେ ଶାନ୍ତି ଓ ସମନ୍ୱୟ ସ୍ଥାପିତ ହେବ । ଏହି ସତ୍ୟଯୁଗର ଧାରଣା ଅବଲମ୍ବନ କରି ଭାରତ ଆଉଥରେ ନବଜୀବନ ଲାଭ କରିବ ।

୬. ଏହି ନୂତନ ଅବତାର ବା ଶିକ୍ଷକଙ୍କର ଏହି ଶିକ୍ଷା ଯେ-ଏବେ ଯୋଗ, ଭକ୍ତି, ଜ୍ଞାନ ଓ କର୍ମର ଉତ୍କୃଷ୍ଟ ଭାବ ଏକ କରି ନୂତନ ସମାଜ ଗଠନ କରିବାକୁ ହେବ ।

୭. ବିଶ୍ୱାସ କର, ବିଶ୍ୱାସ କର, ପ୍ରଭୁଙ୍କର ଆଜ୍ଞା-ଭାରତର ଉନ୍ନତି ହେବ ହିଁ ହେବ । ଜନସାଧାରଣଙ୍କୁ ଏବଂ ଦରିଦ୍ରମାନଙ୍କୁ ସୁଖୀ କରିବାକୁ ହେବ । ଆଉ ଆନନ୍ଦିତ ହୁଅ ଯେ ତୁମେମାନେ ହିଁ ତାଙ୍କ କାର୍ଯ୍ୟ କରିବାର ନିର୍ବାଚିତ ଯନ୍ତ୍ର । ଧର୍ମର ବନ୍ୟା ଆସିଛି । ମୁଁ ଦେଖିଛି, ତାହା ସମଗ୍ର ପୃଥିବୀକୁ ଭସେଇ ନେଇଯାଉଛି-ଅଦମ୍ୟ, ଅନନ୍ତ, ସର୍ବଗ୍ରାସୀ । ସମସ୍ତେ ହିଁ ଆଗେଇଯାଅ, ସମସ୍ତଙ୍କର ଶୁଭେଚ୍ଛା ତାଙ୍କ ସଙ୍ଗେ ଯୋଗ କରିଦିଅ । ସକଳ ହସ୍ତ ଏହି ପଥର ବାଧା ଘୁଞ୍ଚାଇ ଦେଉ । ଜୟ ପ୍ରଭୁଙ୍କର ଜୟ ।

୮. ଯିଏ ତାଙ୍କର ସେବା ପାଇଁ-ତାଙ୍କର ସେବା ନୁହେଁ-ତାଙ୍କ ସନ୍ତାନଙ୍କର-ଗରିବଗୁରବା, ପାପୀତାପୀମାନଙ୍କର ସେବା ପାଇଁ ଯିଏ ତିଆରି ହେବେ, ତାଙ୍କ ଭିତରେ ସେ ଆସିବେ, ତାଙ୍କ ମୁହଁରେ ସରସ୍ୱତୀ ବସିବେ । ତାଙ୍କ ବକ୍ଷରେ ମହାମାୟା ମହାଶକ୍ତି ରୂପେ ଅଧିଷ୍ଠିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking