ମୟୂରଭଞ୍ଜ- ଗାଁ ବିବାଦ ହେଲା କାଳ। ବିବାଦକୁ କେନ୍ଦ୍ର କରି ଗୋଚର ଜମିରୁ ଉଚ୍ଛେଦ ପାଇଁ ପ୍ରଶାସନ ନିକଟରେ ଦାବିକଲେ ମୁଷ୍ଟିମେୟ ଗ୍ରାମବାସୀ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ଥାନା ଅଧିକାରୀ ଏବଂ ପୋଲିସଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଘରଭାଙ୍ଗି ଆଜି ଉଚ୍ଛେଦ କରିଥିବା ଦେଖୁବାକୁ ମିଳିଛି। ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ କାନପୁର ମୌଜା ନିବାସସାହିର। ଏଠାରେ ଜଙ୍ଗଲ ସଫାକରି ରହି ଆସୁଥିବା ସ୍ବର୍ଗତ ଚୁନା ବେହେରାଙ୍କ ପୁଅ ସ୍ବର୍ଗତ ଲକ୍ଷ୍ମୀକାନ୍ତ ବେହେରାଙ୍କ ପରିବାର ତିନିପିଢ଼ି ଧରି ଏହି ସରକାରୀ ଜମିରେ ବାସଗୃହ ନିର୍ମାଣ କରି ରହି ଆସୁଥିଲେ।ମାତ୍ର ଜେଜେବାପା ଏବଂ ବାପାଙ୍କର ଦେହାନ୍ତ ପରେ ପୁଅ ତପନ କୁମାର ବେହେରା,ପତ୍ନି ଏବଂ ତାଙ୍କର ଦିବ୍ୟାଙ୍ଗ ନାବାଳକ ପୁଅକୁନେଇ ଦୀର୍ଘବର୍ଷ ଧରି ଗୋଚର ଜମି ଦଖଲ କରି ରହିଆସୁଥିଲେ। ଆଜି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେସ ନମ୍ବର ୩୨୬/୧୯-୨୦ ଅନୁସାରେ ସ୍ଥାନୀୟ ତହସିଲଦାର ନିର୍ଲିପ୍ତା ମହାନ୍ତି ,ଆଇ ଆଇ ସି ଲୋପାମୁଦ୍ରା ନାୟକ ଏବଂ ଅମରଦା ଆରଆଇ ସନାତନ ଟୁଡୁଙ୍କ ଉପସ୍ଥିତିରେ ପୋଲିସ ଫୋର୍ସ ସହାୟତାରେ ତପନ ବେହେରାଙ୍କ ଘରଟିକୁ ଜେସିବି ସାହାଯ୍ୟରେ ଭଙ୍ଗାଯାଇଥିଲା। ଘରଭଙ୍ଗା ଜିବାପରେ ବେସାହାରା ହେଇଥିଲେ ତପନଙ୍କ ପରିବାର। ଏବେ ଗଛମୂଳ ପାଲଟିଛି ସାହାରା ସାଙ୍ଗକୁ ଆଶ୍ରୟସ୍ଥଳୀ। ତହସିଲ ପକ୍ଷରୁ ତପନଙ୍କ ପାରିବାରକୁ ପଲିଥିନ୍ ଦିଆଯାଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ନିବସସାହି ବାସିନ୍ଦା ତପନ କୁମାର ବେହେରା ଗୋଚର ଜମିରେ ବିଜୁପକ୍କା ଘରନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏହି ସମୟରେ କୌଣସି ପ୍ରସଙ୍ଗକୁନେଇ ଗ୍ରାମର କିଛି ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କ ସହ ବିବାଦ ସୃଷ୍ଟି ହୋଇଥିଲା ବୋଲି ଆଲୋଚନା ହେଉଛି। ସେହି ବିବାଦକୁ କେନ୍ଦ୍ର କରି ଗୋଚରଣ ଜମିରେ ଗୃହ ନିର୍ମାଣ କରାଯାଉଥିବାର ଆପତ୍ତି ଉଠାଇ ଗତବର୍ଷ ନଭେମ୍ବର ମାସରେ ରାସଗୋବିନ୍ଦପୁର ତହସିଲ ଆଗରେ ଧାରଣା ଦେଇଥିଲେ ଗ୍ରାମବାସୀ। ତତ୍କାଳୀନ ତହସିଲଦାର ସମ୍ବିତ ସଂଗ୍ରାମଜିତ୍ ସାହୁ ଆସନ୍ତା ଦୁଇସପ୍ତାହ ମଧ୍ୟରେ ଗୋଚର ଜମିରେ ନିର୍ମିତ ଗୃହକୁ ଉଚ୍ଛେଦ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଅନସନ ପ୍ରତ୍ୟାହାର କରିଥିଲେ। ପ୍ରତିଶୃତିର ଦୀର୍ଘ ୧୦ ମାସ ପରେ ଆଜି ସ୍ଥାନୀୟ ପ୍ରଶାସନ ତପନ ବେହେରାଙ୍କ ଗୃହଟିକୁ ଜେସିବି ମେସିନ ସାହାଯ୍ୟରେ ଭାଙ୍ଗିଛି। ବର୍ତ୍ତମାନ ବର୍ଷାରେ ଭିଜି ଉକ୍ତ ଅସହାୟ ପରିବାର ପଲିଥିନ ଟାଣି ସେଠାରେ ରହିଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟା ସ୍ୱାଗତଯୋଗ୍ୟ। ମାତ୍ର ଉଚ୍ଛେଦ ପୂର୍ବରୁ ଏହି ପରିବାର ଗୁଡିକ ଭୂମିହୀନ କି ନୁହଁ ତଦନ୍ତ କରିବା ଆବଶ୍ୟକ ଥିଲା। ଭୂମିହୀନ ହୋଇଥିଲେ ପ୍ରଥମେ ଅଗ୍ରାଧିକାର ଭିତ୍ତିରେ ବାସପଯୋଗୀ ଭୂମି ଏବଂ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଜୁପକ୍କା ଘର ହେଉକି ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଥଇଥାନ କରିବାର ଆବଶ୍ୟକତା ଥିଲା। ମାତ୍ର ଏକ୍ଷେତ୍ରରେ ପ୍ରଶାସନ ଜିଦଖୋର ସାଜି ଉଚ୍ଛେଦ ପ୍ରକ୍ରିୟାକୁ ଅଗ୍ରାଧିକାର ଦେଇ ଥଇଥାନ ବ୍ୟବସ୍ଥାକୁ ଅଣଦେଖା କରି ମାନବିକ ଅଧିକାର ଉଲଂଘନ କରିଥିବା ଅଭିଯୋଗ ହେଉଛି। ସେହିପରି ଏହି ପରିବାର ସେହି ଜମିକୁ ପ୍ରାୟ ଅଶି ବର୍ଷରୁ ଉର୍ଦ୍ଧ୍ବ ହେବ ନିର୍ବିବାଦରେ ଭୋଗଦଖଲ କରିଆସୁଛନ୍ତି। ଏହି ସମୟରେ ରାଜସ୍ବ ବିଭାଗ, ପ୍ରଶାସନ ଏବଂ ଗ୍ରାମବାସୀ ବେଦଖଲ କରିବା ବଦଳରେ ନୀରବସମର୍ଥନ ଦେଉଥିଲେ କାହିଁକି ବୋଲି ପ୍ରଶ୍ନ ଉଠୁଛି। ଏଭଳି ସ୍ଥିତିରେ ଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ସରକାରୀ ବ୍ୟବସ୍ଥାରେ କଣ ରହିଛି ନିୟମ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ କଣ ରହିଛି ନିର୍ଦ୍ଧେଶାବଳୀ ତାର ପାଳନ ଏକ୍ଷେତ୍ରରେ ପ୍ରଶାସନ ପକ୍ଷରୁ କରାଯାଇଛି କି ନା ଏହାର ତଦନ୍ତ ରାଜ୍ୟ ମାନବାଧିକାର କମିଶନଙ୍କ ପକ୍ଷରୁ କରାଯିବା ଉଚିତ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପଟେ ଉଚ୍ଛେଦ ପ୍ରକ୍ରିୟା ଆଇନସମ୍ମତ ହୋଇନଥିଲେ ଉଚ୍ଛେଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପୀଡ଼ିତ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।